ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନେତା ନଂ-୨ । ବିବାଦ ଭିତରୁ ରାଜନୈତିକ ଦୁନିଆରେ ଚାଣକ୍ୟ ବୋଲାଉଥିବା ଶାହା, ସାଂସଦରୁ ଗୃହମନ୍ତ୍ରୀ ଏତେ ସହଜ ନଥିଲା ରାଜନୈତିକ ଯାତ୍ରା ।

499

କନକ ବ୍ୟୁରୋ : କେମିତି ବିଜେପିର ନେତୃତ୍ୱ ନେଲେ ଅମିତ ଶାହା ? କେଉଁ ପରିସ୍ଥିତିରେ ମୋଦିଙ୍କ ଅତି ନିକଟତର ହେଲେ ଶାହା । ଏହାକୁ ନେଇ ଯେତେ କାହାଣୀ, ସେତେ ସଂଘର୍ଷ । ଗୁଜୁରାଟରୁ ଦିଲ୍ଲୀ ପହଂଚିବା ଭିତରେ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି ଆଜି ଦିନର ଗୃହମନ୍ତ୍ରୀ । ଦିନ ଏମିତି ବି ଥିଲା, ଯେଉଁ ଦିନ ଅମିତ ଶାହାଙ୍କୁ ନିଜ ରାଜ୍ୟରୁ ତଡିପାର ହେବାକୁ ପଡ଼ିଥିଲା ।

ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଅତି ପ୍ରଭାବଶାଳୀ ନେତା ଅମିତ ଶାହାଙ୍କ ଯାତ୍ରା ଏତେ ସହଜ ନଥିଲା । ବିବାଦ ଭିତରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଅମିତ ଶାହାଙ୍କୁ ଏକଦା ନିଜ ରାଜ୍ୟ ଗୁଜୁରାଟରୁ ତଡ଼ିପାର୍ ହେବାକୁ ପଡ଼ିଥିଲା । ହେଲେ ସବୁ ବିବାଦକୁ ଅତିକ୍ରମ କରି ଆଜି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନମ୍ବର-ଟୁ ନେତା ହେଉଛନ୍ତି ଅମିତ ଶାହା । ମୋଦି ଓ ଶାହା ଯୋଡ଼ିକୁ ବିଜେପି ସମର୍ଥକ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଯୋଡ଼ି ସହ ମଧ୍ୟ ତୁଳନା କରନ୍ତି । ଅବଶ୍ୟ ଏହି ତୁଳନା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଅନେକ ସମୟରେ ବିବାଦ ହୁଏ ।

କେମିତି ଆରମ୍ଭ ହୋଇଥିଲା ଅମିତ ଶାହାଙ୍କ ଯାତ୍ରା ? କେମିତି ମୋଦିଙ୍କ ଅତି ନିକଟତର ବନିଲେ ଶାହା? ଗୁଜୁରାଟରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଏକାଧିକ ପୋଟଫୋଲିଓ ନେଇ ମନ୍ତ୍ରୀ ଥିଲେ ଅମିତ ଶାହା । ୧୯୯୭ ଉପନିର୍ବାଚନକୁ ମିଶାଇ ୨୦୦୭ ଯାଏଁ ଶେରଖେଜ୍ ବିଧାନସଭା ଆସନରୁ କ୍ରମାଗତ ୪ଥର ନିର୍ବାଚିତ ହୋଇଥିଲେ ଅମିତ ଶାହା । ହେଲେ ୨୦୧୨ ନାରନପୁର ଆସନରୁ ନିର୍ବାଚିତ ହେବା ପରେ, ଜାତୀୟ ସ୍ତରରେ ଶାହାଙ୍କ ଗୁରୁତ୍ୱ ବେଶ ବଢ଼ିିଯାଇଥିଲା । ଆଉ ଯେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦର ଦାୟିତ୍ୱ ମିଳିଥିଲା ଭାରତ ଦେଇଥିଲା ରାଜନୈତିକ ସଂଗଠନର ଏକ ନୂଆ ରଣନୀତି ।

ଗୁଜୁରାଟରୁ ଦିଲ୍ଲୀ, ସବୁଠି ମୋଦିଙ୍କ ପାଖେପାଖେ ଥିବା ଶାହା, ଗାନ୍ଧୀନଗରରୁ ଦିଲ୍ଲୀ ଆସିଲେ । ଏହାରି ଭିତରେ ସାଂସଦ ଏବଂ ସାଂସଦରୁ ଗୃହମନ୍ତ୍ରୀ । ହେଲେ ବିଡ଼ମ୍ବନା ଦେଖନ୍ତୁ, ୨୦୦୨ ଗୁଜୁରାଟ ଦଙ୍ଗା ବେଳେ ବାଜପେୟୀ ନରେନ୍ଦ୍ର ମୋଦିଙ୍କ ଯେଉଁ ରାଜଧର୍ମର ପାଠ ପଢ଼ାଇଥିଲେ, ସେଇ ରାଜଧର୍ମର ପାଠ ଆଜି ଅମିତ ଶାହାଙ୍କୁ ପଢ଼ାଉଛନ୍ତି ବିରୋଧୀ ।