କନକ ବ୍ୟୁରୋ: ପଞ୍ଚାୟତ ପାଇଁ ନାମାଙ୍କନ ସରିବା ପରେ ବିଭିନ୍ନ ଦଳ ଏବେ ଭୋଟରଙ୍କ ହୃଦୟ ଜିତିବାକୁ ଗୋଟିଚାଳନା ଚଳାଇଛନ୍ତି । କିଏ କେମିତି ଏବଂ କେଉଁ ପ୍ରସଙ୍ଗକୁ ନେଇ ଜନତା ଜନାର୍ଦ୍ଦନଙ୍କ ମନଜିଣିବ ଏନେଇ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବାବେଳେ ସକ୍ରିୟ ହୋଇଛନ୍ତି ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ । ଗତକାଲି ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କୁ ପଂଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ । ଭର୍ଚୁଆଲ ଜରିଆରେ ଉଦବୋଧନ ଦେଇ ନବୀନ କହିଥିଲେ, ବିରୋଧୀଙ୍କ ମିଛ ପ୍ରଚାରର ଜବାବ ଦିଅ । ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଂଚାଅ । ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।
ସବୁଠାରୁ ବଡ଼କଥା ହେଲା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଏକ ନୂଆ ଆଶା ଆଣିଦେଇଛି । କାରଣ ଏହି କଠିନ କୋଭିଡ ମହାମାରୀ ସମୟରେ ମହିଳାମାନଙ୍କୁ ମିଶନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦ହଜାର କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ଆପଣଙ୍କ ବିଜେଡି ସରକାର ଦେଇଛି । ଖାଲି ଏତିକି ନୁହେଁ ଲକ୍ଷଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦ହଜାର ଟଙ୍କା କାଳିଆ ଯୋଜନାରେ ସହାୟତା ଦିଆଯାଇଛି । ରାସନ୍ କାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପମାନ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କ ପାଇଁ ବାଟ ଦେଖାଇଛି ।
ତେବେ ନିର୍ବାଚନ ଆସିଲେ ବିରୋଧୀଙ୍କ ପାଖରେ ଅସ୍ତ୍ର ନଥାଏ । ସେଥିପାଇଁ ବିରୋଧୀ ସରକାରଙ୍କ ବିରୋଧରେ ମିଛ ପ୍ରଚାର କରିଥାନ୍ତି । ହେଲେ ବରୋଧୀଙ୍କ ଅପପ୍ରଚାରକୁ ଲୋକେ ଗ୍ରହଣ କରିବେ ନାହିଁ । ବିଗତ ଦିନରେ ମଧ୍ୟ ଲୋକେ ଗ୍ରହଣ କରିନାହାନ୍ତି । ଲୋକଙ୍କ ସହିତ ବିଜୁ ଜନତା ଦଳ ରହିଛି ଏବଂ ଲଗାତର ସଫଳତା ହାସଲ କରୁଛି । ତେଣୁ ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ବିଜୁ ଜନତା ଦଳର କର୍ମୀମାନେ ଅପପ୍ରଚାରକୁ ରୋକିବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେଡି ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/12-32.jpg)