ସାଇବର ଠକଙ୍କ ଟାର୍ଗେଟରେ ବଡ ବଡ ନେତା-ଅଫିସର । ଟେର ପାଉନି ପୋଲିସ

Advertisment
ସାଇବର ଠକଙ୍କ ଟାର୍ଗେଟରେ ବଡ ବଡ ନେତା-ଅଫିସର । ଟେର ପାଉନି ପୋଲିସ

ସିଧାସଳଖ ଲୋକଙ୍କୁ ବୋକା ବନାଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିବା ସାଇବର ଠକମାନେ ବଡ଼ବଡ଼ିଆଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ହ୍ୟାକ୍‌ କରିବା ବା କ୍ଲୋନିଂ କରିବା କିଛି ନୂଆ କଥା ନୁହେଁ। ବ୍ୟାଙ୍କ୍‌ ଆକଉଣ୍ଟରେ ଚୁନ ଲଗାଉଥିବା ଟଙ୍କା ବହୁ ସମୟରେ ଫେରିଯାଉଛି। ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପୁଲିସର ତତ୍‌କ୍ଷଣାତ୍ ପଦକ୍ଷେପ ଯୋଗୁଁ ଏହି ଠକାମି ବେଳେବେଳେ କାମ ଦେଉନାହିଁ। କିନ୍ତୁ କ୍ଲୋନିଂ କରୁଥିବା ସାଇବର ଠକଙ୍କୁ ପୁଲିସ ଧରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଠକମାନେ ଏହି ପନ୍ଥାକୁ ଆପଣାଉଥିବା ଦେଖିବାକୁ ମିଳୁଛି। ସପ୍ତାହକ ଭିତରେ ୫ ବିଧାୟକ ଓ ଜଣେ ଆଇପିଏସ୍‌ ଅଧିକାରୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ କ୍ଲୋନିଂ ହୋଇଥିବା ଜଣାପଡ଼ିଛି। ତେବେ ଏହାଦ୍ବାରା କେହି ଠକାମିର ଶିକାର ହୋଇଛନ୍ତି କି ନା, ତାହା ସ୍ପଷ୍ଟ ହୋଇନାହିଁ। ବିଧାୟକମାନେ କ୍ଲୋନିଂ ବାବଦରେ ସୂଚନା ପାଇବା ମାତ୍ରେ ଅସଲ ଆକାଉଣ୍ଟରେ ଏହା ଜଣାଇଥିବାରୁ ଠକାମିର ଶିକାର ହୋଇଥିବା ନେଇ କିଛି ଅଭିଯୋଗ ମିଳି ନାହିଁ।

ସୂଚନାନୁସାରେ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ପରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବୋଲଗଡ଼-ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଆଇପିଏସ୍ ଅଖିଳେଶ୍ବର ସିଂହଙ୍କୁ ସାଇବର ଠକମାନେ ଟାର୍ଗେଟ୍ କରିଛନ୍ତି। ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଫେସ୍‌ବୁକ୍ ଆକାଉଣ୍ଟ ମଧ୍ୟ କ୍ଲୋନିଂ କରାଯାଇଥିଲା। ୪ ଦିନ ତଳେ ବିଧାୟକ ରମେଶ ସାଏଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍ କ୍ଲୋନିଂ ହୋଇଥିଲା। ସାଇବର ଠକ ଉକ୍ତ ଆକାଉଣ୍ଟ୍‌କୁ ବିଧାୟକଙ୍କ ଆନୁଗତ୍ୟ ଓ କିଛି ସମ୍ପର୍କୀୟଙ୍କୁ ଅସୁବିଧାରେ ପଡ଼ିଛି କହି ୧୪ ହଜାର ଟଙ୍କା ମାଗିଥିଲା। ଖୁବ୍ ଶୀଘ୍ର ଟଙ୍କା ଫେରସ୍ତ କରିବାକୁ କହିଥିଲା। ଜଣେ ସମ୍ପର୍କୀୟ ଏହା ଜାଣିବା ପରେ ତୁରନ୍ତ ବିଧାୟକ ଶ୍ରୀ ସାଏଙ୍କୁ ଜଣାଇଥିଲେ। ତେଣୁ ବିଧାୟକ ଶ୍ରୀ ସାଏ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ତୁରନ୍ତ ତାଙ୍କ ଅସଲ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି କ୍ଲୋନିଂ କଥା ଜଣାଇଥିଲେ। ସମାନ ଢଙ୍ଗରେ ବୋଲଗଡ଼ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଫେସବୁକ୍ ଆକାଉଣ୍ଟ୍ ନକଲ କରି ଠକ ଜଣଙ୍କୁ ୪ହଜାର ଟଙ୍କ ଧାର ମାଗିଥିଲା ଓ ୨ଘଣ୍ଟାରେ ଫେରସ୍ତ କରିବ ବୋଲି କହିଥିଲା। ମାତ୍ର ଉକ୍ତ ବ୍ୟକ୍ତି ସିଧାସଳଖ ବିଧାୟକ ଶ୍ରୀ ସାହୁଙ୍କୁ ଫୋନ୍‌ କରିବା ପରେ କଥା ଜଣାପଡ଼ିଥିଲା। ଏମିତି ଘଟିଛି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ କ୍ଷେତ୍ରରେ। ସେହିଭଳି ଆଇପିଏସ୍ ଅଖିଳେଶ୍ବର ସିଂହଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲା ସାଇବର ଠକ। ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍ କ୍ଲୋନିଂ କରିଥିଲା।

ଏନେଇ ସାଇବର ବିଶେଷଜ୍ଞ କହିଛନ୍ତି ଯେ ଭୋଟର ଆଇକାର୍ଡ, ଆଧାର କାର୍ଡ ଭଳି ନକଲି ପରିଚୟ ତିଆରି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ଫେସ୍‌ବୁକ୍ ଆକାଉଣ୍ଟ୍ କ୍ଲୋନିଂ କରୁଥିବା ଠକଙ୍କୁ ପୁଲିସ ଠାବ କରିପାରୁନାହିଁ। ଆଇଟି ଆକ୍ଟକୁ ପରିବର୍ତ୍ତନ କରାଯାଇ ସାଇବର ଅପରାଧକୁ ଗୁରୁତ୍ବର ସହ ନେଲେ, ଏହି ଧରଣର ଠକେଇ ନିୟନ୍ତ୍ରଣ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe