ସେସୁ ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିରୋଧୀ । କଂଗ୍ରେସ କହିଲା, ବିଦ୍ୟୁତ କାଟିଲେ ବରଦାସ୍ତ କରିବୁନି । ଲାଇନ କାଟିବାକୁ ଗାଁ ଭିତରେ ପୂରାଇ ଦେବୁନି ।

212

କନକ ବ୍ୟୁରୋ : ସେସୁ ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ । ଲାଇନ୍ କାଟିଲେ ହେବ ଆନ୍ଦୋଳନ । ଏମିିତି କି ଲାଇନ୍ କାଟିବାକୁ ଆସୁଥିବା କର୍ମଚାରୀଙ୍କୁ ଗାଁକୁ ପଶିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି କଂଗ୍ରେସ । ଏପଟେ ସେସୁର ବିଜୁଳି କାଟ୍ ନିଷ୍ପତିକୁ ଜିଜିଆ କର ସହ ତୁଳନା କରାଯାଇଛି । ବିଜୁଳି ବିଲକୁ ନେଇ ଚାଲିଥିବା ଏହି ବିବାଦ, ସେତେବେଳେ ତୀବ୍ର ହୋଇଥିଲା ଯେତେବେଳେ ସେସୁର ସିଇଓ ଆସି ଡେଡଲାଇନ୍ ଘୋଷଣା କରିଥିଲେ ।

ବକେୟା ଥିବା ବିଜୁଳି ବିଲ୍ ନଦେଲେ ସେସୁ ଲାଇନ୍ କାଟିବା ପାଇଁ ସମୟୀ ସୀମା ଧାର୍ଯ୍ୟ କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି, ସେସୁ ଏବଂ ରାଜ୍ୟ ସରକାରଙ୍କୁ ଶୁଣାଇଛନ୍ତି ଚରମବାଣୀ । କଂଗ୍ରେସ ବିଧାୟକ କହିଛନ୍ତି- ପିଲାଙ୍କ ମୁଣ୍ଡ ଉପରେ ପରୀକ୍ଷା, ଆଉ ଏତିକି ବେଳେ ଲାଇନ୍ କାଟିଲେ, ବିଦ୍ୟୁତ୍ କର୍ମଚାରୀଙ୍କୁ ଗାଁକୁ ପୂରାଇ ଦିଆଯିବ ନାହିଁ । ଏମିତି ଆନ୍ଦୋଳନର ବି ଚେତାବନୀ ଦେଇଛନ୍ତି ସୁର ରାଉତରାୟ । ଏପଟେ ବିଜେପି କହିଛି- ରାଜ୍ୟ ସରକାର ଜିଜିଆ କର ଆଦାୟ ନୀତି ଆପଣାଇଛନ୍ତି ।

ବିଜୁଳି ବିଲକୁ ନେଇ ଚାଲିଥିବା ଏହି ବିବାଦ, ସେତେବେଳେ ତୀବ୍ର ହୋଇଥିଲା ଯେତେବେଳେ ସେସୁର ସିଇଓ ଆସି ଡେଡଲାଇନ୍ ଘୋଷଣା କରିଥିଲେ । ଜାନୁଆରୀ ୧୬ ସୁଦ୍ଧା ବକେୟା ବିଲ ପୈଠ ନକଲେ ବିଦ୍ୟୁତ କାଟି ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ ଅରୁଣ । ତେବେ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ୨୫ ହଜାର ଟଙ୍କାରୁ କମ ବକେୟା ଥିବା ଉପଭୋକ୍ତାଙ୍କ ପାଇଁ ୪ଟି କିସ୍ତି ମାଧ୍ୟମରେ ୩୦ ପ୍ରତିଶତ ବିଲ୍ ପଇଠ କରିବା ପାଇଁ ସେସୁ ପକ୍ଷରୁ କୁହାଯାଇଛି । ଯାହା ଦ୍ୱାରା ଏହି ଗ୍ରାହକମାନଙ୍କର ବିଦ୍ୟୁତ କଟିବ ନାହିଁ । ସେହିପରି ୫୦ ହଜାର ଟଙ୍କାରୁ ଅଧିକ ବିଲ ବକେୟା ରଖିଥିବା ଉପଭୋକ୍ତା ବିଲର ୩୦ ପ୍ରତିଶତ ଦେଇ ୬ଟି କିସ୍ତିରେ ବିଲ ପଇଠ କରିପାରିବେ ।

୮ଲକ୍ଷ ୩୬ ହଜାର ଘରୋଇ ଉପଭୋକ୍ତା ଏବଂ ୯ ହଜାର ବ୍ୟବସାୟୀ ଏବଂ ଦୋକାନ ଘରକୁ ନୋଟିସ କରାଯାଇଛି । ୧ହଜାର ୯୭୧ କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ଥିବା କାରଣରୁ ଏଭଳି ଏକ କଡା ନିଷ୍ପତି କରାଯାଇଛି । ଏହି ନିଷ୍ପତି ଅନୁସାରେ ପଦକ୍ଷେପ ନେଲେ ୧୧ହଜାର ୩୯୭ ଗାଁରେ କଟିବ ବିଜୁଳି । ତେବେ ଏସବୁ ଭିତରେ ବିଦ୍ୟୁତ ବିଲ ବକେୟା ରଖିଥିବା ୭ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ଛୋଟ ଛୋଟ ଉପଭୋକ୍ତା ୨୧ କୋଟି ଟଙ୍କା ବିଦ୍ୟୁତ ବିଲ୍ ଦେଇଛନ୍ତି ।