ସରିଲା ନିର୍ବାଚନ, ଚାଲିଛି ଆକଳନ । କାହା ହାତକୁ ଯିବ ଓଡିଶା ଶାସନ ? ମେ ୨୩ରେ ଖୋଲିବ ନେତାଙ୍କ ଭାଗ୍ୟର ପେଡି । 

522

କନକ ବ୍ୟୁରୋ : ସରିଲା ନିର୍ବାଚନ, ଚାଲିଛି ଆକଳନ । କାହା ହାତକୁ ଯିବ ଓଡିଶା ଶାସନ ? ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ଲାଗି ରାଜ୍ୟରେ ୪ଟି ପର୍ଯ୍ୟାୟରେ ଶେଷ ହୋଇଛି ମତଦାନ । ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀମାନଙ୍କ ଭାଗ୍ୟ । ମେ ୨୩ ତାରିଖରେ ଖୋଲିବ ଭାନୁମତୀ ପେଡି, ଆଉ ଜଣାପଡିବ କାହା ମୁଣ୍ଡରେ ସୁନା କଳସୀ ଢାଳିଛନ୍ତି ଜନତା । ଦୀର୍ଘ ୧୯ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ଥିବା ବିଜେଡି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୂର୍ଣ୍ଣ । କ୍ଷମତାରୁ ଦୂରେଇ ରହିଥିବା ଦୁଇଟି ଜାତୀୟ ଦଳ ବିଜେପି ଓ କଂଗ୍ରେସ ପାଇଁ ମଧ୍ୟ ସେତିକି ଗୁରୁତ୍ୱ ରଖୁଛି ।

ବାପା ବିଜୁ ବାବୁଙ୍କ ନାଁରେ ଆଂଚଳିକ ଦଳ ଗଢି ୧୯ ବର୍ଷ ତଳେ ଓଡିଶାରେ ରାଜନୈତିକ ସଫଳତା ପାଇବା ନବୀନଙ୍କ ପାଇଁ ହୁଏତ ବିଶେଷ କଷ୍ଟକର ନଥିଲା । କିନ୍ତୁ ଏହାପରେ ନିଜକୁ ଜଣେ ନିର୍ବିବାଦୀୟ ନେତା ଭାବରେ ପ୍ରତିଷ୍ଠା କରିବା ଓ ଲଗାତର କ୍ଷମତାରେ ତିଷ୍ଠି ରହିବା ପାଇଁ ନବୀନଙ୍କୁ ଅନେକ କସରତ କରିବାକୁ ପଡିଛି ।

ସ୍ୱଚ୍ଛ ଭାବମୂର୍ତି ଓ ଲୋକାଭିମୁଖୀ ଯୋଜନା ନବୀନଙ୍କୁ ଲୋକପ୍ରିୟତାର ଶୀର୍ଷରେ ରଖିଆସିଛି । ଯେଉଁଥିପାଇଁ ଭୋଟରଙ୍କ ଭିତରେ ପ୍ରତିପକ୍ଷ ଶିବିରର କେହି ଜଣିଏ ହେଲେ ବି ନେତା ଲୋକପ୍ରିୟତାର ଏହି ଅଭେଦ୍ୟ ଗଡକୁ ଭେଦିପାରି ନାହାନ୍ତି । ଟଙ୍କିକିଆ ଚାଉଳ, ୫ଟଙ୍କାରେ ଆହାର, କୃଷକଙ୍କ ପାଇଁ କାଳିଆ ଓ ମହିଳାଙ୍କ ପାଇ ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଦୀର୍ଘବର୍ଷ ହେଲା ରାଜ୍ୟରେ ଦୁଇଟି ଜାତୀୟ ଦଳକୁ ଚେକ୍ ଦେଇଆସୁଛନ୍ତି ବିଜେଡି ସୁପ୍ରିମୋ । ହେଲେ ଏଥର ପରିସ୍ଥିତି ସାମାନ୍ୟ ବଦଳିଛି ।

୨୦୧୪ରେ ମୋଦି ମ୍ୟାଜିକ କାମ କରିନଥିଲା । କାରଣ ଗୁଜରାଟରୁ ଆସି ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଅନେକ ସ୍ୱପ୍ନ ଦେଖାଇଥିଲେ ମୋଦି, ଯାହାକୁ ଗ୍ରହଣ କରିପାରିନଥିଲେ ଓଡିଶାବାସୀ । ହେଲେ ଏଥର ନିର୍ବାଚନ ବେଳକୁ କେନ୍ଦ୍ରରେ ୫ବର୍ଷ କ୍ଷମତାରେ ରହିସାରିଥିଲେ ମୋଦି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରୀୟସ୍ତରରେ ପ୍ରଚଳିତ ଯୋଜନାକୁ ପୁଞ୍ଜି କରି ରାଜ୍ୟରେ ପଟ୍ଟ ପରିବର୍ତ୍ତନର ନାରା ଦେଇଛି ବିଜେପି । ଯାହାକୁ କାଉଂଟର କରି କ୍ଷମତା ବଜାୟ ରଖିବା ବିଜେଡି ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।

