ରାଜସ୍ଥାନରେ ବଜାୟ ରହିବ ପରମ୍ପରା! ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ପଛରେ ପଡିଲା ‘ହାତ’ । 

107

କନକ ବ୍ୟୁରୋ: ରାଜସ୍ଥାନରେ କିଏ ଗଢିବ ସରକାର? କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ? ରାଜସ୍ଥାନର ପୁଣି ବଜାୟ ରହିବ ପଟ୍ଟ ପରିବର୍ତ୍ତନ ପରମ୍ପରା । ଏସବୁ ଚର୍ଚ୍ଚା ଭିତରେ ଏବେ ଆସୁଛି ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ । ଟ୍ରେଣ୍ଡ ଅନୁସାରେ ବିଜେପି ଏଠି କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଶାସକ କଂଗ୍ରେସ ପଛରେ ପଡିଯାଇଛି । ଦିନ ସାଢେ ୧୦ଟା ସୁଦ୍ଧା ରାଜସ୍ଥାନରେ ବିଜେପି ୧୨୦ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୬୬ ଆସନରେ ଆଗୁଆ ରହିଛି ।

କାହିଁକି ପଛରେ ପଡିଲା କଂଗ୍ରେସ?

ରାଜସ୍ଥାନ ରାଜନୀତିରେ କଂଗ୍ରେସକୁ ଭାରିପଡିବାକୁ ଯାଉଛି ଗୋଷ୍ଠୀ କନ୍ଦଳ । କ୍ଷମତା ଅକ୍ତିଆର କରିବାକୁ ନେଇ ଅଧିକାଂଶ ସମୟରେ ରାଜସ୍ଥାନରୁ କଂଗ୍ରେସ ନେତାଙ୍କ ଗୋଷ୍ଠୀ କନ୍ଦଳର ଖବର ସାମ୍ନାକୁ ଆସେ । ଏହି ଗୋଷ୍ଠୀ କନ୍ଦଳର ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥିବାବେଳେ, ଅନ୍ୟପଟେ ରହିଥିଲେ ସଚିନ ପାଇଲଟ । ତେବେ ରାଜସ୍ଥାନର ଏହି ଦୁଇ ବଡ ନେତାଙ୍କ ଭିତରେ ଥିବା ଶୀତଳ ଯୁଦ୍ଧର ପରିଣାମ ଦଳ ଉପରେ ପଡିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏଥର ନିର୍ବାଚନରେ ମୋଦୀ ବନାମ ଗେହଲଟ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଭାରି ପଡିଥିବା କୁହାଯାଉଛି । ଗେହଲଟଙ୍କ ଲୋକପ୍ରିୟତାକୁ ପଛରେ ପକାଇ ରାଜସ୍ଥାନରେ ଏଥର ମୋଦୀ ମ୍ୟାଜିକ୍ କମାଲ କରିଥିବା ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି । ତେବେ ଏଥର ରାଜସ୍ଥାନରେ ଜୋରଦାର ପ୍ରଚାର ଅଭିଯାନ ଚଳାଇଥିଲେ ପିଏମ୍ ମୋଦୀ । ଯାହାର ଫଳସ୍ୱରୂପ ରାଜସ୍ଥାନରେ ପୁଣିଥରେ ପଦ୍ମ ଫୁଟିବାକୁ ଯାଉଛି ବୋଲି କୁହାଯାଉଛି ।

ରାଜସ୍ଥାନରେ ପଟ୍ଟ ପରିବର୍ତ୍ତନ ପରମ୍ପରା

ରାଜସ୍ଥାନର ରାଜନୀତିକୁ ପାଖରୁ ଦେଖିଲେ ଜଣାପଡେ ଯେ, ଏଠାରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନର ପରମ୍ପରା ରହିଆସିଛି । ଲଗାତାର ଏଠାରେ ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିଥାଏ । ତେଣୁ ୫ ବର୍ଷର କଂଗ୍ରେସ ସରକାର ପରେ ଏଠାରେ ପୁଣିଥରେ ବିଜେପି କ୍ଷମତାକୁ ଫେରୁଥିବା ଦେଖାଯାଉଛି ।