ରାହୁଲ ଗାନ୍ଧିଙ୍କ ଘୋଷଣା ପରେ ଚିହିଁକି ଉଠିଲା ବିଜେପି । କହିଲା, ‘ନ୍ୟୁନତମ ଆୟ ଯୋଜନା କେବଳ ଏକ ଛଳନା’ ।

136

କନକ ବ୍ୟୁରୋ : ଦେଶର ୨୦ ପ୍ରତିଶତ ଅତି ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ ନେଇ ରାହୁଲ ଗାନ୍ଧିଙ୍କ ଘୋଷଣା ପରେ ଚିହିଁକି ଉଠିଲା ବିଜେପି । ଦେଶର ଅର୍ଥ ବ୍ୟବସ୍ଥାକୁ କୌଣସି ଅତିରିକ୍ତ ବୋଝ ନଦେଇ କଂଗ୍ରେସ କେମିତି ଏହି ଯୋଜନା ଲାଗୁ କରିବ ବୋଲି ପ୍ରଶ୍ନ କରିଛି ବିଜେପି । ଗରିବଙ୍କୁ କୌଣସି ସମ୍ବଳ ନଦେଇ କଂଗ୍ରେସ କେବଳ ସ୍ଲୋଗାନ ଦେଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଗତ ୭ ଦଶନ୍ଧି ଧରି କଂଗ୍ରେସ ଦେଶବାସୀଙ୍କୁ କେବଳ ଧୋକା ଦେଇଚାଲିଥିବା ସେ ଅଭିଯୋଗ କରିଛନ୍ତି । ଜେଟଲି କହିଛନ୍ତି, ୧୯୭୧ରେ ଦେଶରୁ ଗରିବି ହଟାଓ ନାରା ଦେଇଥିଲେ କଂଗ୍ରେସ ସରକାର । ୪୮ ବର୍ଷ ପରେ ମଧ୍ୟ ଦେଶରେ କାହିଁକି ୨୦ ପ୍ରତିଶତ ଲୋକ ଗରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସର ଘୋଷଣା ଅନୁସାରେ ୧୨ ହଜାରରୁ କମ୍ ରୋଜଗାର କରୁଥିବା ଦେଶର ୫ କୋଟି ପରିବାର ଅର୍ଥାତ ପ୍ରାୟ ୨୫ କୋଟି ଲୋକଙ୍କୁ ବାର୍ଷିକ ମିଳିବ ୭୨ ହଜାର ଟଙ୍କା ଲେଖାଏଁ । ଏଥିପାଇଁ ବର୍ଷକୁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ହେଲେ ମୋଦି ସରକାରଙ୍କ ୫ ବର୍ଷ କାର୍ଯ୍ୟକାଳରେ ଗରିବଙ୍କ ପାଇଁ ପ୍ରବର୍ତିତ ବିଭିନ୍ନ ଯୋଜନାରେ ୫ ଲକ୍ଷ ୩୪ ହଜାର କୋଟି ଦିଆଯାଇଛି । କଂଗ୍ରେସ ଏହାର ଦୁଇ ତୃତୀୟାଂଶ ଦେବ । ଏଥିପାଇଁ ସବସିଡ୍ କାଂଟଛାଂଟ କରିପାରେ ବୋଲି ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି ।

କଂଗ୍ରେସର ଏଭଳି ମହତ୍ୱାକାଂକ୍ଷୀ ଘୋଷଣାକୁ ନେଇ ମଧ୍ୟ ଆପତି କରିଛି ନୀତି ଆୟୋଗ । କେନ୍ଦ୍ରୀୟ ସଂସ୍ଥା କହିଛି ନିର୍ବାଚନ ପୂର୍ବରୁ ଲୋକଙ୍କୁ ଚାନ୍ଦା ଦେବାର ପ୍ରତିଶ୍ରୁତି କରିଛି କଂଗ୍ରେସ । ଦଳର ଏହି ଘୋଷଣା ରାଜକୋଶର ଅନୁଶାସନକୁ ଭାଙ୍ଗିଦେବ । ଏହାଦ୍ୱାରା ଲୋକମାନେ କାମ କରିବାକୁ ଭୁଲିଯିବେ । ୨୦୦୮ରେ ତତକାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ବିତ୍ତୀୟ ନିଅଂଟକୁ ୨.୫ ପ୍ରତିଶତରୁ ୬ ପ୍ରତିଶତକୁ ନେଇ ଆସିଥିଲେ । କଂଗ୍ରେସର ଏହି ଘୋଷଣା ସେହି ଦିଗରେ ପୁଣି ସହାୟକ ହେବ । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, କଂଗ୍ରେସର ମିନିମମ୍ ଇନକମ୍ ଗ୍ୟାରେଂଟି ସ୍କିମ୍ ଜିଡିପିର ୨ ପ୍ରତିଶତ ହେବ ଏବଂ ମୋଟ୍ ବଜେଟର ୧୩ ପ୍ରତିଶତ ହେବ । କିନ୍ତୁ କଂଗ୍ରେସ କହିଛି ଯେ, ଏହି ଯୋଜନା ବିତ୍ତୀୟ ନିଅଂଟକୁ ଦୃଷ୍ଟିରେ ରଖି କରାଯିବ ଓ ଏହା ବଜେଟ୍ ନ୍ୟୁଟ୍ରାଲ ହେବ । ଅର୍ଥାତ ବଜେଟ୍ ବାଦ୍ ଏହି ଯୋଜନା ଲାଗୁ କରିବ କଂଗ୍ରେସ ।

ସ୍ୱାଭାବିକ ଭାବେ ଅନୁମାନ କରାଯାଉଛି ବଜେଟ୍ ବାହାରେ ଏହି ଯୋଜନା ପାଇଁ ଅର୍ଥ ବନ୍ଦୋବସ୍ତ କରାଗଲେ କଂଗ୍ରେସକୁ ପ୍ରଚଳିତ ସବସିଡରେ କାଂଟଛାଂଟ କରିବାକୁ ପଡିବ । ତେଣୁ ପ୍ରଶ୍ନ ଉଠୁଛି

– ନ୍ୟୁନତମ ଆୟ ଗ୍ୟାରେଂଟି ସ୍କିମ୍ ପାଇଁ କେଉଁସବୁ ଯୋଜନା ଓ ସବସିଡ୍ କାଟ୍ ହେବ ?

– ଯୋଜନା ହାତିଧାକାରୀ ଚୟନ ପାଇଁ କାହାର ଆୟ କେତେ ତାହା କେମିତି ସ୍ଥିର କରାଯିବ ?

– ଯୋଜନାରେ ସାମିଲ ହେବାକୁ ଲୋକେ ନିଜ ଆୟ ଲୁଚାଇବା ଆରମ୍ଭ କରିବେ ନାହିଁ ତ ?

– ଗରିବଙ୍କୁ ଘରେ ବସି ସରକାର ପଇସା ଦେଲେ ସେମାନେ କାମ କାହିଁକି କରିବେ ?

– କାମ ନକଲେ ଲୋକଙ୍କ ଆୟ ବଢିବ ନାହିଁ ଓ ଗରୀବି ହଟାଇବା ଉଦ୍ଦେଶ୍ୟ ସାଧନ ହେବ ?

– ସବୁଠାରୁ ବଡ ପ୍ରଶ୍ନ ହେଲା ବଜେଟ୍ ବାଦ୍ ଏହି ଟଙ୍କା କେଉଁଠୁ ଯୋଗାଡ କରିବ କଂଗ୍ରେସ ?