ବର୍ଷା ପରେ ଉଷ୍ମ ହେଲା ଜୟପୁରର ରାଜନୀତି ପାଣିପାଗ ! ୨୦୧୯ରେ କାହାକୁ ବାଛିବେ ଜୟପୁର ବାସୀ, ତାରା-ରବିଙ୍କ ମଧ୍ୟରେ ହେବ ଟକ୍କର ।

41

କନକ ବ୍ୟୁରୋ : ବର୍ଷା କମି ଥିବା ବେଳେ ଜୟପୁରରେ ଉଷ୍ମ ହୋଇଛି ରାଜନୈତିକ ପାଣିପାଗ । ୨୦୧୯ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି  ରାଜନୈତିକ ଦଳ  ।  କିଏ ହେବ ନେତା ? କାହାକୁ ବାଛିବେ ଜନତା ? ତାରା, ରବି ନା ଆଉ କିଏ ଆସିବେ ସାମ୍ନାକୁ ? ତାକୁ ନେଇ ସହରରେ ରାଜନୈତିକ ଚର୍ଚ୍ଚା ଚାଲିଛି ।

ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜୟପୁର, ଏବେ ଆଗାମୀ ନିର୍ବାଚନକୁ ନେଇ ଚଳଚଞ୍ଚଳ । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜୟପୁର ବିଧାୟକ ପଦ ପାଇଁ ତାରାଙ୍କ ଟିକେଟ ପକ୍କା ହେବା ପରେ ସହରରେ ନିର୍ବାଚନୀ ଉଷ୍ମତା ବଢ଼ିଯାଇଛି । ଜିଲ୍ଳାର ୫ଟି ନିର୍ବାଚନ ମଣ୍ଡଳୀରୁ ଜୟପୁର ନିର୍ବାଚନ ମଣ୍ଡଳି ଆସନଟି ସାଧାରଣ ବର୍ଗ ପାଇଁ ରହିଥିବା ବେଳେ ଏଠାରେ ଦକ୍ଷିଣ ଓଡ଼ିଶାର ୨ ଟାଣୁଆ ନେତା ତାରା, ରବିଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳେ ।

୧. କୋରାପୁଟ ଜିଲ୍ଲାରେ ରହିଛି ୫ଟି ନିର୍ବାଚନ ମଣ୍ଡଳି ।

୨. ଏହି ମଣ୍ଡଳିରେ ରହିଛି ଜୟପୁର ଓ ବାରିଗୁମ୍ମା ବ୍ଳକ ଏବଂ ଗୋଟିଏ ମ୍ୟୁନିସିପାଲଟି ।

୩. ଜୟପୁର ବ୍ଳକର ୨୨ଟି ପଚାଂୟତ ଏବଂ ବୋରିଗୁମ୍ମା ବ୍ଳକର ୧୨ଟି ପଚାଂୟତ ରହିଛି ।

୪. ଯାହାର ଭୋଟର ସଂଖ୍ୟା ଗତ ନିର୍ବାଚନରେ ଥିଲା ୧,୮୭,୦୩୬ ।

ଆଗରୁ ୩ ଥର ବିଧାୟକ ହୋଇଥିବା ବିଜେଡି ନେତା ରବି ନାରାୟଣ ନନ୍ଦ ୨୦୧୪ ନିର୍ବାଚନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ଏବେ ଉଭୟ ନେତାଙ୍କ କାର୍ଯ୍ୟଶୈଳିକୁ ଜୟପୁରବାସୀ ପରଖି ସାରିଲେଣି । ରାଜନେତାମାନେ ନିର୍ବାଚନୀ  ପ୍ରତିଶ୍ରୁତି ପୂରଣ କ୍ଷେତ୍ରରେ ବିଫଳ ହୋଇଥିବାରୁ ଜନତା ଏବେ ନୁଆ ମୁହଁ ଖୋଜୁଛନ୍ତି ।

ଜୟପୁର ସହରର ସମୀକରଣକୁ ଅତି ନିକଟରୁ ଆକଳନ କରୁଥିବା ବରିଷ୍ଟ ସାମ୍ବାଦିକମାନେ କୁହନ୍ତି ଆବଶ୍ୟକତା ଅନୁସାରେ ଜୟପୁର ନିର୍ବାଚନ ମଣ୍ଡଳୀର ବିକାଶ ହୋଇନାହିଁ । ଏବେ ବି ରାସ୍ତାଘାଟର ସୁବିଧା ନଥିବାରୁ ଖଟିଆରେ ବୁହାହୁଅନ୍ତି ରୋଗୀ । ଅନେକ ଅଂଚଳରେ ଆଲୁଅ ନଥିବା ବେଳେ ପାଣି ପାଇଁ ମାଇଲ ମାଇଲ୍ ବାଟ ଚାଲନ୍ତି ଆଦିବାସୀ ମହିଳା । ବର୍ତ୍ତମାନ ପରିସ୍ଥିତିରେ ଜୟପୁରରେ ବିଜେପିର କୌଣସି ନେତା ନଥିବା ଯୋଗୁଁ ବିଜେଡ଼ି ଓ କଂଗ୍ରେସ ଭିତରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେବ ବୋଲି ବରିଷ୍ଠ ସାମ୍ବାଦିକ ଆକଳନ କରିଛନ୍ତି ।

ସହରବାସୀ ନେତା ବାଛିବା ପାଇଁ ଚର୍ଚ୍ଚା କରୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପ୍ରସାର ଆରମ୍ଭ ହେଇଯାଇଛି । ସଭା ସମିତି ସହ ରାଲି କରି ସମର୍ଥକ ଯୋଗାଡରେ ଲାଗିପଡିଲେଣି ବିଜେଡି ଓ କଂଗ୍ରେସ ନେତା । ସବୁ ବେଳେ ବେଧଡ଼କ କହି ଚର୍ଚ୍ଚାରେ ରହୁଥିବା ତାରା ପ୍ରସାଦ ବାହିନିପତି ନିଜର କାମକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି  । ଅନ୍ୟପଟେ ବିଜେଡ଼ି ନେତା ରବି ନନ୍ଦ, ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ମୁଦ୍ଦା କରି ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି । ବର୍ଷାରେ ରାଜନୀତିର ଉଷ୍ମତା ଜୟପୁର ସହରକୁ ଏବେ ଚଳଚଞ୍ଚଳ କରିଛି ।  ଆଗାମୀ ଦିନରେ କିଏ ହେବ ନେତା କାହାକୁ ବାଛିବେ ଜନତା ତାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଛି ଅଙ୍କ କଷା ।