ମନେରହିବେ ମହାରଥୀ । ବିଧାୟକ ମହାରଥୀଙ୍କୁ ଝୁରୁଛି ବିଧାନସଭା । ଶୋକ ପ୍ରସ୍ତାବ ବେଳେ ଭାବବିହ୍ୱଳ ବିଧାୟକ,ମନ୍ତ୍ରୀ । ତାଙ୍କ ଠାଣୀ, ଚାହାଣୀ ଓ ମଜାଳିଆ କଥାକୁ ଝୁରୁଛନ୍ତି ସମସ୍ତେ ।

853

କନକ ବ୍ୟୁରୋ: ମହାରଥୀଙ୍କୁ ଝୁରୁଛି ବିଧାନସଭା । ପ୍ରଦୀପଙ୍କ ପରଲୋକ ପରେ ତାଙ୍କୁ ଖୋଜୁଛି ବିଧାନସଭା । ପିପିଲିରୁ ୭ ଥର ବିଧାୟକ ଭାବେ ଜିତିଥିବା ମହାରଥୀଙ୍କ ସହ ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ହେବ ବିଧାନସଭାର ସମ୍ପର୍କ । ବିଧାନସାଭାରେ ଆତଜାତ, ତାଙ୍କ ଠାଣୀ, ଚାହାଣୀ ଓ ମଜାଳିଆ କଥା ସହ ଗୃହ ଭିତରର ପ୍ରଶ୍ନକୁ ଆଜି ସମସ୍ତେ ଝୁରୁଛନ୍ତି ଆଉ ସବୁ ମନ୍ତ୍ରୀ ବିଧାୟକଙ୍କ ସହ ବି ସମ ପରିମାଣରେ ବିଧାନସଭା ଝୁରୁଛି ।

ତେବେ ଆଜି ପ୍ରଦୀପ ମହାରଥୀଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଣିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ଆଜି ମହାରଥୀଙ୍କ ଅବର୍ତମାନରେ ମହାରଥୀଙ୍କୁ ଝୁରୁଛି ବିଧାନସଭା । ଗୃହରେ ମହାରଥୀଙ୍କ ସ୍ମୃତି ଚାରଣ ସମୟରେ ଭାବବିହ୍ୱଳ ହୋଇପଡିଥିଲେ ସମସ୍ତ ବିଧାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖୀତ ଓ ମର୍ମାହତ ବୋଲି ବିବୃତି ରଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ସେହିପରି ତାଙ୍କର ବିୟୋଗରେ ଗୃହରେ ଭାବବିହ୍ୱଳ ହୋଇପଡିଥିଲେ ବିରୋଧୀ ଦଳ ସଦସ୍ୟ ତାରାପ୍ରସାଦ ବାହିନୀପତି । ବିଜେପି ବିଧାୟକ କୁସୁମ ଟେଟେ କାନ୍ଦି ପକାଇଥିଲେ । ମହାରଥୀଙ୍କ ସ୍ମୃତିଚାରଣ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମହାରଥୀଙ୍କୁ ଜଣେ ସଫଳ ରାଜନେତା ଓ ଜନପ୍ରିୟ ନେତା ଥିଲେ । ମହାରଥୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଂଜଳି ଜଣାଇ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ଗୃହରେ ୧ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଲେ ମରିନାହିଁ ମହାରଥୀ ,ସରିନାହିଁ ରାଜନୀତି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା ସିଂ ମହାରଥୀଙ୍କୁ ମନେ ପକାଇ କହିଥିଲେ ଶହେ ଘୋଡାକୁ ଶହେ ହାତୀ, ଏକା ଲଢିବ ମହାରଥୀ ।