କନକ ବ୍ୟୁରୋ : ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳଙ୍କ ପ୍ରାର୍ଥୀ ଅଙ୍କକଷା । ତେବେ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଲାଗି ରହିଛି । ଆଜି ଜିଲ୍ଲା ପ୍ରଭାରୀ ଦୁଇ ଗୋଷ୍ଠୀଙ୍କୁ ନେଇ ବୈଠକ କରିଛନ୍ତି । ସେପଟେ ଦିବଗଂତ ବିଧାୟକ ମଦନ ମୋହନ ଦତଙ୍କ ପୁଅ ମାନସ ଦତଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ସ୍ଥିର କରିସାରିଛି ବିଜେପି । ଏହାରି ଭିତରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବାଲେଶ୍ୱରରେ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ ।

Advertisment

୨୦୧୯ରେ ହରାଇଥିବା ଆସନକୁ ନିଜ କବଜାକୁ ଆଣିବାକୁ ବିଜୁ ଜନତା ଦଳ କସରତ କରୁଥିବା ବେଳେ ପ୍ରାର୍ଥୀ ଚୟନ କଣ୍ଟା ସାଜିଛି । ବାଲେଶ୍ୱର ଜିଲ୍ଲା ସଭାପତି ରବିନ୍ଦ୍ର ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ଟିକେଟ ପାଇଁ ଚାଲିଛି ଲବି । ଉଭୟଙ୍କୁ ନେଇ ଜିଲ୍ଲା ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ବେଳେ ପ୍ୟାଚ୍ ଅପ୍ ପାଇଁ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଦୁଇ ଗୋଷ୍ଠୀଙ୍କୁ ନେଇ ବୈଠକ କରିଛନ୍ତି । କହିଛନ୍ତି, ସୁପ୍ରିମୋଙ୍କ ମୋହର ପରେ ପ୍ରାର୍ଥୀ ଘୋଷଣା କରିବ ବିଜେଡି ।

ଏପଟେ ନିଜ ଆସନକୁ ପାଖରେ ରଖିବାକୁ କମିଟି ଗଠନ କରି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଦିବଗଂତ ବିଧାୟକ ମଦନ ମୋହନ ଦତଙ୍କ ପୁଅ ମାନସ ଦତଙ୍କୁ ମୈଦାନକୁ ଆଣି ଦଳ ଅନୁକମ୍ପା ଭୋଟ୍ ହାତେଇବାକୁ ଚାହୁଁଛି ।

ସେପଟେ କଂଗ୍ରେସ ଏହି ଆସନରେ ଟକ୍କର ଦେବା ପାଇଁ ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିପାରେ । ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ଦଳଙ୍କ ପ୍ରାର୍ଥୀ ଅଙ୍କକଷା ।