ପଞ୍ଚାୟତ ପରାଜୟର ବଦଲା ପୌରରେ ନେବେ କି ବିରୋଧୀ । ଯାଜପୁରରେ ଜୋରଦାର ପ୍ରଚାର କଲେ କଂଗ୍ରେସ, ବିଜେପି ।

82

କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଆଜି ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଆଉ ଦିନ କେଇଟା ପରେ ହେବ ଭୋଟ ଗ୍ରହଣ । ନିର୍ବାଚନ ପାଇଁ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ଉଷ୍ମତା ବଢ଼ିବାରେ ଲାଗିଛି । ଏଥର ଯାଜପୁର ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷ ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି । ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ରାଜ୍ୟର ତିତି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲାଗିରହିଛି ଛକାପଞ୍ଝା ।

ଯାଜପୁର ବ୍ୟାସନଗର ପୌର ନିର୍ବାଚନକୁ ନେଇ ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ ମୁକାବିଲା କରିବାରେ ବିଫଳ ହୋଇଥିବା କଂଗ୍ରେସ, ବିଜେପି ପୌର ନିର୍ବାଚନରେ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି । ବ୍ୟାସନଗର ପୌରପାଳିକାର ଅଧ୍ୟକ୍ଷ ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ମୋଟ ୨୬ଟି ୱାର୍ଡର ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପୌରାଧ୍ୟକ୍ଷ ଆସନ ପାଇଁ ବିଜେଡ଼ିରୁ ସଙ୍ଗୀତା ପିଙ୍ଗୁଆ, ବିଜେପିରୁ ସୁମିତ୍ରା ଜାମୁଦା ଓ କଂଗ୍ରେସରୁ ମଞ୍ଜୁଲଛମନ ବାନାରା ନାମାଙ୍କନପତ୍ର ଦାଖଲ କରିଛନ୍ତି । ତିନି ପ୍ରାର୍ଥୀ ଏଥର ବିକାଶର ମୁଦ୍ଦାକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି ।

ମଞ୍ଜୁଲଛମନ ବାନାରା, କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀ
ସୁମିତ୍ରା ଜାମୁଦା, ଅଧ୍ୟକ୍ଷା ପ୍ରାର୍ଥିନୀ, ବିଜେପି
ସଙ୍ଗୀତା ପିଙ୍ଗୁଆ, ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥୀ

କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରବେଶ ଦ୍ୱାର ଭାବେ ଜଣାଶୁଣା ବ୍ୟାସନଗର ପୌରାଞ୍ଚଳ । ଗତ ନିର୍ବାଚନରେ ବ୍ୟାସନଗର ପୌରପାଳିକା ବିଜେଡ଼ି କବଜାରେ ଥିଲା । ହେଲେ ଏଥର ସବୁ ଦଳ ଏଠାରେ ପ୍ରାର୍ଥୀ ଦେଇଛନ୍ତି । ୨୬ଟି ୱାର୍ଡ ପାଇଁ ମୋଟ୍ ୯୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମୋଟ୍ ୩୫ହଜାର ୩୪୮ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ । ଏହି ପୌରାଞ୍ଚଳରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ବୋଲି ଆଶା କରାଯାଉଛି । ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନାମାଙ୍କନ ପତ୍ର ଦାଖଲ ହେବା ପର୍ଯ୍ୟନ୍ତ ଦଳୀୟ ନେତା ମାନେ ନିଜର ଗୋଟିଚାଳନା କରିଛନ୍ତିି । ତିନି ଦଳ ସେମାନଙ୍କ ପ୍ରଚାର ଜୋରଦାର କରିଛନ୍ତି । ଏଥର କିନ୍ତୁ ବିଜେଡ଼ି ପୁଣି ବ୍ୟାସନଗର ସହ ଯାଜପୁରର ଅନ୍ୟ ପୌର ପରିଷଦ ଦଖଲ କରିବ ବୋଲି କହିଛନ୍ତି ଦଳୀୟ ନେତା । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ନିଜର ମତ ସାବ୍ୟସ୍ତ କରିବେ ମତଦାତା । ବିଜେଡ଼ି ଦଖଲରେ ଥିବା ଏହି ପୌରପାଳିକା ଚଳିତ ଥର କାହା କବଜାକୁ ଯାଉଛି ତାହା ନିର୍ବାଚନର ଫଳାଫଳରୁ ହିଁ ସ୍ପଷ୍ଟ ହେବ ।