ରାଜ୍ୟ ରାଜନୀତିକୁ ଉଷୁମ କଲା ଇଣ୍ଡିଆ ଟୁଡେର ସର୍ଭେ । ରିପୋର୍ଟ କହିଲା, ରାଜ୍ୟରେ ଅକ୍ଷୁର୍ଣ୍ଣ ରହିଛି ନବୀନଙ୍କ ଲୋକପ୍ରିୟତା, ହେଲେ ଦିଲ୍ଲୀଗାଦି ପାଇଁ ମୋଦୀ ହିଁ ପ୍ରଥମ ପସନ୍ଦ

49

କନକ ବ୍ୟୁରୋ: ରାଜ୍ୟରେ ଅତୁଟ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ୫୯ ପ୍ରତିଶତ ଓଡିଶାବାସୀ ଚାହୁଁଛନ୍ତି, ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ , ନବୀନ । ସେହିପରି ୫୪ ପ୍ରତିଶତ, ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କିଛି ଏଭଳି ତଥ୍ୟ ଦେଇଛି ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।

୨୦୧୯ ସାଧାରଣ ନିର୍ବାଚନ ନେଇ ଅବଗଣନା ଆରମ୍ଭ ହୋଇଯାଇଥିବା ବେଳେ ଆସିଛି ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସଚେଂଜର ସର୍ଭେ ରିପୋର୍ଟ । ସର୍ଭେ ରିପୋର୍ଟ କହୁଛି ଓଡ଼ିଶାର ୫୯ ପ୍ରତିଶତ ଭୋଟର ଚାହୁଁଛନ୍ତି ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନବୀନ । ଅର୍ଥାତ୍ ୪ ଥର କ୍ରମାଗତ ୪ ଥର ମୁଖ୍ୟମନ୍ତ୍ରୀ ରହିଥିବା ସତ୍ୱେ ରାଜ୍ୟରେ ଅକ୍ଷୁର୍ଣ୍ଣ ରହିଛି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ଆଉ ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୧ ପ୍ରତିଶତ ଲୋକ ଧର୍ମେନ୍ଦ୍ରଙ୍କ ସପକ୍ଷରେ ମତ ଦେଇଛନ୍ତି ।

ଟେଲିଫୋନ ଜରିଆରେ ୨୧ଟି ସଂସଦୀୟ କ୍ଷେତ୍ରର ୮ ହଜାର ୨ଶହ ୩୨ ଜଣଙ୍କ ମତାମତ ନିଆଯାଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସର୍ଭେରେ ସାମିଲ ହୋଇଥିବା ୫୧% ଭୋଟର ପାନୀୟ ଜଳ ସଂକଟକୁ ମୁଖ୍ୟ ପ୍ରସଙ୍ଗ କହିଛନ୍ତି । ସେହିପରି ୩୫% ଲୋକ କୃଷି ସମସ୍ୟା, ୩୧% ଲୋକ ସ୍ୱାସ୍ଥ୍ୟ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତି । ୨୨% ଲୋକଙ୍କ ମତରେ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ବିଫଳ ହୋଇଛନ୍ତି ସରକାର । ତେବେ ୪୪ ପ୍ରତିଶତ ଲୋକ ନବୀନ ସରକାରଙ୍କ ସଫଳତାକୁ ନେଇ ସନ୍ତୁଷ୍ଟ ରହିଥିବା ବେଳେ ମାତ୍ର ୧୯ ପ୍ରତିଶତ ଲୋକ ସରକାରଙ୍କ ସଫଳତାକୁ ନେଇ ଅସନ୍ତୁଷ୍ଟ ରହିଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ଓଡିଶାରେ ନବୀନଙ୍କ ସ୍ଥିତି ସୁଦୃଢ ଥିଲେ ବି ମୋଦୀଙ୍କ ପ୍ରତି ବିପୁଳ ସମର୍ଥନ ରହିଥିବା ଜଣାପଡୁଛି । କାରଣ ସର୍ଭେରେ ୫୪ ପ୍ରତିଶତ ଭୋଟର ଚାହାଁନ୍ତି ପ୍ରଧାନମନ୍ତ୍ରୀ ହୁଅନ୍ତୁ ନରେନ୍ଦ୍ର ମୋଦୀ । କେବଳ ୧୨ ପ୍ରତିଶତ ଲୋକ ହିଁ ମୋଦୀ ସରକାରଙ୍କ କାମରେ ଅସନ୍ତୋଷ ପ୍ରକାଶ କରିଥିବା କହିଛି ଇଣ୍ଡିଆ ଟୁଡେର ସର୍ଭେ ।