କନକ ବ୍ୟୁରୋ : ଅନେକ ବାଦ ବିବାଦ ସତ୍ୱେ ଝାଡଖଣ୍ଡର ସୋରେନ ପରିବାର ପ୍ରତି ରହିଆସିଛି ଆଦିବାସୀଙ୍କ ସମର୍ଥନ । ଯାହା ପୁଣିଥରେ ପ୍ରମାଣିତ ହୋଇଛି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିଜେପିକୁ ମିଳିଛି ସବୁଠୁ ଅଧିକ ପ୍ରତ୍ୟାଖ୍ୟାନ । ୨୮ଟିରୁ ମାତ୍ର ୨ଟି ଜିତିଛି ବିଜେପି । ସିନିୟର ସୋରେନଙ୍କ ପରେ ହେମନ୍ତ ସୋରେନଙ୍କ ଉପରେ ଅଜାଡି ହୋଇପଡିଛି ଭୋଟରଙ୍କ ଆଶୀର୍ବାଦ । ଝାଡଖଣ୍ଡରେ ବିଜେପିକୁ ଚେକ୍ ଦେବାରେ ସମର୍ଥ ହୋଇଛି ଶିବୁ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା- ଜେଏମଏମ ।

Advertisment

ଶିବୁ ସୋରେନ୍ । ‘ଗୁରୁଜୀ’ ଭାବେ ପରିଚିତ । ତିନି ତିନଥରର ମୁଖ୍ୟମନ୍ତ୍ରୀ । ସାନ୍ତାଳିଙ୍କ ବଡ ଚେହେରା । ଅନେକ ଉତଥାନ ପତନ ଦେଇ ଗତି କରିଛି ଶିବୁ ସୋରେନଙ୍କ ରାଜନୈତିକ ଜୟଯାତ୍ରା । ୨୦୦୫ରେ ୧୦ ଦିନ ପାଇଁ ହୋଇଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ପୁଣି ୨୦୦୮ରୁ ୨୦୦୯ ଓ ୨୦୦୯ରୁ ୨୦୧୦ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ନରସିଂହା ରାଓ ସରକାରଙ୍କୁ ବଂଚାଇବା ପାଇଁ ନୋଟ ଫର ଭୋଟର ଅଭିଯୋଗ ବି ତାଙ୍କ ବିରୋଧରେ ରହିଛି । ଆଉ ଏହି ଡିଲର ଗୁମର ଜାଣିଥିବା ତାଙ୍କ ବ୍ୟକ୍ତିଗତ ସଚିବ ଶଶୀନାଥ ଝା ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତି ଅଭିଯୋଗରେ ଆଜୀବନ କାରାଦଣ୍ଡ ପରେ ପୁଣି ସୁପ୍ରିମକୋର୍ଟରୁ ଦୋଷମୁକ୍ତ ବି ହୋଇଛନ୍ତି ଶିବୁ ସୋରେନ୍ ।

କୁହାଯାଉଛି ଝାଡଖଣ୍ଡରେ ସାନ୍ତାଳିମାନଙ୍କ ଏକ ବଡ ସଂଖ୍ୟାର ସମର୍ଥନ ସବୁବେଳେ ଗୁରୁଜୀ ଅର୍ଥାତ ସିବୁ ସୋରେନଙ୍କ ପଛରେ ରହିଆସିଛି । ତାଙ୍କ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଆଦିବାସୀଙ୍କ ଜନମତ ମିଳୁଛି । ବିଜେପିର ଅଣଆଦିବାସୀ ଚେହେରା ରଘୁବର ଦାସଙ୍କ ତୁଳନାରେ ଜେଏମଏମର ହେମନ୍ତ ସୋରେନଙ୍କୁ ମିଳିଛି ବହୁମତ ।

ସରକାରରେ ବସିବାକୁ ୫ ବର୍ଷର ଅପେକ୍ଷା । କିନ୍ତୁ ଏହି ଅପେକ୍ଷାର ଅନ୍ତ ଅତ୍ୟନ୍ତ ମଧୁର । କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନ୍ । ୨୦୧୪ରେ ଦ୍ୱିତୀୟଥର କ୍ଷମତା ଦଖଲ କରିବାକୁ ଯେତେବେଳେ ହେମନ୍ତ ସୋରେନ ଜୋରଦାର ପ୍ରଚାର କରୁଥିଲେ, ସେତେବେଳେ ଚର୍ଚ୍ଚା ହେଲା ଯେ, ବାପା ଶିବୁ ସୋରେନଙ୍କ ପରିଚୟରୁ ବାହାରି ନିଜସ୍ୱ ପରିଚୟ ତିଆରି କରିବାକୁ ଚାହୁଁଛନ୍ତି ହେମନ୍ତ । ହେଲେ ଦୁମକା ଆସନ ସହ ସରକାର ହରାଇଥିଲେ ହେମନ୍ତ ସୋରେନ୍ ।

କୁହାଯାଉଛି ରାଜନୈତିକ ଉତରାଧିକାରୀ ଭାବେ ହେମନ୍ତଙ୍କ ପରିବର୍ତେ ବଡପୁଅ ଦୁର୍ଗା ସୋରେନଙ୍କୁ ପସନ୍ଦ କରୁଥିଲେ ବାପା ଶିବୁ ସୋରେନ୍ । ହେଲେ ୨୦୦୯ରେ ଅପ୍ରତ୍ୟାସିତ ଭାବେ ଦୁର୍ଗା ସୋରେନଙ୍କ ମୃତ୍ୟୁ ହେଲା । ଶୋଇଥିବା ଅବସ୍ଥାରେ ତାଙ୍କର ବ୍ରେନ ହ୍ୟାମରେଜ ହୋଇଥିବା କୁହାଗଲା, ଯାହାକୁ ନେଇ ସନ୍ଦେହ ବି ରହିଛି । ଆଉ ୨୦୦୯ ପର୍ଯ୍ୟନ୍ତ ରାଜନୀତିର ଧାର ଧରିନଥିବା ହେମନ୍ତ ସୋରେନ ଅଚାନକ ଚର୍ଚ୍ଚାକୁ ଆସିଗଲେ । ୨୦୦୯ରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ।

୨୦୧୦ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିବା ପରେ ପୁଣି ଝାଡଖଣ୍ଡରେ ଅର୍ଜୁନ ମୁଣ୍ଡାଙ୍କ ଅଧିନରେ ହେଲେ ଉପମୁଖ୍ୟମନ୍ତ୍ରୀ । ହେଲେ ମାତ୍ର ୨ ବର୍ଷ ପରେ ଭାଙ୍ଗିଗଲା ବିଜେପି-ଜେଏମଏମ ମେଂଟ ସରକାର । ରାଷ୍ଟ୍ରପତି ଶାସନ ଲାଗୁର ୬ ମାସ ପରେ କଂଗ୍ରେସ ଓ ଆରଜେଡି ସମର୍ଥନରେ ସରକାରରେ ବସିବା ସହ ଦେଢବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ବନିଲେ ହେମନ୍ତ ସୋରେନ । ପୁଣିଥରେ ଏହି ଆସନକୁ ଫେରିବା ପାଇଁ ଲାଗିଗଲା ୫ ବର୍ଷ । କେବଳ ବିଜେପିକୁ ଦୂରେଇ ରଖିବା ପାଇଁ ଝାଡଖଣ୍ଡରେ ଛୋଟିଆ ସାଥୀର ଭୂମିକା ନିଭାଇବାକୁ ପ୍ରସ୍ତୁତ ହୋଇଗଲା କଂଗ୍ରେସ ଦଳ ।