ନେତା ମାଲିଲେନି କରୋନା ନିୟମ । ଶୋଭାଯାତ୍ରାରେ ଯାଇ କଲେ ନାମାଙ୍କନ

81

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ବେଳେ ନେତା ମାନିଲେନି କୋଭିଡ ନିୟମ । ନାମାଙ୍କନ ଦାଖଲର ଶେଷ ଦିନରେ ନୟାଗଡ, ସମ୍ବଲପୁର, କେନ୍ଦୁଝର ଓ କେନ୍ଦ୍ରାପଡାରୁ ଆସିଥିବା ଦୃଶ୍ୟରୁ ଏହା ସ୍ପଷ୍ଟ ହୋଇଛି । ବିନା ମାସ୍କରେ ନେତା କର୍ମୀ ପଟୁଆରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟରେ କରୋନା ନିୟମ ମାନୁନାହାନ୍ତି ପ୍ରାର୍ଥୀ । ନୟାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏପରି ଲୋକ ଗହଳି ଦେଖିବାକୁ ମିଳିଥିଲ ଯେ ସୋରିଷ ପକାଇବାକୁ ଜାଗା ନଥିଲା । ଭିଡ ଜମାଇଥିବା ଅଧିକାଂଶ ସମର୍ଥକ ମୁହଁରେ ମାସ୍କ ପିନ୍ଧିନଥିଲେ, ଯେଉଁ କିଛି ଲୋକ ମାସ୍କ ପିନ୍ଧିଥିଲେ, ସେମାନଙ୍କ ମଧ୍ୟରୁ କାହର ମାସ୍କ ଥୋଡି ତଳେ, ଆଉ କାହାର ମାସ୍କ ବେକରେ ଝୁଲି ରହିଥିଲା ଆଉ ସାମାଜିକ ଦୂରତା କଥା ନକହିବା ଭଲ ।

ସମ୍ବଲପୁରରେ ନାମାଙ୍କନର ଶେଷ ଦିନରେ ନିର୍ବାଚନ କମିଶନ ଜାରି କରିଥିବା ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ ହୋଇଛି । ଦେଖିଲେ ଲାଗୁଛି, ସେତେ ଯେମିତି ନେତା, ପ୍ରାର୍ଥୀ କରୋନା ନିୟମ ଭୁଲି ଯାଇଛନ୍ତି । ନା ନେତାଙ୍କ ଶୋଭାଯାତ୍ରାରେ ପାଖ ମାଡିପାରି ନାହେଁ କରୋନା ବୁଝା ପଡୁନି । ତେବେ ବଡ କଥା ହେଉଛି, ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରୋନା ନିୟମକୁ ପ୍ରାର୍ଥୀ ମାନେ ଫୁ କରି ଉଡେଇ ଦେଇଛନ୍ତି ।

ସେପଟେ କେନ୍ଦୁଝରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶତାଧିକ କର୍ମୀଙ୍କ ସହ ଏକ ପଟୁଆରରେ ଆସି ଜିଲ୍ଲାପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ଦଳର ଆଗଧାଡିର ନେତା ଆସି ନିଜ ଦବଦବା ଜାହିର କରୁଥିବା ଅଭିଯୋଗ ହୋଇଛି । ଶାସକ ଦଳର ନେତା ଖୋଲାଖୋଲି କୋଭିଡ ନିୟମ ଭାଙ୍ଗୁଥିବା ଅଭିଯୋଗ କରିଛି ବିଜେପି । କେନ୍ଦ୍ରାପଡାରେ ମଧ୍ୟ ନିର୍ବାଚନ କମିଶନଙ୍କ ଏସଓପିକୁ ଭାଙ୍ଗିଛନ୍ତି ପ୍ରାର୍ଥୀ ଓ କର୍ମୀ । ଗରଦପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ପ୍ରାର୍ଥୀଙ୍କ ସହ ଆସିଥିବା ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିନା ମାସ୍କରେ ଶତାଧିକ ଲୋକ ରୁଣ୍ଡ ହୋଇଛନ୍ତି, ସାମାଜିକ ଦୂରତା କେହି ରକ୍ଷା କରୁନାହାନ୍ତି । ବଡକଥା ହେଉଛି ଏସବୁ ପୁଲିସ କର୍ମଚାରୀଙ୍କ ଉପସ୍ଥିତରେ ହେଉଛି ।