ପଞ୍ଜାବ ରାଜନୀତିରେ ବଦଳିଲା ପାଣିପାଗ । ବାଜି ମାରିଲେ ଚରଣଜୀତ ସିଂହ ଚନ୍ନି । ସିଦ୍ଧୁଙ୍କ ସ୍ୱପ୍ନ ଧୂଳିସାତ୍

215

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିହ ଚନ୍ନିଙ୍କ ନାଁରେ ମାରିଛି ମୋହର । ପଞ୍ଜାବରେ କଂଗ୍ରେସ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ଧରି ଲାଗି ରହିଥିବା ସସପେନ୍ସକୁ ରବିବାର ଶେଷ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଓ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଟଣାଓଟରା ଚାଲିଥିବାବେଳେ ଶେଷରେ ବାଜି ମାରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । କ୍ଷମତାର ଲଢେଇର ୨ ଜଣ ନେତୃତ୍ୱ ନେଇପାରିବେନି ବୋଲି ରାହୁଲ ପୂର୍ବରୁ ସଫା ସଫା କହିଥିଲେ ।

ଗୋଟେ ପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ଲାଗୁଥିଲା କି ପଞ୍ଜାବ କଂଗ୍ରେସ କନ୍ଦଳ ଶାନ୍ତ ପଡିବ କିନ୍ତୁ ଠିକ ଏହି ସମୟରେ ଦଳର ବରିଷ୍ଠ ନେତା ସୁନୀଲ ଜାଖଡ଼ ବଡ ଘୋଷଣା ଦଳକୁ ଝଟକା ଦେଇଛି । ରବିବାର ଜାଖଡ଼ କହିଛନ୍ତି କି ସେ ସକ୍ରିୟ ନିର୍ବାଚନୀ ରାଜନୀତିରୁ ଦୂରେଇ ରହିବେ । ଅର୍ଥାତ ନା ସେ ପ୍ରାର୍ଥୀ ଭାବେ ଛିଡା ହେବେ ନାହିଁ କୌଣସି ପ୍ରଚାରରେ ସାମିଲ ହେବେ । ଏଥିସହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବା ପରେ ନିଜ ପ୍ରତିକ୍ରିୟାରେ ଜାଖଡ କହିଛନ୍ତି କି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଦଳର ଅନେକ ଯୋଗ୍ୟ ଚେହେରା ଅଛନ୍ତି ।

କଂଗ୍ରେସ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ମତପୋଷଣ କରୁଛନ୍ତି । ପଂଜାବରେ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦୀ ଶିରୋମଣୀ ଅକାଳୀଦଳ କହିଛି ବାଲି ମାଫିଆଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବଡ ଭୁଲ କରିଛି କଂଗ୍ରେସ ।

କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣାର ଠିକ କିଛି ସମୟ ପୂର୍ବରୁ ୟୁ-ଟର୍ଣ୍ଣ ନେଇଥିଲେ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଅଡି ବସିଥିବା ସିଦ୍ଧୁ ମୁଣ୍ଡ ନୁଆଁଇବା ସହ ହାଇକମାଣ୍ଡ ନିଷ୍ପତି ମାନିବେ ବୋଲି କହିଥିଲେ । ଏପରିକି ମଂଚ ଉପରେ ଚନ୍ନିଙ୍କ ହାତ ଧରି ବସିବା ସହ ନାଁ ଘୋଷଣା ପରେ ଚନ୍ନିଙ୍କ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ । ବିଜେପିକୁ ଟାର୍ଗେଟ କରି ରାହୁଲ ଗାନ୍ଧୀଙ୍କୁ ପ୍ରଂଶସାରେ ପୋତିଥିଲେ ସିଦ୍ଧୁ । ତେବେ ଏହି ସବୁ ରାଜ୍ୟରାଜନୀତିର ତାତି ଭିତରେ ଏବେ ସିଦ୍ଧୁଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର । ପ୍ରକୃତରେ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନିଜ କଥା ଅନୁସାରେ କାମ କରିବେ ନା ପୁଣି ସ୍ୱର ବଦଳାଇ କିଛି ନୂଆ ବିବାଦକୁ ଟାଣିବେ ତା ଉପରେ ନଜର ରହିଛି ।