୨୦୧୪ରେ ଓଡିଶାକୁ ବାଦ ଦେଇ ସାରା ଦେଶରେ ଚାଲିଥିଲା ମୋଦିଙ୍କ ମ୍ୟାଜିକ୍ । ହେଲେ ୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟର ଗ୍ରାମାଂଚଳ ଭୋଟର ବିଜେପିକୁ ଯେଭଳି ପସନ୍ଦକଲେ ତାହା ବିଜେଡି ଶିବିରରେ ଛନକା ଭରିଦେବାକୁ ଯଥେଷ୍ଟ ଥିଲା । ବିଜେପି ମଧ୍ୟ ନୂଆ ଜୋଶ ସହ ମିଶନ୍ ୧୨୦ ପ୍ଲସର ରଣନୀତି ନେଇ ଆଗକୁ ବଢିଥିଲା । ରାଜ୍ୟରେ ସଂଗଠନକୁ ସଜାଡି କ୍ଷମତାକୁ ଆସିଲେ ନୂତନ ଓଡିଶା ଗଠନର ପ୍ରତିଶ୍ରୁତି ଦେଇ ପ୍ରଚାରକୁ ଜୋରଦାର କରିଥିଲା । କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତା ଓ ରାଜ୍ୟରେ ନବୀନ ସରକାରଙ୍କ ୧୯ ବର୍ଷର ବିଫଳତାକୁ ବିଜ୍ଞାପିତ କରିଥିଲା । ରାଜ୍ୟ ବିଜେପିର ଶୀର୍ଷ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆହୁରି ସଂଗଠିତ ହୋଇ ଜୋରଦାର ମୁକାବିଲା ପାଇଁ ପ୍ରସ୍ତୁତି କରିଥିଲା ଦଳ । ତେଣୁ ସଫଳତା ରାଜ୍ୟ ବିଜେପି ଓ ଏହାର ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ।

୧୯୯୯ରେ ମହାବାତ୍ୟାର ମୁକାବିଲା କରିବାରେ ବିଫଳତା କଂଗ୍ରେସ ସରକାରଙ୍କ ପତନର କାରଣ ହେଲା ବୋଲି କୁହାଯାଏ । ନୂଆ କରି ରାଜ୍ୟ ରାଜନୀତିରେ ଅଭ୍ୟୁଦୟ ହୋଇଥିବା ବିଜେଡିକୁ ବିକଳ୍ପ ଭାବେ ବାଛିଲେ ଓଡିଶାର ଭୋଟର । ଏହାପରଠାରୁ ଆଉ ରାଜ୍ୟରେ କ୍ଷମତାକୁ ଫେରି ପାରିନାହିଁ କଂଗ୍ରେସ । ଜାତୀୟ ରାଜନୀତିରେ କଂଗ୍ରେସ ନେତୃତ୍ୱାଧୀନ ୧୦ ବର୍ଷର ଶାସନ ସତ୍ୱେ ଓଡିଶାରେ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର । ହେଲେ ଚଳିତବର୍ଷ ନିର୍ବାଚନ ବେଳକୁ ନୂଆ ସମ୍ଭାବନା ସହ ସାମ୍ନାକୁ ଆସିଥିଲା ରାଜ୍ୟ କଂଗ୍ରେସ । ଜାତୀୟ ରାଜନୀତିରେ ରାହୁଲ ଗାନ୍ଧିଙ୍କ ପ୍ରଭାବ ଓ ଅନ୍ୟରାଜ୍ୟରେ ସଫଳତାକୁ ଆଧାର କରି ଓଡିଶାରେ ବଳ ଗୋଟାଇଥିଲା କଂଗ୍ରେସ । ନିରଞ୍ଜନଙ୍କ ନେତୃତ୍ୱରେ ଦଳ ଅଧିକ ସଂଗଠିତ ହୋଇ ଏକ କଡା ମୁକାବିଲା ଦେବାକୁ ପ୍ରସ୍ତୁତି କରିଥିଲା । ହେଲେ ସଫଳତା ଯଦି ନେତୃତ୍ୱର ମାପକାଠି, ତାହାହେଲେ ଏହି ନିର୍ବାଚନରେ ମଧ୍ୟ ବାଜିରେ ଲାଗିଛି ନିରଞ୍ଜନଙ୍କ ସମ୍ମାନ ।

ରେକର୍ଡ ପଂଚମଥର କ୍ଷମତାରେ ରହିବାକୁ ସବୁ ବଳ ଲଗାଇଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମାନ ଢଙ୍ଗରେ ଦୁଇ ଦଶନ୍ଧିଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଦଳ ନୂଆ ନେତୃତ୍ୱ ସହ କ୍ଷମତାକୁ ଫେରିବା ପାଇଁ ସମସ୍ତ ରଣନୀତି କରିଛି । ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ମଧ୍ୟ ପରିବର୍ତନର ନାରା ଦେଇ ବିଜେଡିଠାରୁ କ୍ଷମତା ଛଡାଇ ନେବାକୁ କରିଛି ସଂଘର୍ଷ । ଏବେ ଅପେକ୍ଷା କେବଳ ମେ ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ କାହା ସପକ୍ଷରେ ରହିଛି ଜନମତ । କାହାକୁ ଭରସିଛନ୍ତି ଭୋଟର ?