ପାଣ୍ଡିଆନଙ୍କ ପାଇଁ ମହଙ୍ଗା ପଡିଲା ହେଲିକପ୍ଟର ବୁଲା । ବେଆଇନ ଭାବେ ବୁଲିଥିବାରୁ ଖର୍ଚ୍ଚର ହେବ ଖୋଳତାଡ

ପାଣ୍ଡିଆନଙ୍କ ପାଇଁ ମହଙ୍ଗା ପଡିଲା ହେଲିକପ୍ଟର ବୁଲା । ବେଆଇନ ଭାବେ ବୁଲିଥିବାରୁ ଖର୍ଚ୍ଚର ହେବ ଖୋଳତାଡ

କନକ ବ୍ୟୁରୋ: ଭି.କେ.ପାଣ୍ଡିଆନଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ହେଲିକପ୍ଟରରେ ଘିରି ଘରି ହୋଇ ଉଡିବୁଲିବା ପାଣ୍ଡିଆନଙ୍କ ପାଇଁ ମହଙ୍ଗା ପଡିବାକୁ ଯାଉଛି । ଗସ୍ତ ଖର୍ଚ୍ଚର ତଦନ୍ତ ଚାଲିଛି ବୋଲି ପରିବହନ ମନ୍ତ୍ରୀ କହିବାର ଦିନକ ପରେ, ଦଣ୍ଡବିଧାନ ନେଇ ଆଇନ ମନ୍ତ୍ରୀ ସଙ୍କେତ ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

  • ପାଣ୍ଡିଆନଙ୍କ ବିରୋଧରେ ହେବ ଦଣ୍ଡବିଧାନ
  • ଆଇନ ଜାଲରେ ଛନ୍ଦିବେ ମୋହନ ସରକାର
  • ବିଜେଡି ପାଇଁ ବଢ଼ିପାରେ ଅଡୁଆ

କ୍ଷମତାର ଦୂରୁପଯୋଗ କରି ହେଲିକପ୍ଟରରେ ଘୁରି ବୁଲିବା, ତାଙ୍କୁ ମହଙ୍ଗା ପଡିପାରେ ଏକଥା ହୁଏତ ପାଣ୍ଡିଆନ କେବେ ଭାବି ନଥିଲେ। ବିଜେଡି ଶାସନରେ ଅଖଣ୍ଡ କ୍ଷମତା ଉପଭୋଗ କରୁଥିବା ଏହି ବାବୁ ନିଜ ଜାଲରେ ନିଜେ ଫସିବାକୁ ଯାଉଛନ୍ତି। ସେ ନିୟମ ନମାନି ହେଲିକପ୍ଟର ବ୍ୟବହାର କରି କୋଟି କୋଟି ଟଙ୍କା ଉଡାଇଥିବାରୁ ତାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ଆଇନ ବିଭାଗ।

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବାରେ ଯେତିକି ଖର୍ଚ୍ଚ ହୋଇଥିଲା, ତା ଠାରୁ ବହୁ ଗୁଣରେ ଅଧିକ ଖର୍ଚ୍ଚ ହୋଇଥିଲା ହେଲିପ୍ୟାଡ ନିର୍ମାଣ, ସଭା-ସମିତି ଆୟୋଜନ ଓ ଲୋକଙ୍କୁ ସଭାସ୍ଥଳକୁ ଆଣିବାରେ। ତେଣୁ ଏତେ ଟଙ୍କା କାହା ନିର୍ଦ୍ଦେଶରେ ଖର୍ଚ୍ଚ ହେଉଥିଲା? କିଏ ଖର୍ଚ୍ଚ କରୁଥିଲା ? ତାର ମଧ୍ୟ ବିଜେପି ସରକାର ତଦନ୍ତ କରିବ। ତେବେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ନେତା।

ସୂଚନାଯୋଗ୍ୟ ଯେ, ପାଣ୍ଡିଆନ ପାଖାପାଖି ୪୦୦ରୁ ୪୫୦ ଜାଗା ବୁଲିଛନ୍ତି। ଚାଟାର୍ଡ ଫ୍ଲାଇଟରେ ୯-୧୦ ଥର ଓ ହେଲିକପ୍ଟରକୁ ବ୍ୟକ୍ତିଗତ ଭାବେ ୨-୩ଥର ବ୍ୟବହାର କରିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ୫ ବର୍ଷ ଭିତରେ ଚାଟାର୍ଡ ଫ୍ଲାଇଟରେ ୫୦ କୋଟି ୯୫ ଲକ୍ଷ ଖର୍ଚ୍ଚ କରିଛନ୍ତି। ହେଲିକପ୍ଟରରେ ୫୨ କୋଟି ୧୮ ଲକ୍ଷ ଖର୍ଚ୍ଚ କରିଛନ୍ତି। ଯାହାକି ଆହୁରି ବହୁତ ଅଧିକ ହୋଇପାରେ। ଏଥିସହ ହେଲିପ୍ୟାଡ ନିର୍ମାଣ ପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି? ସଭା ସମିତି ପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ? ତାର ହିସାବ ମିଳୁନାହିଁ। ହିସାବ ମିଳିଲେ ତତ୍କାଳୀନ ସରକାରର ମୁଖିଆ ମଧ୍ୟ ଅଡୁଆରେ ପଡି ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe