କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ମତଦାନରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ବିହାରର ନିର୍ବାଚନ ହିଂସାକୁ ମନେ ପକାଇ ଦେଇଛି । ଭୋଟ ବେଳେ ସମର୍ଥକଙ୍କ ମଧ୍ୟରେ ଠେଙ୍ଗା ବାଡିରେ ମାରପିଟରୁ ବୋମା ମାଡ ଯାଏଁ କଥା ଯାଇଛି । ଆଉ ହିଂସାକାଣ୍ଡ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ପରସ୍ପରକୁ ଦୋଷ ଦେଉଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ଏପରି ଦୃଶ୍ୟ ଆସୁଛି, ଯାହାକୁ ଦେଖିଲେ ଲାଗୁଛି ଓଡ଼ିଶା ନୁହେଁ ବିହାରରେ ନିର୍ବାଚନ ହେଉଛି । ଗାଁ ଦାଣ୍ଡରେ ରକ୍ତ ଝରୁଛି । ଠେଙ୍ଗା ବାଡିଠାରୁ ଆରମ୍ଭ କରି ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ ପ୍ରତି-ଆକ୍ରମଣ ପାଇଁ ପଛାଉ ନାହାନ୍ତି ଲୋକେ । କେବଳ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିନି, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏପରି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସୁଛି ।

Advertisment

ଗାଁ ଦାଣ୍ଡରେ ରକ୍ତ ଚରିତ୍ର...କିଏ କରୁଛି ହିଂସାକାଣ୍ଡ ? ପଞ୍ଚାୟତ ନିର୍ବାଚନରେ କର୍ମୀ ରକ୍ତମୁଖା ହେଉଥିବା ବେଳେ ନେତା କିନ୍ତୁ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିଜେଡି କହୁଛି ବିଜେପି ହିଂସା ଘଟାଉଛି, ବିଜେପି ଦୋଷ ଦେଉଛି ବିଜେଡିକୁ । ନିର୍ବାଚନରେ ଅର୍ଥବଳ, ବାହୁବଳର ଅଭିଯୋଗ ଆଣିଛି କଂଗ୍ରେସ । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଅନେକ ସ୍ଥାନରେ ହିଂସା ଏପରି ରୂପ ନେଉଛି, ସାଧାରଣ ଲୋକ ବୁଥକୁ ଯାଇ ଭୋଟ ଦେବାକୁ ଭୟ କରୁଛନ୍ତି ।

ପୁରୀ କଣାସ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡରେ ଅନେକ ଆହତ ହୋଇଛନ୍ତି । ସାମ୍ବାଦିକଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ ଜଣଙ୍କୁ ଗିରଫ କରିଛି । କୃଷ୍ଣପ୍ରସାଦ, କଣାସ, ବ୍ରହ୍ମଗିରି ବ୍ଳକର ୫ଟି ସ୍ଥାନରେ ବ୍ୟାପକ ଗଣ୍ଡଗୋଳ ହେବାରୁ ୫ଟି ସ୍ଥାନରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କୁ ଆବେଦନ କରିଛି ଜିଲ୍ଲା ପ୍ରଶାସନ ।

ପଞ୍ଚାୟତ ନିର୍ବାଚନରେ ହିଂସା ଉଗ୍ରରୂପ ନେଉଥିବା ବେଳେ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିକୁ ଡକାଇ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର । ଆସନ୍ତା ୪ଟି ପର୍ଯ୍ୟାୟ ମତଦାନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ଯେତେବେଳେ ଗାଁ ଗଣ୍ଡାରେ ନିର୍ବାଚନକୁ ନେଇ ପରସ୍ପରର ଭିତରେ ଶତ୍ରୁତା ବଢ଼ୁଛି, ଠିକ ସେତିକି ବେଳେ ରାଜନୀତିର ରୋଚକ ଚିତ୍ର ମନକୁ ଆସୁଛି । ଗୋଟିଏ ଫ୍ରେମରେ ବସିଛନ୍ତି ପରସ୍ପରର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ଓ ଭିନ୍ନ ଆଭିମୁଖ୍ୟ ରଖୁଥିବା ଶୀର୍ଷର ସ୍ତରର ନେତା । ଏଠି ତିକ୍ତତା ନାହିଁ, ବଂର ରହିଛି ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ । ହେଲେ ଗାଁ ଗଣ୍ଡାର ସେହି ସମାନ ଦଳର କର୍ମୀ, ପୁରୁଣା ସମ୍ପର୍କକୁ ଭୁଲି ପରସ୍ପରର ରକ୍ତ ବୁହାଇବାକୁ ପଛାଉନାହାନ୍ତି । ବିଚାର କରନ୍ତୁ, ଏହି ଶତ୍ରୁତାରୁ ଆପଣ କ’ଣ ପାଉଛନ୍ତି ।