ଶେଷ ହେଲା ଧାମନଗର ଉପ ନିର୍ବାଚନ । ପଦ୍ମପୁର ପାଇଁ ପାଗ ଭିଡିଲେ ନେତା । ଏପଟେ ବରିହାଙ୍କ ପତ୍ନୀ ମାଗିଲେ ଟିକେଟ୍

563

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ହଲଚଲ ବଢିଯାଇଛି । କିଏ ଟିକେଟ ପାଇବ, ସେ ନେଇ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ବିଜେଡି ପଶ୍ଚିମ ଓଡିଶାର ନେତାଙ୍କୁ ନେଇ ବୈଠକ କରିଛି ।  ସେପଟେ ପରଲୋକଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପତ୍ନୀ ଟିକେଟ ମାଗିଛନ୍ତି । ଧାମନଗର ବିଜୟ ପରେ ବିଜେପି ବି ଉତ୍ସାହିତ ଅଛି । କଂଗ୍ରେସ ବି ବିଚାରବମର୍ଷ ଆରମ୍ଭ କରିଛି ।

  • ପଦ୍ମପୁର ପାଇଁ ପାଗ ଭିଡିଲେ ନେତା
  • ବରିହାଙ୍କ ପତ୍ନୀ ମାଗିଲେ ଟିକେଟ୍

ସରିଲା ଧାମନଗର ଉପନିର୍ବାଚନ । ଆରମ୍ଭ ହେଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରସ୍ତୁତି । ଶନିବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ରବିବାର ବିଜେଡି ପଶ୍ଚିମ ଓଡିଶାର ନେତାଙ୍କୁ ନେଇ ବୈଠକ କରଥିବା ସୂଚନା ରହିଛି । କିଏ ଟିକେଟ ପାଇବ ସେ ନେଇ ଆଲୋଚନା ହୋଇଛି । ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବିୟୋଗ ପରେ ବିଜେଡିର ବିଧାୟକ ପ୍ରାର୍ଥୀ କିଏ ହେବେ ସେ ନେଇ ଚର୍ଚ୍ଚା ବଢିଛି । ଏହି ନିର୍ବାଚନ ମଣ୍ଡଳୀରୁ  ବରିହା ୧୯୯୦ରୁ ବିଜୟୀ ହୋଇଆସୁଥିଲେ । କିନ୍ତୁ ୨୦୧୪ ଏବଂ ୨୦୦୪ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଥରେ ଲେଖାଏଁ ନିର୍ବାଚନ ଜିତିଥିଲା । ପଶ୍ଚିମ ଓଡିଶାର ଏହି ବିଧାନସଭା ଆସନକୁ ଶାସକ ଦଳ ଟ୍ରାଡିସନାଲ ସିଟ୍ ଭାବେ ନିଜ ଦଖଲରେ ରଖିଛି । କିନ୍ତୁ ଏବେ ବରିହାଙ୍କ ପରେ କିଏ ହେବେ ପ୍ରାର୍ଥୀ ତାକୁ ନେଇ ବଢିଛି ଚିନ୍ତା । ଏହାରି ଭିତରେ ଦିବଙ୍ଗତ ବିଧାୟକଙ୍କ ପତ୍ନୀ ନିର୍ବାଚନ ଲଢିବାକୁ ଆଶା ରଖିଛନ୍ତି । ତିଳୋତମା ବରିହା କହିଛନ୍ତି ସୁଯୋଗ ଦେଲେ ସେ ଲୋକଙ୍କ ସେବା କରିବେ ।

ପୂର୍ବରୁ ବ୍ରଜରାଜନଗରରେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ସହିତ ଅନୁକମ୍ପା ଭୋଟ୍ ହାତେଇଥିଲା । ଏବେ ପଦ୍ମପୁର ଆସନ ପାଇଁ ବରିହାଙ୍କ ପତ୍ନୀ ଆଶା ରଖିବା ପରେ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ।

  • ଧାମନଗର ଫଳାଫଳ ପରେ ଉତ୍ସାହିତ ବିଜେପି
  • ପଦ୍ମପୁରର ବିଜେପି ପ୍ରାର୍ଥୀ ପ୍ରଦୀପ ପୂରୋହିତ!

ଧାମନଗର ଉପନିର୍ବାଚନ ଫଳାଫଳ ପରେ ଉତ୍ସାହିତ ବିଜେପି । ଆଉ ବରଗଡ ପଦ୍ମପୁରରେ ମଧ୍ୟ ବିଜେପି ଧାମନଗର ରଣନୀତି ପ୍ରୟୋଗ କରି ବିଜୟୀ ହେବାର ସ୍ୱପ୍ନ ଦେଖିଛି । କିନ୍ତୁ ଧାମନଗର ଓ ପଦ୍ମପୁର ଭିତରେ ଫରକ ହେଲା ଏଠାରେ ଶାସକ ଦଳ ଅନୁକମ୍ପାମୂଳକ ଭୋଟ୍ ହାତେଇବାକୁ ପ୍ରୟାସ କରିବ । କିନ୍ତୁ ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତ ରାଜନୀତିରେ ସକ୍ରିୟ ରହିଥିବାରୁ ଉପ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ପଦ୍ମପୁର ଗସ୍ତ କରି ପିସିସି ସଭାପତିଙ୍କୁ କମିଟି ରିପୋର୍ଟ ଦେବ ବୋଲି ସୂଚନା ରହିଛି ।