କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗାଁ ଗହଳିରେ ରାଜନୀତି ମାହୋଲ ଉଷ୍ମ ହୋଇଛି । ନିର୍ବାଚନୀ ଚିହ୍ନ ମିଳିବା ପରେ ଏବେ ଜୋରଦାର ଚାଲିଛି ପ୍ରଚାର ଅଭିଯାନ । କରୋନା ପାଇଁ ପ୍ରଚାର ଉପରେ କିଛିଟା କଟକଣା ରହିଥିବା ବେଳେ ଏବେ ସୋସିଆଲ ମିଡ଼ିଆ ସାଜିଛି କ୍ୟାମ୍ପେନିଂର ବଡ ମାଧ୍ୟମ । ଆଉ ପ୍ରାର୍ଥୀ ମଧ୍ୟ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ଦଳୀୟ ନେତାଙ୍କ ପାଇଁ ଜିଲ୍ଲା ପରିଷଦ ଆସନ ହାତେଇବା ଏଥର ବେଶ ଗୁରୁତ୍ୱ ବହନ କରୁଛି । କିନ୍ତୁ ଏହାଭିତରେ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଅକ୍ତିିଆର କରିବା ପାଇଁ ଅଙ୍କକଷା ଜାରି ରହିଛି । କିଛି ଏଭଳି ସମୀକରଣ ଏବେ ପଟ୍ଟାମୁଣ୍ଡାଇ ରାଜନୀତିରେ ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ରାଜନୀତି ଏଥିପାଇଁ ରୋଚକ ହୋଇଛି କାରଣ ଚଳିତଥର ଏଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ବାଛୁଥିବା ସମିତି ସଭ୍ୟ ମାନେ କୌଣସି ରାଜନୈତିକ ଦଳରୁ ଲଢୁନଥିଲେ ମଧ୍ୟ ଏମାନଙ୍କ ପଛରେ ରାଜନୈତିକ ଦଳର ସମର୍ଥନ ରହିଥାଏ, ଏକଥା କାହାକୁ ଅଛପା ନାହିଁ । ଆଉ ଚଳିତ ଥର ପଟ୍ଟାମୁଣ୍ଡାଇରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ ଥିବାରୁ ଏବେ ସବୁ ଦଳର ଫୋକସରେ ରହିଛି । ତେବେ ଏହି ପଦ ହାତେଇବା ୩ ଦଳ ପାଇଁ ଏତେ ସହଜ ହେବନି । କାରଣ ପ୍ରତି ଦଳର ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି । ଯାହାକୁ ପ୍ରତିହତ କରିବା ଏତେଟା ସହଜ ନୁହେଁ ।
ଗତ ୩ଟି ନିର୍ବାଚନରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା । ତେଣୁ ସ୍ୱାଭାବିକ ଭାବେ ଏଥର ମଧ୍ୟ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେଡି କ୍ୟାମ୍ପ । ପଟ୍ଟାମୁଣ୍ଡାଇ ବ୍ଲକଟି ଦୁଇଟି ବିଧାନସଭା ଅଧୀନରେ ଆସୁଥିବାରୁ ଏହା ସ୍ଥାନୀୟ ରାଜନୀତିକୁ ରୋଚକ କରିଛି । ମୋଟ ୩୧ଟି ପଞ୍ଚାୟତ ମଧ୍ୟରୁ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ ୧୨ଟି ରାଜନଗର ନିର୍ବାଚନମଣ୍ଡଳୀରେ ୧୯ଟି ପଞ୍ଚାୟତ ରହିଛି । ଉଭୟ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ରହିଥିଲେ ମଧ୍ୟ ଏଠାରେ ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ଅନ୍ତଃକନ୍ଦଳ । ଦଳୀୟ ଚିହ୍ନରେ ଲଢାଯାଉନଥିଲେ ମଧ୍ୟ ଦଳୀୟ ସମର୍ଥନ ପାଇବାକୁ ସମିତି ସଭ୍ୟଙ୍କ ମଧ୍ୟରେ ଏବେ ବି ଛକାପଞ୍ଝା ଜାରି ରହିଛି । ତେଣୁ ବିଭିନ୍ନ ଆସନରେ ଦଳୀୟ ସଙ୍ଗଠନ ଦୁଇ ଭାଗ ହୋଇଥିବା ଚର୍ଚ୍ଚା ହେଉଛି । ଗୋଷ୍ଠୀ କନ୍ଦଳ ହିଁ ଏଠାରେ ବିଜେଡି