ମୁଁ କବିର କହୁଛି… ନେତା ହୋ ! ତମେ କେଉଁଠି ଥିଲ ? ସ୍ତ୍ରୀ ବଞ୍ଚିଥିଲା ବେଳେ ଆସିଲନି, ମଲା ପରେ ଆସି ଲାଭ କଣ ?

849

କନକ ବ୍ୟୁରୋ: ଆପଣଙ୍କ ସାମ୍ନାରେ କବିରଙ୍କ କାହାଣୀର ଦୁଇଟି ଦୃଶ୍ୟ । ଗୋଟିଏ ପତ୍ନୀ ମୃତ୍ୟୁ ପୂର୍ବର ଅନ୍ୟଟି ପତ୍ନୀ ମୃତ୍ୟୁ ପରର । ଗୋଟିଏ ଚିତ୍ରରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ତ୍ରୀକୁ ମେଡିକାଲରେ ପହଞ୍ଚାଇବାକୁ କବିରଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ, ଅନ୍ୟଟିରେ ସହାୟତାର ହାତ ବଢାଇ ବାଃ ବାଃ ନେବାକୁ ନେତାଙ୍କୁ ଉଦ୍ୟମ । ପ୍ରଥମ ଦୃଶ୍ୟରେ ରୋଗୀଣା ସ୍ତ୍ରୀକୁ ଟ୍ରଲିରେ ଟାଣି ନେଉଥିବା କବିରଙ୍କ ପାଖରେ କେହି ନାହାନ୍ତି, ୨ୟ ଦୃଶ୍ୟରେ ସହାନୁଭୂତି, ଅନୁକମ୍ପା ପାଇଁ ଭିଡ ଲଗାଇଛନ୍ତି ମାଳମାଳ ନେତା । କବିର ଭୋଇଙ୍କ ଘରେ ଭିଡ ଓ ପତ୍ନୀ ମୃତ୍ୟୁ ପୂର୍ବର ଏକଲା ଚଲୋ କାହାଣୀରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି କି ଦରକାର ବେଳେ କାହାର ଦେଖା ଦର୍ଶନ ନଥାଏ, କାହା ପାଖେ ସମୟ ନଥାଏ । ହେଲେ କଥା ଚର୍ଚ୍ଚାକୁ ଆସିଲେ ଆପେଆପେ ବଢିଆସେ ସହାୟତାର ହାତ । ହଠାତ ହାଜର ହୁଅନ୍ତି ଜନ ପ୍ରତିନିଧି । ହଁ, ଧନ୍ୟ ହେ ନେତା । ଧନ୍ୟ ତମ ନେତାପଣିଆକୁ ।

୧୦ ଅକ୍ଟୋବର ୨୦୨୦ । ଶନିବାର ଦିନ ମୃତ୍ୟୁ ସହ ମୁକାବିଲା କରୁଥିବା ରୋଗୀଣା ସ୍ତ୍ରୀଙ୍କୁ ନେଇ ପୁରୀରୁ କଟକ ଆସିଥିଲେ କବିର । ଯମ ଯନ୍ତ୍ରଣା ପାଉଥିବା ସ୍ତ୍ରୀଙ୍କୁ ଆଶ୍ୱାସନା ଦେଇ ରାସ୍ତା ଉପରେ ଜୋରରେ କବିର ଟାଣୁଥିଲେ ଜୀବନର ଟ୍ରଲି । ହେଲେ କଟକ ପହଞ୍ଚିବା ବେଳକୁ ସରିଯାଇଥିଲା ସ୍ତ୍ରୀଙ୍କ ଆୟୁଷ । ଦୀର୍ଘ ୭୫ କିଲୋମିଟର ଯାତ୍ରା ପରେ ମେଡିକାଲରେ ଆଖିବୁଜିିଥିଲେ କବିରଙ୍କ ପତ୍ନୀ । ଆଉ କଟକରେ ଦୋହରିଥିଲା କଳାହାଣ୍ଡି ଦାନ ମାଝିର କାହାଣୀ ।

ପତ୍ନୀଙ୍କ ମୃତ୍ୟୁ ପୂର୍ବରୁ କବିରଙ୍କ ପାଖରେ ସିନା କେହି ନଥିଲେ ହେଲେ ମୃତ୍ୟୁ ପରେ ତାଙ୍କ ପାଖରେ ଏବେ ପହଞ୍ଚୁଛନ୍ତି ମାଳମାଳ ନେତା, ବଡ ବଡ ଲୋକ । ସତ୍ୟବାଦୀର ଦାସବିଦ୍ୟାଧରପୁର ଗାଁରେ ଥିବା ତାଙ୍କ ଘରେ ଏବେ ରାଜନେତାଙ୍କ ସୁଅ ଛୁଟୁଛି । ସମସ୍ତେ କିଛି ନା କିଛି ସହାୟତା ଧରି ଆସୁଛନ୍ତି ଆଉ ପୁଳାପୁଳା ପ୍ରତିଶ୍ରୁତି ଦେଉଛନ୍ତି ।

କିଏ ଚାଉଳ ଦେଉଛି, କିଏ ପନିପରିବା ଦେଉଛି ଆଉ କିଏ ଔଷଧ ସହ ନୂଆ ଟ୍ରଲି କିଣି ଚଳିବାକୁ ବିଡା ବିଡା ଟଙ୍କା ଦେଉଛି । ଭତା ନଥିଲେ ଭତା ପାଇଁ ନିର୍ଦ୍ଦେଶ ଦେଉଛନ୍ତି, ଘର ନଥିଲେ ମିଳିଯିବ ବୋଲି କହୁଛନ୍ତି… କବିରଙ୍କ ପାଟିରୁ କଥା ଛଡେଇ ଆଣି ସାହାଯ୍ୟ ହାତରେ ଧରାଇ ଦେଉଛନ୍ତି । କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ବିଧାୟକ ଉମା ସାମନ୍ତରାୟ ଏମିତି ତମାମ ନେତାଙ୍କ ପାଦ ଏବେ କବିରଙ୍କ ଘରେ ପଡୁଛି ।

ହେଲେ କଣ ପାଇଁ ଏତେ ସବୁ ଡ୍ରାମା ? ମୃତ୍ୟୁ ପୂର୍ବରୁ ତ ସହାୟତା ପାଇଁ କାହାରି ଦେଖା ନଥିଲା ଆଉ ମୃତ୍ୟୁ ପରେ କାହିଁକି ଧାଇଁଛନ୍ତି ନେତା ? ପୁରୀରୁ କଟକ ଅସହାୟ ମଣିଷଟେ ଯେତେବେଳେ ଟ୍ରଲିରେ ଟାଣି ଟାଣି ସ୍ତ୍ରୀକୁ ନେଉଛି, ସେତେବେଳେ କଣ ସମସ୍ତେ ଆଖି ବୁଜି ଦେଇଥିଲେ? ଦୀର୍ଘ ୭୫ କିଲୋମିଟର ଭିତରେ ସରକାରଙ୍କ ଅନେକ ଯୋଜନାର ବଡ ବଡ ହୋଡିଂ ତାଙ୍କ ଟ୍ରଲି ଚକ ତଳେ ଚାପି ହୋଇଯାଉଥିଲା । ଆଉ ଯେତେବେଳେ ଶବ ଧରି ଆମ୍ବୁଲାନ୍ସରେ କବିର ଘରକୁ ଫେରୁଥିଲେ ସେତେବଳେ ରାସ୍ତା କଡର ଏ ହୋଡିଂ ଦେଖି ହୁଏତ ସେ ଭାବୁଥିବେ କାହା ପାଇଁ ଏ ସରକାର, କାହା ପାଇଁ ଏ ଯୋଜନା ? ଗଲାବେଳେ ପାଖରେ ମୋ ସ୍ତ୍ରୀ ଥିଲା, ବ୍ୟବସ୍ଥା ନଥିଲା । କିନ୍ତୁ ଏବେ ବ୍ୟବସ୍ଥା ଅଛି ହେଲେ ସ୍ତ୍ରୀ ନାହିଁ…

ତେବେ ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ଏ ବ୍ୟବସ୍ଥା ? ଡହଡହ ଖରାରେ ରାସ୍ତାରେ ଗଲାବେଳେ କଣ କାହାରି ନଜର ପଡିଲାନି? ସେତେବେଳେ କେଉଁଠି ଥିଲେ ଜନ ପ୍ରତିନିଧି? ସରପଞ୍ଚକୁ ଜଣାଇଥିଲେ ବି, ସେ ଅନୁଚିତ ବ୍ୟବହାର ଦେଖାଇଥିଲେ । ଲୋକ ତ ମରିନି ମୁଁ କଣ କରିବି ବୋଲି କହିଥିଲେ । ବିଧାୟକ କହୁଛନ୍ତି କବିର କାହାକୁ ଜଣାଇନଥିଲେ । ବାଃ, ବାଃରେ ନେତା ବାଃ… ମାନିବାକୁ ପଡିବ ତମ ବୟାନକୁ… ଏମିତି ନେତା ସତରେ ଦରକାର ତ ?