କନକ ବ୍ୟୁରୋ : ନବରଙ୍ଗପୁର ରାଜନୀତିରେ ରୋଚକ ଦୃଶ୍ୟ । ରାଜନୀତି ଚିହ୍ନିଲାନି ରକ୍ତ ସମ୍ପର୍କ । ଦୁଇ ଭଉଣୀଙ୍କ ମଧ୍ୟରେ ହେବ ନିର୍ବାଚନୀ ଲଢେଇ । ଦୁଇ ସମ୍ପର୍କୀୟ ଭଉଣୀ ସାଜିଛନ୍ତି ପରସ୍ପରର ପ୍ରତିଦ୍ୱନ୍ଦୀ । ଜଣେ ପେସାରେ ଡାକ୍ତର । ଅନ୍ୟ ଜଣେ ସରପଞ୍ଚ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ‌ଜୋନ୍‌-୨ରେ ହେବାକୁ ଯାଉଛି ଏମିତି ରୋଚକ ଲଢ଼େଇ । କିଏ କାହାକୁ ପରାସ୍ତ କରିବ ତାହାକୁ ନେଇ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଛି । ପାପଡ଼ାହାଣ୍ଡି ଜୋନ୍‌-୨ ଜିଲ୍ଲା ପରିଷଦ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତର ଝିଅ ଲିପିକା ମାଝୀ। ଚିକିତ୍ସକରୁ ରାଜନେତା ହୋଇଥିବାରୁ ରାତାରାତି ଚର୍ଚ୍ଚାକୁ ଆସିଥି‌ଲେ ଲିପିକା ।

Advertisment

ତାଙ୍କ ବିରୋଧରେ କିଏ ବିଜେଡିରୁ ଲଢ଼ିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଷରେ ଏହି ଚର୍ଚ୍ଚାରେ ବିରାମ ଲଗାଇ ବିଜେଡି ବଡ଼ ବାଜି ଖେଳିଛି। ମାଉସୀ ଝିଅ ଭଉଣୀ ଭାନୁମତି ପୂଜାରୀଙ୍କୁ ଏହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି । ଯଦି ରାଜନୈତିକ ଅଭିଜ୍ଞତାକୁ ଦେଖିବା ତେବେ ଲିପିକାଙ୍କ ବାପା ଏହି ଅଞ୍ଚଳରେ ପୂର୍ବରୁ ବିଧାୟକ ଥିଲେ । ତେଣୁ ଭଲ ଲୋକ ସଂପର୍କ ରହିଛି । ଅନ୍ୟପଟେ ଭାନୁମତି ରାଜନୀତିରେ ଆଦୌ ନୂଆ ଖେଳାଳି ନୁହନ୍ତି । କାରଣ ପାପଡ଼ାହାଣ୍ଡି ବ୍ଲକ୍‌ ସେମଳା ପଞ୍ଚାୟତର ସରପଞ୍ଚ ଭାବେ ୨୦୧୭ ମସିହାରେ ନିର୍ବାଚିତ ହୋଇଥିଲେ । ତାଙ୍କୁ ନିର୍ବାଚନରେ ବିଧାୟକ ମନୋହର ରନ୍ଧାରୀ ସହଯୋଗ କରୁଛନ୍ତି । ଦୁଇ ଭଉଣୀ ମୁହାଁମୁହିଁ ହେଉଥିବାରୁ ନିଶ୍ଚିତ ରୂପେ ଲଢ଼େଇ ଜୋରଦାର ହେବ ବୋଲି ସଂକେତ ମିଳୁଛି ।