ରାଜନୀତିକୁ ଗୋଳମାଳିଆ କରିଛି । ଆଉ ଏହା ହିଁ ଦଳ ପାଇଁ ବୁମେରାଂ ହୋଇପାରେ । ଏହାଛଡା ଜଣେ ପୂର୍ବତନ ବିଧାୟକ ମଧ୍ୟ ବିଜେଡି କ୍ୟାମ୍ପ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା କୁହାଯାଉଛି । ବିଦ୍ରୋହୀ ପ୍ରାର୍ଥୀଙ୍କୁ ପ୍ରଚ୍ଛଦପଟରେ ସମର୍ଥନ ଦେଇ ପୂର୍ବତନ ବିଧାୟକ ବିଜେଡିକୁ ବ୍ୟାକଫୁଟକୁ ଠେଲୁଥିବା ଚର୍ଚ୍ଚା ହେଉଛି । ଆଉ ଏଥିରେ ଅନେକ ପୁରୁଖା ନେତା ପୂର୍ବତନ ବିଧାୟକଙ୍କ ସହଯୋଗୀ ସାଜିଥିବା କୁହାଯାଉଛି । ଯାହା ଏବେ ଦଳର ପୂର୍ବ ସଫଳତା ଦୋହରାଇବା ପଥରେ ବଡ ବାଧକ ହୋଇ ଛିଡା ହୋଇଥିବା ଶୁଣିବାକୁ ମିଳୁଛି ।
ସେହିଭଳି ପଟ୍ଟାମୁଣ୍ଡାଇ ରାଜନୀତିରେ ଶାସକ ଦଳର ପ୍ରତିଦ୍ୱନ୍ଦୀ ସାଜି ଉଭା ହୋଇଛି କଂଗ୍ରେସ । ଦଳ ଏଠାରେ ନମ୍ବର-୨ ସ୍ଥାନରେ ଥିବା ବେଳେ ପାରମ୍ପରିକ ଭୋଟବ୍ୟାଙ୍କ ରହିଛି । କିନ୍ତୁ ଏହି ଭୋଟବ୍ୟାଙ୍କ ଯେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଯଥେଷ୍ଟ ତାହା ଭାବିବା ଠିକ୍ ନୁହେଁ । ଦଳ ଏଠାରେ ଉପରସ୍ତରରେ ସଙ୍ଗଠିତ ଥିଲେ ମଧ୍ୟ ତୃଣମୂଳସ୍ତରରେ ସେତେଟା ସୁଦୃଢ ନାହିଁ । ତୃଣମୂଳସ୍ତରରେ ଦଳର ନେତୃତ୍ୱ ନ ପହଞ୍ଚିବା ଦଳକୁ ବ୍ୟାକଫୁଟକୁ ଠେଲି ଦେଇଛିି । ଯାହା କଂଗ୍ରେସର କମବ୍ୟାକ୍ ପଥରେ ସବୁଠୁ ବଡ ବାଧା । ଯେହେତୁ ଏହି ବ୍ଲକରେ ଦୁଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଗଣେଶ୍ୱର ବେହେରାଙ୍କର ନିଜସ୍ୱ ସଙ୍ଗଠନ ରହିଛି ତେଣୁ ସେମାନଙ୍କ ନିର୍ବାଚନ ଗୋଟିଚାଳନା ଉପରେ କଂଗ୍ରେସର ଭାଗ୍ୟ ନିର୍ଭର କରୁଛି ।
ଅନ୍ୟପଟେ ବିଜେପି ପଟ୍ଟାମୁଣ୍ଡାଇରେ ପୂର୍ବ ତୁଳନାରେ ଅଧିକ ଶକ୍ତିଶାଳୀ ହୋଇଛି ନା ଦୁର୍ବଳ ହୋଇଛି ତାହା ପଞ୍ଚାୟତ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । କାରଣ କଂଗ୍ରେସ-ବିଦ୍ରୋହୀ-ବିଜେଡି ଲଢେଇ ଭିତରେ ପଟ୍ଟାମୁଣ୍ଡାଇରେ ପଦ୍ମ ଫୁଟିବା ସମ୍ଭାବନା ଯଥେଷ୍ଟ କ୍ଷୀଣ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଯେହେତୁ ପଟ୍ଟାମୁଣ୍ଡାଇ ବ୍ଲକର ଡୋରି ପୂର୍ବତନ ବିଧାୟକଙ୍କ ହାତରେ ରହିଛି, ତେଣୁ ଏଥର ନିର୍ବାଚନରେ ଦଳ କିଛି ସ୍ଥାନରେ କଡା ଟକ୍କର ଦେବ ବୋଲି କୁହାଯାଉଛି । ତେବେ ପଟ୍ଟାମୁଣ୍ଡାଇ ବ୍ଲକରେ ପୁରୁଣା-ନୂଆ ରାଜନୀତି ବିଜେପି ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଗତଥର ଆବଶ୍ୟକୀୟ ଆସନ ନ ମିଳିବାରୁ ବିଜେପି-କଂଗ୍ରେସ ଅଧ୍ୟକ୍ଷ ପଦ ରେସରୁ ନିଜକୁ ଦୂରେଇ ନେଇଥିଲେ । କିନ୍ତୁ ଏଥର ପଟ୍ଟାମୁଣ୍ଡାଇ ପରୀକ୍ଷାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । କିନ୍ତୁ ଏହା କାହା ସପକ୍ଷରେ ଯିବ ତାହା କହିବା ମୁସ୍କିଲ ହୋଇପଡିଛି ।