ଗଞ୍ଜାମରେ ତେଜୁଛି ରାଜନୈତିକ ହିଂସା । କିଛି ଦିନ ମଧ୍ୟରେ ଗଡିଲାଣି ୩ଟି ମୁଣ୍ଡ । ସୁନୀଲ ନାହାକ ହତ୍ୟା ଘଟଣାରେ ନୂଆ ମୋଡ । ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଏତଲା
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଏବେ ଅଶାନ୍ତ ହୋଇପଡିଛି । ଦିନେ ଦୁଇ ଦିନରେ ଗଡୁଛି ଗୋଟିଏ ଗୋଟିଏ ମୁଣ୍ଡ । ବିଶେଷକରି ରାଜନୈତିକ ନେତା ବୀଭତ୍ସ ଭାବେ ହତ୍ୟାକାଣ୍ଡର ଶିକାର ହେଉଛନ୍ତି । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ଏଭଳି ହିଂସାକୁ ରୋକିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
- ବିଧାୟିକାଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା
- ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୋଗ
ଗଞ୍ଜାମ ଜିଲ୍ଲା ଦାନପୁର ସୁନୀଲ ନାହାକଙ୍କ ବୀଭତ୍ସ ହତ୍ୟାକାଣ୍ଡ ପାଇଁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ୱାମୀ ତଥା ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ସେ ହିଁ ସୁନୀଲଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ସୁନୀଲଙ୍କ ସମ୍ପର୍କୀୟ ମନୋଜ ପ୍ରଧାନ । ଏବଂ ଦୈତାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । କେବଳ ଦୈତାରୀ ନୁହନ୍ତି, ଆଉ କିଛି ସ୍ଥାନୀୟ ବିଜେଡି ନେତାଙ୍କ ବିରୋଧରେ ମଧ୍ୟ ଏତଲା ହୋଇଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ଲକ ଅଧ୍ୟକ୍ଷ ।
କେବଳ ସୁନୀଲ ନାହାକ ନୁହେଁ ଚଳିତ ମାସରେ ଗଞ୍ଜାମ ଜିଲ୍ଲାର ତିନି ଜଣ ବିଜେଡି ଯୁବ ନେତାଙ୍କର ହତ୍ୟା ହେଲାଣି । ଗତ ୨୮ତାରିଖରେ ସୁନୀଲଙ୍କୁ ଦାନପୁରରେ ହତ୍ୟା କରାଯାଇଥିବାବେଳେ, ଧରାକୋଟ ଶେରଗଡ ପଞ୍ଚାୟତର ଅନୀଲ କୁମାର ମହାନ୍ତିଙ୍କୁ ୨୯ତାରିଖରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ସେହିପରି ଚଳିତ ମାସ ୧୦ତାରିଖରେ ଶେରଗଡ ଥାନା ଅନ୍ତର୍ଗତ କୁମାରପାଣି ଗାଁର ବିଜେଡି ଯୁବ ନେତା ମଧୁସୂଦନ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା । ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଉପରକୁ ମଧ୍ୟ ଶୁକ୍ରବାର ବୋମାମାଡ ହୋଇଛି । ଯାହାକୁ ନେଇ ସ୍ତବ୍ଧ ହୋଇଯାଇଛି ପୂରା ଜିଲ୍ଲା ।
ଗଞ୍ଜାମରେ ଲଗାତାର ଭାବେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ଘଟିବା ସାରାରାଜ୍ୟରେ ଆଲୋଡନ ବିଷୟ ହୋଇଛି । ଆଉ ଗଞ୍ଜାମ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ତେବେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ।
ଗଞ୍ଜାମ ପୁଲିସ ଜିଲ୍ଲାରେ ୯ ମାସରେ ମୋଟ ୬୩ଟି ହତ୍ୟା ମାମଲା ରୁଜୁ ହୋଇଛି । କେବଳ ଚଳିତ ସେପ୍ଟେମ୍ବର ମାସରେ ୧୧ଟି ହତ୍ୟା ମାମଲା ରୁଜୁ ହୋଇ ସାରିଲାଣି । ଯାହାକୁ ନେଇ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ସାଧାରଣରେ ଆଲୋଚନା ହେଉଛି ।