କନକ ବ୍ୟୁରୋ : ରାଜନୀତିରେ ଗ୍ରାମାଞ୍ଚଳ କ୍ରୀଡ଼ା । ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଏବେ ଗାଁ ମୁହାଁ ହୋଇଛନ୍ତି ନେତା । ଗ୍ରାମାଞ୍ଚଳ ଭୋଟରକୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏବେ ଗାଁ ଗାଁରେ ଚାଲିିଛି ଫୁଟବଲ, କ୍ରିକେଟ, ଭଲିବଲ ଖେଳ । ନେତା ଏହି ମଉକାକୁ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି । ତେଣୁ ଗାଁ ଗହଳିରେ ଯେଉଁଠି ଖେଳ ହେଉଛି ସେଇଠି ପହଁଚି ଯାଉଛନ୍ତି ନେତା । ନିଜ କର୍ମୀମାନଙ୍କୁ ନେଇ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇ ଇସାରା ଇସାରାରେ ଲୋକମାନଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି ।

Advertisment

ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ ଏବେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଚାଲିଛି । କାଲିମେଳା, ଏମଭି-୧୨୬ , ଏମଭି-୭୯ ଓ ମାଂଗିପାଲୀ ପରି ଗାଁମାନଙ୍କରେ ଯୁବଗୋଷ୍ଠୀ ଦ୍ୱାରା ଏହି ସବୁ ଖେଳର ଆୟୋଜନ କରାଯାଉଛି । ତେବେ ଏହି ସବୁ ଟୁର୍ଣ୍ଣାମେଣ୍ଟରେ ଏବେ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । ଗହଳି ବି ହେଉଛି । ବିଶେଷ କରି ଯୁବବର୍ଗ ଏହି ସବୁ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରୁଥିବାରୁ ନେତାମାନେ ସେମାନଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ବିଶେଷ କରି ବିଜୁ ଜନତା ଦଳର ନେତାମାନେ ଏବେ ଗ୍ରାମାଞ୍ଚଳ କ୍ରୀଡ଼ା ଉପରେ ବେଶି ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ନେତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବି କରାଯାଉଛି ।

ଖେଳ ବାହାନାରେ ନେତା ବିଭିନ୍ନ ବର୍ଗର କର୍ମୀ ଓ ସ୍ଥାନୀୟ ନେତା ମାନଙ୍କ ସହିତ ସଂପର୍କ ଯୋଡ଼ିବାରେ ଲାଗିପଡ଼ିଛନ୍ତି । ବିଜେଡି ପୂର୍ବତନ ବିଧାୟକ ମାନସ ମାଡ଼କାମୀ ଓ ମୁକୁନ୍ଦ ସୋଡ଼ିଙ୍କ ସହିତ କଂଗ୍ରେସର ଯୁବ ନେତା ମାଲା ମାଢ଼ି ମଧ୍ୟ ଏହି ସବୁ ଟୁର୍ଣ୍ଣାମେଣ୍ଟରେ ସାମିଲ ହେଉଛନ୍ତି । ତେବେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ କରି ଦଳକୁ ମଜଭୁତ କରିବାକୁ ପ୍ରୟାସ କରାଯାଉଥିବା ବେଳେ ବିଜେଡି କିନ୍ତୁ ଗ୍ରାମାଞ୍ଚଳ ଯୁବ ଭୋଟରକୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛି । ଯଦିଓ ବିଜେଡ଼ି ଖେଳକୁ ରାଜନୀତି ସହିତ ଯୋଡ଼ିବାକୁ ଅସ୍ୱୀକାର କରିଛି ତଥାପି ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦଳ କିପରି ପାର କରିବ ତାହା ହିଁ ଦଳର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି କଂଗ୍ରେସ ନେତା ।