ରାଜନେତାଙ୍କ ‘ରସଗୋଲା ରାଜନୀତି’ ! ଜିଆଇ ଟ୍ୟାଗ୍ ପରେ ଜନ୍ମସ୍ଥାନ ନେଇ ସୁର-ପ୍ରଦୀପ୍ତଙ୍କ ମଧ୍ୟରେ ଟଣାଓଟରା

ରସଗୋଲା କାହାର ? କଳାହାଣ୍ଡିର ନା ପୁରୀର...?

302

କନକ ବ୍ୟୁରୋ: ମିଠା ଲଢେଇରେ ଓଡିଶା ଜିତିଲା । ଓଡିଶା-ପଶ୍ଚିମବଙ୍ଗ ରସଗୋଲା ଯୁଦ୍ଧରେ ଜିତିଲା ଓଡିଶା । ଦୀର୍ଘ ଦିନ ଧରି ଓଡିଶାର ରସଗୋଲାକୁ ପଶ୍ଚିମବଙ୍ଗ ନିଜର ବୋଲି ଦାବି କରି ଆସୁଥିବା ବେଳେ ଆଜି ବେଙ୍ଗଲକୁ ବଡ ଧକ୍କା ଦେଇଛନ୍ତି କେନ୍ଦ୍ର ସରକାର । ଓଡିଶାର ରସଗୋଲାକୁ ମିଳିଛି ନୂଆ ପରିଚୟ । ରସଗୋଲାକୁ ଭୌଗୋଳିକ ପରିଚୟ ବା ଜିଆଇ ଟ୍ୟାଗ ମିଳିଛି । ଆଉ ମାନ୍ୟତା ମିଳିବା ପରେ ରସଗୋଲା ଓଡିଶାର ବୋଲି ପ୍ରମାଣିତ ହୋଇଛି ।


ତେବେ ଓଡିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଓଡିଶାକୁ ଛୁଟିଛି ଶୁଭେଚ୍ଛାର ସୁଅ । ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡିଆ ସୋସିଆଲ ମିଡିଆରେ ଓଡିଶାକୁ ଶୁଭେଚ୍ଛା ଜଣାଇଛନ୍ତି ।


ମାତ୍ର ଏପଟେ ମାନ୍ୟତା ମିଳିବା ପରେ ରସଗୋଲାକୁ ନେଇ ଆରମ୍ଭ ହୋଇଛି ଟଣାଓଟରା । ୨ ରାଜନୈତିକ ଦଳର ଦୁଇ ହେଭିୱେଟ ରସଗୋଲାକୁ ନେଇ ଆରମ୍ଭ କରିଛନ୍ତି ରାଜନୀତି । ରସଗୋଲାର ଜନ୍ମସ୍ଥାନ ନେଇ ୨ ନେତା ଭିନ୍ନ ଭିନ୍ନ ମତ ରଖିଛନ୍ତି ।
କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ରସଗୋଲା ପୁରୀର ବୋଲି କହିଛନ୍ତି । ପୁରୀ ସହର ରସଗୋଲାର ଉତ୍ପତ୍ତିସ୍ଥଳ । ପ୍ରଭୁ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୁଏ । ମାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବାକୁ ମହାପ୍ରଭୁ ରସଗୋଲା ଖୁଆନ୍ତି । ତେଣୁ ରସଗୋଲା ପୁରୀର ବୋଲି ସୁର ଦାବି କରିଛନ୍ତି ।


ସେପଟେ ରସଗୋଲା କଳାହାଣ୍ଡିର ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପୁରାଣରେ ରସଗୋଲା କଥା ରହିଛି । ତେବେ ରସଗୋଲା କଲିକତାର ନୁହେଁ କଳାହାଣ୍ଡିର ବୋଲି ପ୍ରଦୀପ୍ତ ପ୍ରତିକ୍ରିୟା ଦେଲା ବେଳେ କହିଛନ୍ତି । ଓଡିଶାରେ ଭିନ୍ନ ଭିନ୍ନ ଜିଲ୍ଲା ଭିନ୍ନ ଭିନ୍ନ ଜିନିଷ ପାଇଁ ପ୍ରସିଦ୍ଧ । ମୁଢି ମାଂସ କଥା ଉଠିଲେ ମୟୂରଭଞ୍ଜ କଥା ଉଠେ । ବାସି ପଖାଳ କଥା ଉଠିଲେ କଳାହାଣ୍ଡି କଥା ଉଠେ ବୋଲି ପ୍ରଦୀପ୍ତ କହିଛନ୍ତି । ଓଡିଶାର ସବୁ ଜିନିଷକୁ ବେଙ୍ଗଲ ଦାବି କରୁଛି । କଟକରେ ସୁବାଷ ବୋଷ ଜନ୍ମ ହୋଇଥିଲେ ବି କଲିକତା ଦାବି କରୁଛି କହି ପ୍ରଦୀପ୍ତ ପଶ୍ଚିମବଙ୍ଗକୁ ସମାଲୋଚନା କରିଥିଲେ ।


ତେବେ ଜିଆଇ ଟ୍ୟାଗ ମିଳିବା ପରେ ୨ ନେତାଙ୍କ ଯୁଦ୍ଧ ଆଉ ରାଜନେତାଙ୍କ ‘ରସଗୋଲା ରାଜନୀତି’ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପଶ୍ଚିମବଙ୍ଗକୁ ପରାସ୍ତ କରି ଓଡିଶା ବିଜୟ ଉତ୍ସବ ପାଳୁଥିବା ବେଳେ ରାଜନେତାଙ୍କ ବୟାନବାଜି ଓ ଶ୍ରେୟ ନେବାର ମାନସିକତା ପୁଣି ଏକ ନୂଆ ବିତର୍କକୁ ସାମ୍ନାକୁ ଆଣିଛି ।