କନକ ବ୍ୟୁରୋ: ଶୀତ ଋତୁରେ ପାରଦ ଖସିଖସି ଯାଉଥିବାବେଳେ ରାଜନୀତିର ପାରଦ କିନ୍ତୁ ଜମା କମୁନି । ବରଂ ଅଧିକ ଉଷ୍ମ ହେବାରେ ଲାଗିଛି । ଧାମନଗର ପରେ ପଦ୍ମପୁର... ଲଗାତାର ପଛକୁ ପଛ ଗୋଟେ ପରେ ଗୋଟେ ଉପନିର୍ବାଚନ ଏହାର ମୁଖ୍ୟ କାରଣ । ଧାମନଗର ପାଇଁ ଧାଁ ଧପଡ ଭିତରେ ବିଜେପି ନିଜ ଗଡ ରକ୍ଷା କଲା ଆଉ ପରାଜୟର ପ୍ରତିଶୋଧ ପଦ୍ମପୁରରେ ବିଜେଡି ନେଲା । ପଦ୍ମପୁର ନିଜ ଗଡ ହୋଇଥିବାରୁ ସମ୍ମାନ ରକ୍ଷା ପାଇଁ ଜିଜାନ୍ ଲଗେଇ ଦେଇଥିଲେ ବିଜେଡିର ନେତା ଓ କର୍ମୀ । ତେବେ ପଦ୍ମପୁରରେ ଜୟ- ପରାଜୟ ପରେ ଆରମ୍ଭ ହୋଇଛି ୨୦୨୪ ପାଇଁ ଆକଳନ ।

Advertisment

୨୦୨୪ରେ କିଏ ଗଢିବ ସରକାର ? କାହା ସପକ୍ଷରେ ଯିବ ଜନମତ? କିଏ ଅକ୍ତିଆର କରିବ କେତେ ଆସନ? ସେନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । କୁହାଯାଉଛି ୨୦୨୪ ପାଇଁ ଧାମନଗର ଓ ପଦ୍ମପୁର ଉପନିର୍ବାଚନ ହେଉଛି ସେମି ଫାଇନାଲ ଭଳି । ତେଣୁ ଫାଇନାଲରେ କିଏ ଜିତିବ କିଏ ହାରିବ ? ତାହାର ଆକଳନ, ଅନୁମାନ ଏବେଠୁ ଆରମ୍ଭ ହୋଇଗଲାଣି ।

ପଦ୍ମପୁର ଫଳାଫଳକୁ ନେଇ ବିଜେଡି ୨୦୨୪ର ଦମ୍ଭ ଦେଖାଉଥିବା ବେଳେ ବିଜେପିର ପରାଜୟର କାରଣ ଖୋଜି ୨୦୨୪ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରିଛି । ଆଉ ୨୪ରେ ବିଜେପି ବି ସରକାର ଗଢୁଥିବା ନେତୃବୃନ୍ଦ କହୁଛନ୍ତି । ବିଜେପି- ବିଜେଡି କଥା ଶୁଣି ପଛରେ ପଡିନି କଂଗ୍ରେସ । ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଆମେ ବି ୬୦ରୁ ୬୫ ଆସନ ଅକ୍ତିଆର କରିବୁ ।

ତେବେ ବିଜେଡି ବିଧାୟକ, ତଥା ପଶ୍ଚିମଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ୨୦୨୪ରେ ମିଶନ ୧୨୫ର ଲକ୍ଷ୍ୟ ରଖିଛି । ୧୪୭ ଆସନରୁ ୧୨୫ ଆସନରେ ଜିତିବ ବିଜେଡି । ବିଶେଷ କରି ପଶ୍ଚିମ ଓଡିଶାରୁ ୩୬ ଆସନରୁ ୩୦ରୁ ଅଧିକ ଆସନରେ ବିଜେଡିର ବିଜୟ ହେବ । ସେପଟେ ବିଜେପି ଦୁଇ ତୃତୀୟାଂଶରେ ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।
ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ବାଚନ ବହୁଦିନ ଅଛି । ବହୁ କଥା ହେବ, ମହାନଦୀରେ ପାଣି ବହିବ, ବୈତରଣୀରେ ବହିବ । କିନ୍ତୁ ବିଜେପି ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦି । ୨୦୨୪ ନିର୍ବାଚନ ଉପରେ ପଦ୍ମପୁର ଫଳାଫଳ କୌଣସି ପ୍ରଭାବ ପକାଇବ ନାହିଁ ।

ବିଜେପି- ବିଜେଡିର ଆସନ ଅଙ୍କକଷା ପର୍ବରେ ପଛରେ ପଡିନି କଂଗ୍ରେସ । ଦୁଇ ଦୁଇଟା ଉପନିର୍ବାଚନରେ ଅମାନତ ହରାଇଥିବା, ପଛରେ ପଡିଥିବା କଂଗ୍ରେସ ୬୦ରୁ ୬୫ ଆସନ ପାଇବ ବୋଲି ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ । ଏକାକୀ ନହେଲେ ବି କାହାକୁ ପାର୍ଟ ଟାଇମ ସାଥୀ କରି ସରକାର ଗଢିବୁ । ୨୦୨୪ ନିର୍ବାଚନ ପାଇଁ ବିଜେପି, ବିଜେଡି ଯେମିତି ରେଡ୍ଡି, କଂଗ୍ରେସ ବି ସେମିତି ରେଡ୍ଡି । ୨୦୨୪ ପାଇଁ ଆକଳନ ଭିତରେ କିଏ ଅକ୍ତିଆର କରିବ କେତେ ଆସନ ତାହା କହିବ ଜନତାଙ୍କ ସମର୍ଥନ ।