୨୦୨୪ରେ ବଦଳିବ କି ନୟାଗଡ଼ ସମୀକରଣ? ଅରୁଣ ସାହୁଙ୍କୁ ଅନ୍ୟତ୍ର ଥଇଥାନ କରିପାରେ ବିଜେଡି । ଏପଟେ ବିଜେପିରୁ ଟିକେଟ ରେସରେ ପ୍ରତ୍ୟୁଷା ରାଜେଶ୍ୱରୀ ଓ ଇରାନୀ ରାୟ

189

କନକ ବ୍ୟୁରୋ: ଉଷ୍ମ ହେଉଛି ନୟାଗଡ ରାଜନିତି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଆଉ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ସମରସଜ୍ଜା । ତେବେ କେଉଁ ଦଳରୁ କିଏ ପାଇବ ଟିକେଟ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ବିଜେଡିର ହେଭିୱେଟ ଅରୁଣ ସାହୁ ନୟାଗଡକୁ ଗତ ୨୦ ବର୍ଷ ହେଲା ନିଜ ଅକ୍ତିଆରରେ ରଖିଥିବା ବେଳେ ବର୍ଷ ତମାମ ଜାରି ରଖିଛନ୍ତି କାର୍ଯ୍ୟକ୍ରମ । ସବୁବେଳେ ଚଳଚଞ୍ଚଳ ରହିଛି ବିଜେଡି କାର୍ଯ୍ୟାଳୟ । କେତେବେଳେ କର୍ମୀଙ୍କୁ ଅଫିସ ଡକାଇ କର୍ଣ୍ଣମନ୍ତ୍ର ଦେଉଛନ୍ତି ତ, କେତେବେଳେ ଲୋକଙ୍କ ନିକଟରେ ପହଞ୍ଚି କ୍ରାଇସିସ ମ୍ୟାନେଜ କରୁଛନ୍ତି ।
ଅନ୍ୟପଟେ ଟିକେଟ ଦୌଡରେ ଏବେ ଆଉ ଗୋଟିଏ ନାଁ ସାମନାକୁ ଆସିଛି । ବିଜେଡି ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନି ନନ୍ଦ ବୁଲି ବୁଲି ନିଜର ସଂଗଠନ ଜାରି ରଖିଥିବା ବେଳେ ନୟାଗଡ ଆସନଟି ମହିଳାଙ୍କ ପାଇଁ ସଂରକ୍ଷଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବିଜେପିରେ ତିନି ଦିନ ତଳେ ନୂଆ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା କରିବା ଆଳରେ ଶକ୍ତି ପ୍ରଦର୍ଶନ କରିଥିଲେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ହେଲେ ମଞ୍ଚରେ ନଥିଲେ ଗତ ଥରର ପ୍ରାର୍ଥିନୀ ଇରାନୀ ରାୟ । ପରଦିନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ସାଙ୍ଗରେ ଧରି ଜଣେ ପୀଡିତାଙ୍କୁ ଭେଟିବା ଆଳରେ ସ୍ଥିତି ଜାହିର କରିଥିଲେ ଇରାନୀ । ସେପଟେ ନୟାଗଡ ବିଜେପିର ରିମୋଟ କଂଟ୍ରୋଲର ସାଜିଥିବା ସମ୍ବିତ ପାତ୍ର ପ୍ରତ୍ୟୁଷାଙ୍କୁ ସମର୍ଥନ କରୁଥିବା କୁହାଯାଉଛି । ସେପଟେ ପୁରୁଣା ନେତା ସନ୍ତୋଷ ପ୍ରଧାନଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି ।

ଅନ୍ୟପଟେ ନୟାଗଡରେ ଦୁର୍ବଳ ସ୍ଥିତିରେ ରହିଛି କଂଗ୍ରେସ । ଗତ ଥରର ପ୍ରାର୍ଥୀ ମନୋଜ ସାହୁ ପୁଣିଥରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଶା ରଖିଛନ୍ତି । ସେପଟେ ବିଜେଡି ଓ ବିଜେପିକୁ ହରାଇବାକୁ ,ଯାହା ପଦକ୍ଷେପ ଦରକାର ତାହା ନିଆଯିବ ବୋଲି ସିପିଆଇଏମ କହିଛି । ତେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସ୍ପଷ୍ଟ ହେବାକୁ ଆହୁରି କିଛି ସମୟ ଲାଗିବ ।