ମାଲକାନଗିରି ବନ୍ୟା ଅଂଚଳରେ ରାଜନେତା : ଲୋକଙ୍କ ମନ ଜିଣିବାକୁ ପ୍ରତିଯୋଗୀତା

Advertisment

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଡାଏ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବନ୍ୟା ସବୁ କିଛି ଧୋଇ ନେବା ପରେ ବିପନ୍ନ ଠିଆ ହେବା ପାଇଁ ଉଦ୍ୟମ କରୁଛନ୍ତି । ଆଉ ଏହାରି ଭିତରେ ମାଲକାନଗିରିରେ ବନ୍ୟାକୁ ନେଇ ରାଜନୀତି ଜୋର ଧରିଛି । କିଏ କମ୍ବଳ ବାଂଟୁଛି ତ କିଏ ପଲିଥିନ୍ ବାଂଟି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି । ବର୍ଷ ବର୍ଷ ଧରି ରାଜନୌତିକ ମୈଦାନରୁ ଦୁରେଇ ରହିଥିବା ନେତାମାନେ ବି ହଠାତ ସକ୍ରିୟ ହୋଇଛନ୍ତି । ହେଲେ ଏଠି ଜନତା କିନ୍ତୁ ବେଶ ହୁସିଆର, ନେତାଙ୍କ ମିଶନ ୨୦୧୯ ଚାଲକୁ ବେଶ ଭଲ ଭାବରେ ବୁଝିଛନ୍ତି ଜନତା ଜନାର୍ଦ୍ଦନ ।

publive-image

ବାତ୍ୟା ଡାଏର ପ୍ରଭାବରେ ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାସହରା ହୋଇଛନ୍ତି ହଜାର ହଜାର ପରିବାର । କାହାର ମାଟି ଘର ମାଟିରେ ଲୋଟି ପଡିଛି ତ ଆଉ କାହା ପାଖରେ କେବଳ ଭଙ୍ଗା ଆଜବେଷ୍ଟସକୁ ବାଦ ଦେଲେ ଆଉ କିଛି ନାହିଁ । ଏପରି ସ୍ଥିତିରେ କେତେକ ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା ବେଳେ ଆଉ କେତେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପଲିଥିନ୍ ଯୋଗାଇ ଦେଇଛି ।

ବନ୍ୟା ସହାୟତାକୁ ପାଥେୟ କରି ମାଲକାନଗିରିରେ ରାଜନୀତି ସରଗରମ ହୋଇଛି । ଶାସକ ଦଳର ବିଧାୟକ ଲୋକଙ୍କ ପଖାକୁ ଯାଇ ବନ୍ୟା ବିପନ୍ନଙ୍କୁ ଥଇଥାନ କରାଯିବା ନେଇ କହୁଥିବା ବେଳେ ଦୀର୍ଘ ଦିନ ଧରି ମାଲକାନଗିରି ରାଜନୈତିକ ମୈଦାନ ଠାରୁ ଦୂରେଇ ରହିଥିବା ପୁର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିହନ ନିଗମର ଅଧ୍ୟକ୍ଷ ଅରବିନ୍ଦ ଢାଲି ହଠାତ୍ ଲୋକଙ୍କ ପାଖକୁ ଯାଇ ରାଜ୍ୟ ସରକାର ଗୁଣ ଗାନ କରୁଥିବା ଦେଖିବାକୁ ମିଳିଛି ।

publive-image

୨୦୧୯ ନିର୍ବାଚନକୁ ଆଖିରେ ରଖି ଭିନ୍ନ ଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ବନ୍ୟା ମୌକାକୁ ହାତ ଛଡା କରିବାକୁ ଚାହୁଁ ନାହାନ୍ତି । ବିଜେପିର ପରାଜିତ ପ୍ରାର୍ଥୀ ଆଦିତ୍ୟ ମାଢି ଏବେ ହଠାତ ସକ୍ରିୟ ହୋଇ ଘର ଘର ବୁଲୁଛନ୍ତି । ବିଜେପି ପକ୍ଷରୁ ବନ୍ୟା ବିପନ୍ନଙ୍କୁ କମ୍ବଳ, ପଲିଥିନ, କପଡା ଆଦି ଯୋଗାଇ ଦିଆଯାଉଛି । ଏଭଳି ସ୍ଥିତିରେ ବି.ଜେ.ପି ଓ ବି.ଜେ.ଡିର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଛି କଂଗ୍ରେସ । ଚାଷୀ ଓ ବ୍ୟବସାୟୀଙ୍କ ଋଣ ଛାଡ କରିବା ସହ ୧୦୦ କୋଟି ଟଙ୍କାର ପ୍ୟାକେଜ ଦାବି କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

ରାଜନେତାଙ୍କ ଏହି ରାଜନୈତିକ ପେଂଚକୁ ବେଶ ଭଲ ଭାବରେ ବୁଝିଛନ୍ତି ବନ୍ୟା ବିପନ୍ନ । କାରଣ ବନ୍ୟା ସମୟରେ କି ପ୍ରକାର ସହାୟତା ମିଳିଛି, କିଏ ସେମାନଙ୍କ ନିକଟରେ ପହଂଚିଛି, ତାହାର ଜବାବ ଭୋଟ ମାଧ୍ୟମରେ ହିଁ ପାଇବେ ନେତାଏଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe