କନକ ବ୍ୟୁରୋ : ନେତା ମାଗୁଛନ୍ତି ଟଙ୍କା । ଦଶମ ଶ୍ରେଣୀ ଝିଅ ଆତ୍ମହତ୍ୟା କଲା ପରେ ଘଟଣାକୁ ଚପାଇ ଦେବା ପାଇଁ ନେତା ଟଙ୍କା ମାଗିବାର ଭାଇରାଲ ଅଡ଼ିଓ କନକ ନ୍ୟୁଜ ହାତରେ ଲାଗିଛି । ଘଟଣାଟି ମାହାଙ୍ଗା ଅଞ୍ଚଳର । ପ୍ରେମ ବ୍ୟାପାରକୁ ନେଇ ଦଶମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡି, ପାଉଁଶକୁ ନଦୀରେ ଫୋପାଡି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି । ଚର୍ଚ୍ଚା ହେଉଛି ଦଶମ ଶ୍ରେଣୀର ଝିଅ ଓ ସ୍କୁଲ ଶିକ୍ଷକଙ୍କ ଭିତରେ ପ୍ରେମ ସମ୍ପର୍କରୁ ଏଭଳି କାଣ୍ଡ ଘଟିଛି ।
ଆତ୍ମହତ୍ୟା ପାଇଁ ସ୍କୁଲ ଶିକ୍ଷକ ଦାୟୀ ବୋଲି କହି ଘଟଣା ସମ୍ପର୍କରେ ଶିକ୍ଷକଙ୍କ ମାଆଙ୍କ ସହ କଥାବାର୍ତ୍ତାର ଏକ ଅଡ଼ିଓ ଭାଇରାଲ ହେଉଛି । କୁହାଯାଉଛି ଫୋନ୍ରେ କଥା ହେଉଥିବା ବ୍ୟକ୍ତି ମାହାଙ୍ଗା ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ । ଘଟଣାକୁ ଚପାଇ ଦେବା ପାଇଁ ସେ ଶିକ୍ଷକଙ୍କ ମାଆଙ୍କ ଠାରୁ ଟଙ୍କା ମାଗୁଥିବା ଅଡ଼ିଓରୁ ସ୍ପଷ୍ଟ ହେଉଛି । କନକ ନ୍ୟୁଜ୍ ହାତରେ ଲାଗିଛି ନେତାଙ୍କ ଟଙ୍କା ମାଗିବାର ସେହି ଭାଇରାଲ ଅଡିଓ । ତେବେ ଫୋନରେ କଥା ହେଉଥିବା ବ୍ୟକ୍ତି ଶରତ ନାୟକ କି ନୁହେଁ ତାହା ତଦନ୍ତ ପରେ ଜଣାପଡ଼ିବ । ଏସମ୍ପର୍କରେ ମାହାଙ୍ଗା ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।
ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଡିଜିପିଙ୍କୁ ଭେଟି ପୋଲିସ ନିଷ୍କ୍ରିୟତା ନେଇ ଅଭିଯୋଗ କରିଛି ବିଜେପି । ଦୁଇ ମାସ ପୂର୍ବେ ସମ୍ପୃକ୍ତ ଛାତ୍ରୀ ଜଣକଙ୍କର ମୃତ୍ୟୁ ହୋଇଛି, ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଓ କାହିଁକି ପୋଷ୍ଟମର୍ଟମ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ଶବକୁ ପୋଡି ଦେଇ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ହୋଇଛି ଏବଂ ଘଟଣାରେ ପୋଲିସ କୌଣସି ପଦକ୍ଷେପ ନେଇନଥିବା ଦଳ ଅଭିଯୋଗ କରିଛି । ଏହାର ତଦନ୍ତ ହେବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ପ୍ରତିଶ୍ରୁତି ଦେଇଥିବା ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଏହି ପୁରା ଘଟଣାରେ ଶିକ୍ଷକଙ୍କ ମାଆ ଓ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷଙ୍କ ଅଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା । ତାଙ୍କ ଝିଅ ବାତ ରୋଗରେ ଆକ୍ରାନ୍ତ ଥିଲା ଓ ଏଥିପାଇଁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବାପା । ତେବେ ପ୍ରଶ୍ନ ଉଠୁଛି, ଝିଅର ମୃତ୍ୟୁ ହୋଇଥିବା କେମିତି ଜାଣିଲେ ପରିବାର ଲୋକେ? ମୃତ୍ୟୁ ନେଇ କୌଣସି ଡାକ୍ତର ଘୋଷଣା କରିଥିଲେ କି? ଶବ ପୋଡିଦେବା ପରେ ପାଉଁଶକୁ ନଦୀରେ ଫୋପଡା ଯାଇଥିଲା କି? ଏସବୁ ପ୍ରଶ୍ନ ଅସମାହିତ ଥିବା ବେଳେ ମୃତ ଝିଅର ବାପା ଚାପରେ ଥିବା ସନ୍ଦେହ କରାଯାଉଛି ।