ଦଳୀୟ କାର୍ଯ୍ୟାଳୟ ପାଇଁ କିଏ କିଣିଛି କେତେ ଟଙ୍କାର ଜମି?

144

କନକ ବ୍ୟୁରୋ : ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ଏବେ ଦଳୀୟ ସଙ୍ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି । ଆଉ ଏଥିପାଇଁ ଦଳୀୟ କାର୍ଯ୍ୟାଳୟର ନବକଳେବର ହେବା ସହ ନୂଆ କାର୍ଯ୍ୟାଳୟ ନିର୍ମାଣ ଉପରେ ଜୋର ଦେଉଛନ୍ତି ଉଭୟ ବିଜେପି ଓ ବିଜେଡି । ଆଉ ଏଥିପାଇଁ ରାଜନୈତିକ ଦଳକୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ବିଜେଡିକୁ ୧ ଏକର ୧୮୩  ଡିସିମିଲି ଜମି ଯୋଗାଇ ଦିଆଯାଇଛି । ବେଞ୍ଚମାର୍କ ଅନୁଯାୟୀ ଏକର ପିଛା ୧୦ କୋଟି  ୪୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଜମି ଯୋଗାଈ ଦିଆଯାଇଛି । ମୋଟ ଜମି ପାଇଁ ବିଜେଡି ୧୨ କୋଟି ୩୮ ଲକ୍ଷ ଟଙ୍କା ଦେଇ ଏହାକୁ କିଣିଛି । ସେହିଭଳି  ବିଜେପିକୁ ଦୁଇଟି ପ୍ଲଟ ଯୋଗାଈ ଦେଇଛନ୍ତି ସରକାର ।  ୨୫ କୋଟି ୮୧ ଲକ୍ଷ ଟଙ୍କା ଦେଇ ଏହି ଦୁଇଟି ପ୍ଲଟ କିଣିଛି ବିଜେପି ।

ପୂର୍ବରୁ  ରାଜଧାନୀ ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟ ପାଇଁ ୧୯୬୪ ମସିହାରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ, ୧୯୯୨ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏକର ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୭ ହଜାର ୭ ଶହ ୯୧ ଟଙ୍କା ୪୫ ପଇସା ମୂଲ୍ୟରେ ୧୭୮ ଡିସିମିଲ ଏବଂ ୧୯୯୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏକର ପିଛା ୬ ହଜାର ୬୦୦ ଟଙ୍କା ହିସାବରେ ୮ ଶହ ୬୧ ଟଙ୍କା ୩୪ ପଇସା ମୂଲ୍ୟରେ ୧୨୯ ଡିସିମିଲ ପରିମିତ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଥିଲେ ।

ଚଳିତ ବର୍ଷ ବିଜେଡି ପ୍ରଚଳିତ ବେଞ୍ଚମାର୍କ ଭାଲୁଏସନ୍ ମୁତାବକ ଧାର୍ଯ୍ୟ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ହିସାବରେ ୧୨ କୋଟି ୩୮ ଲକ୍ଷ ୬୦ ହଜାର ୧୦୦ ଟଙ୍କା ମୂଲ୍ୟରେ ୧ ଏକର ୧୮୩ ଡିସିମିଲ ଏବଂ ଭାରତୀୟ ଜନତା ପାର୍ଟି ଏକର ପିଛା ବେଞ୍ଚମାର୍କ ଭାଲୁଏସନ୍ ୧୬ କୋଟି ୬୦ ଲକ୍ଷ ଟଙ୍କା ହିସାବରେ ୯୦୯ ଡେସିମିଲ୍ ଜମି ପାଇଁ ୧୫ କୋଟି ୮ ଲକ୍ଷ ୯୪ ହଜାର ଟଙ୍କା ଏବଂ ଏକର ପିଛା ବେଞ୍ଚମାର୍କ ଭାଲୁଏସନ ୨୯ କୋଟି ଟଙ୍କା ହିସାବରେ ୩୭୦ ଡେସିମିଲ୍ ଜମି ପାଇଁ ୧୦ କୋଟି ୭୩ ଲକ୍ଷ ଟଙ୍କା ଏହି ଭଳି ମୋଟ ୨୫ କୋଟି ୮୧ ଲକ୍ଷ ୯୪ ହଜାର ଟଙ୍କା ଜମା କରି ୧ ଏକର ୨୭୯ ଡିସିମିଲ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଛନ୍ତି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ।