କନକ ବ୍ୟୁରୋ: ଏଥର ନିର୍ବାଚନର ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଶ୍ କିଛି ଜଣାଶୁଣା ହେଭିୱେଟ୍ ନେତା ପରାଜୟ ବରଣ କରିପାରନ୍ତି। ଏପରିକି ପରାସ୍ତ ହେଲେ ସେମାନଙ୍କ ମଧ୍ୟରୁ କେତେକଙ୍କ ରାଜନୈତିକ କ୍ୟାରିଅରର ମଧ୍ୟ ଅନ୍ତ ଘଟିପାରେ। ଏକଜିଟ୍ ପୋଲ୍ କହୁଛି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରୁ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି। ଆସନ୍ତୁ ଜାଣିବା ସେମାନଙ୍କ ମଧ୍ୟରୁ କେତେକ ହେଭିୱେଟ୍ ନେତାଙ୍କ ସ୍ଥିତି କ’ଣ ରହିଛି।
ଡ.ଦାମୋଦର ରାଉତ
ଓଡ଼ିଶା ରାଜନୀତିର ଏହି ପ୍ରବୀଣ ଓ ବିବାଦୀୟ ନେତା ଜଣକ ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଏଥର ନିର୍ବାଚନ ପୂର୍ବରୁ ସେ କେବଳ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ େହାଇ ନ ଥିଲେ, ବିଜୁ ଜନତା ଦଳ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଥିଲା। ଶେଷରେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ପାରାଦୀପ ବଦଳରେ ତାଙ୍କ ଜନ୍ମମାଟି ବାଲିକୁଦା-ଏରସମାରୁ ପ୍ରାର୍ଥୀ କରିଥିଲା। ମାତ୍ର ବିଡ଼ମ୍ବନା ହେଲା ପୂର୍ବରୁ ୫ଥର ଏରସମାରୁ ଏବଂ ପାରାଦୀପରୁ ୨ ଥର ବିଧାୟକ ଜିତିଥିବା ଦାମବାବୁ ଏଥର କିନ୍ତୁ ବାଲିକୁଦା-ଏରସମା ଆସନରୁ ହାରି ଯାଇପାରନ୍ତି। ବିଜେପିରୁ ଯାଇ ବିଜେଡି ଟିକେଟ ହାତେଇଥିବା ନବାଗତ ରଘୁନନ୍ଦନ ଦାସ ଆଗରେ ଥିବା ପୂର୍ବାନୁମାନ କରାଯାଉଛି।
ନରସିଂହ ମିଶ୍ର
ବିଧାନସଭାର ବିରୋଧୀଦଳ ନେତା ନରସିଂହ ମିଶ୍ର ରାଜ୍ୟର ଜଣେ ଅଗ୍ରଗଣ୍ୟ ହେଭିୱେଟ୍ ରାଜନେତା। ତେବେ ଏଥର ନିର୍ବାଚନରେ ତାଙ୍କ ଭାଗ୍ୟ ମଧ୍ୟ ସୂତାଖିଅରେ ଝୁଲୁଛି। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନରୁ ଚାରି ଚାରି ଥର ବିଜୟୀ ହୋଇଥିବା ଏହି ବରିଷ୍ଠ କଂଗ୍ରେସ ନେତା ପୁଣିଥରେ ବଲାଙ୍ଗୀର ବିଧାନସଭା ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଥିବାବେଳେ ବିଜେଡିର ନବାଗତ ଅର୍କେଶ ସିଂହଦେଓଙ୍କଠାରୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେଉଛନ୍ତି। ଏକଜିଟ୍ ପୋଲ୍ ପୂର୍ବାନୁମାନ ସତ ହେଲେ, ନବାଗତ ଅର୍କେଶ ହେଭିୱେଟ୍ ନରସିଂହଙ୍କୁ ମାତ୍ ଦେଇପାରନ୍ତି।
ବୈଜୟନ୍ତ ପଣ୍ଡା
ଓଡ଼ିଶା ରାଜନୀତିରେ ଆଉ ଜଣେ ଧୂରିଣ ହେଭିୱେଟ୍ ନେତା ହେଉଛନ୍ତି ବୈଜୟନ୍ତ ପଣ୍ଡା। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ୯ ବର୍ଷ ଧରି ରାଜ୍ୟସଭା ଏବଂ କେନ୍ଦ୍ରାପଡ଼ାରୁ ନିର୍ବାଚନ ଜିତି ଦୁଇ ଦୁଇ ଥର ଲୋକସଭାକୁ ଯାଇଥିବା ବୈଜୟନ୍ତ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗ ଦେଇ କେନ୍ଦ୍ରାପଡ଼ାରୁ ପୁଣିଥରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ହେଲେ ତାଙ୍କୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ‘ମୋଦୀ ଲହର୍’ ସତ୍ତ୍ବେ ବୈଜୟନ୍ତ ଏଠାରୁ ହାରି ପାରନ୍ତି।
ଖାରବେଳ ସ୍ବାଇଁ
ଜଣେ ସ୍ପଷ୍ଟବାଦୀ ଓ ସଚ୍ଚୋଟ ରାଜନେତା ଭାବେ ପରିଚିତ ଖାରବେଳ ସ୍ବାଇଁ ଦୀର୍ଘ ବର୍ଷ ଧରି ବିଜେପି ଛାଡ଼ି ‘ଉତ୍କଳ ଭାରତ’ ଦଳ ଗଢ଼ିଥିଲେ। କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ସେ ବିଜେପିକୁ ଫେରି ଯାଇଥିଲେ ଏବଂ କନ୍ଧମାଳ ଆସନରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ଏଠାରେ ତାଙ୍କୁ ବିଜେଡିର ଅଚ୍ୟୁତ ସାମନ୍ତଙ୍କୁ ସାମ୍ନା କରିବାକୁ ପଡ଼ୁଛି। ଏହି ଲଢ଼େଇରେ ଅଚ୍ୟୁତଙ୍କ ପାଲା ଭାରି ରହିଥିବା ଏକଜିଟ୍ ପୋଲ୍ ସର୍ଭେରୁ ଜଣାପଡ଼ିଛି।
ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼ ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବା ରାଜ୍ୟର ଆଉ ଜଣେ ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ମଧ୍ୟ ଏଥର ନିର୍ବାଚନ ବୈତରଣୀ ପାରି ହେବା କାଠିକର ପାଠ ହେବ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇ ହାରି ଯାଇଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ରାଜ୍ୟସଭାକୁ ପଠାଇ ଥଇଥାନ କରିଥିଲା। ତେବେ ଏଥର ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଥିବାବେଳେ ବିଜେପି ଏଠାରୁ ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ଦୁହିଁଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଛି। ତେବେ ଏଥର ସ୍ବୟଂ ମୁଖ୍ୟମନ୍ତ୍ରୀ ବିଜେପୁରର ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ଜିତିବାକୁ ଯାଉଥିବାବେଳେ ପ୍ରସନ୍ନଙ୍କ ଡଙ୍ଗା କିନ୍ତୁ ଟଳମଳ ହେଉଛି।
Follow Us
/kanak/media/post_attachments/wp-content/uploads/2018/09/DAMA-Rout-875-300x200.jpg)
/kanak/media/post_attachments/wp-content/uploads/2019/03/Narasingha-Mishra-300x200.jpg)
/kanak/media/post_attachments/wp-content/uploads/2019/05/Baijayant-Jay-Panda_d-300x197.jpg)
/kanak/media/post_attachments/wp-content/uploads/2017/08/23oriKharavela-Swain-300x218.jpg)
/kanak/media/post_attachments/wp-content/uploads/2018/12/Prasana-acharya-300x240.jpg)