ଓଡିଶା ଦେଖିଲା ରାଜନୀତିର ହାଇଡ୍ରାମା । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସ ପହଂଚିଲେ ବିଜେପି ବିଧାୟକ । ଗୃହ ସ୍ୱାଭାବିକ କରିବା ନେଇ ନବୀନ କଲେ ଆଲୋଚନା ।

165

କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ ବୋଧହୁଏ ପୂର୍ବରୁ ଏମିତି କେବେ ବି ଦେଖିବାକୁ ମିଳିନଥିଲା । ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଭିତରେ ଆଲୋଚନା କରିବା ପାଇଁ ଡାକିଥିଲେ । ଆଉ ବିଜେଡିର କିଛି ତୁଙ୍ଗ ନେତା ହାତଯୋଡି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ରାଜନୀତିର ଏହି ରୋଚକ ଦୃଶ୍ୟର ପୃଷ୍ଠଭୂମି ପଡିଥିଲା ବିଧାନସଭା ଆରମ୍ଭ ହେବା ପରେ…

ଆଜି ସକାଳ ୧୦ଟାରେ ବିଧାନସଭା ଆରମ୍ଭ ହୋଇଥିଲା । ମଣ୍ଡି ସମସ୍ୟା ଓ ଆତ୍ମହତ୍ୟା ଉଦ୍ୟମ ବିବାଦକୁ ନେଇ ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଆରମ୍ଭ କରିଦେଲେ ହଟ୍ଟଗୋଳ । ଯାହାଫଳରେ ଗୃହ ଠିକ୍ ଭାବେ ଚାଲିପାରିନଥିଲା । ଆଉ ଦିନ ଗୋଟାଏ ସମୟରେ ପୂର୍ବ ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଆସିଲେ ବିଜେପି ବିଧାୟକ ।

ତେବେ ଏହାପୂର୍ବରୁ ବିଧାନସଭା ଅଚଳ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ବିଜେଡି ବିଧାୟକମାନେ ଲୋକସେବା ଭବନକୁ ଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ।  ଲୋକସେବା ଭବନକୁ ବିଜେପି ବିଧାୟକ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଅଛନ୍ତି ସେଠାକୁ ଯିବା ପାଇଁ ପରାମର୍ଶ ଦେଲେ ବିଜେଡି ବିଧାୟକ । ଆଉ ଏହାପରେ ନବୀନ ନିବାସ ଅଭିମୁଖେ ଚାଲି ଚାଲି ବାହାରିଲେ ବିଜେପି ବିଧାୟକ । ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କୁ ବାଟ କଢ଼ାଇ ନେଇଥିଲେ କିଛି ବିଜେଡି ନେତା । ସତେ ଯେମିତି ବିଜେଡି ସଂପୂର୍ଣ୍ଣ ଯୋଜନା କରି ସାରିଥିଲା ।

ନବୀନ ନିବାସରେ ପହଞ୍ଚିବା ପରେ ଦିନ ପ୍ରାୟ ୨ଟା ବେଳେ ଧାରଣାରେ ବସିଥିଲେ ବିଜେପି ବିଧାୟକ । ସେମାନଙ୍କ ଦାବି ଥିଲା, ଗୃହ ଚାଲି ପାରୁନଥିବା ବେଳେ କାହିଁକି ଗୃହକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ, ତାଙ୍କର ଦେଖା ମିଳୁନଥିବାରୁ ସେମାନେ ଚାଲି ଚାଲି ଆସିଛନ୍ତି । ଏହାପରେ ଆରମ୍ଭ ହୋଇଥିଲା ରାଜନୀତିର ରୋଚକ ଦୃଶ୍ୟ, ଯାହା ଆଗରୁ କେବେ ଦେଖିବାକୁ ମିଳିନଥିଲା । ବିଜେପି ବିଧାୟକଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ । ମନ୍ତ୍ରୀ ସମୀର ଦାଶ, ପ୍ରମିଳା ମଲ୍ଲିକ, ରୋହିତ ପୂଜାରୀ ପ୍ରମୁଖ ବିଜେପି ବିଧାୟକଙ୍କୁ ହାତ ଯୋଡି ଭିତରକୁ ଯିବାକୁ ଅନୁରୋଧ କରିଥିଲେ, ହେଲେ ବିଜେପି ବିଧାୟକମାନେ ରାଜି ହୋଇନଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଁଚିଥିଲେ ବିଜେପି ସଦସ୍ୟଙ୍କ ନିକଟରେ । ମୁଖ୍ୟମନ୍ତ୍ରୀ ପହଁଚିବା ପରେ ବିଜେପି ବିଧାୟକମାନେ ଧାରଣାରୁ ହଟି ନବୀନ ନିବାସ ଭିତରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମଣ୍ଡି ସମସ୍ୟା ସମାଧାନ ଓ ଗୃହକୁ ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲା ବିଜେପି ଏବଂ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦିନ ତମାମ ରାଜନୀତିର ଏହି ହାଇଭୋଲଟେଜ୍ ଡ୍ରାମା ଦେଖିଥିଲେ ରାଜ୍ୟବାସୀ । ବିରୋଧୀ ଦଳ ଯେମିତି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ରାଜନୀତିର ଦୃଶ୍ୟ ପ୍ରସ୍ତୁତ କରିଥିଲେ, ଶାସକ ଦଳ ଠିକ୍ ସେହିପରି ବିରୋଧୀ ବିଧାୟକଙ୍କୁ ଆତିଥ୍ୟ ଦେଇ ଅନୁରୂପ ରାଜନୈତିକ ଚିତ୍ର ଆଙ୍କିଥିଲେ ।