ରେଳ ବଜେଟ ନେଇ ବୟାନବାଜି । ପରିବହନ ମନ୍ତ୍ରୀ କହିଲେ, ରେଳ ବଜେଟ ନୈରାଶ୍ୟଜନକ, ଓଡ଼ିଶାକୁ କମିଛି ଅନୁଦାନ । ବିଜେପି କହିଲା, ଅନୁଦାନ କମିନି ବରଂ ବଢିଛି ।

169

କନକ ବ୍ୟୁରୋ : ରେଳ ବଜେଟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ରେଳ ବଜେଟ ନୈରାଶ୍ୟଜନକ । ରେଳ ବଜେଟରେ ଅନୁଦାନ କମିଛି । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ବର୍ଷ ଠାରୁ ଚଳିତବର୍ଷର ବଜେଟ କମିଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା ହେବ । ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବେ ବୋଲି କହିଛନ୍ତି ପଦ୍ମନାଭ ବେହେରା ।

ଚଳିତ ରେଳ ବଜେଟରେ ଓଡିଶାକୁ ମିଳିଛି ୪ ହଜାର ୩ ଶହ ୭୩ କୋଟି ଟଙ୍କା । ଯାହା ଗତବର୍ଷର ଅନୁଦାନ ତୁଳନାରେ କମ ରହିଛି । ଚଳିତ ବଜେଟରେ ପୂର୍ବତଟ ରେଳପଥ ପାଇଁ ବ୍ୟୟ ବରାଦ ହୋଇଛି ୫ ହଜାର ୮୬୫ କୋଟି ଟଙ୍କା । ଓଡିଶାର ଦୁଇଟି ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀର ୨୪୧କିଲୋମିଟର ସହ ନୂଆପଡା- ଗୁଣୁୁପୁର-ଥେରୁବାଲି ରେଳଲାଇନକୁ ବି ଅନୁମୋଦନ ମିଳିଛି ।

ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଓଡିଶାର ଭାଗ ରେଳବାଇରେ କମିନି ବଂର ବଢିଛି । ନୀତି ଆୟୋଗର କ୍ଲିଅରାନ୍ସ ମିଳିବା ମାତ୍ରେ ୨ ହଜାର ୯୫୭ କୋଟି ଟଙ୍କା ଆହୁରି ଆସିବ । ସମ୍ବଲପୁର-ଗୋପାଳପୁର ଲାଇନ ପାଇଁ ବଜେଟରେ ବ୍ୟୟବରାଦ ସହ ମଂଜୁରୀ ମିଳିସାରିଛି ବୋଲି ଗୋଲକ ମହାପାତ୍ର କହିଛନ୍ତି ।