ପେଟ୍ରୋଲର ପ୍ରଭାବ । ନେତା ଯୋଡି ହେଲେ ତେଲ ନାଁରେ

41

କନକ ବ୍ୟୁରୋ : ଆଜି ପୂରା ଦିନ ରାସ୍ତା ଉପରେ ଜଳିଲା ଟାୟାର । ଦୋକାନ ବଜାରରେ ତାଲା ପଡ଼ିଲା । ରାସ୍ତା ଘାଟରେ ଦେଖିବାକୁ ମିଳିଲା ଅଘୋଷିତ କର୍ଫ୍ୟୁ । ଅବସର ଥିଲା ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ । ହେଲେ ଏହାରି ଭିତରେ ୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀ ଶକ୍ତିକୁ ଏକାଠି କରୁଥିଲା କଂଗ୍ରେସ । ଯାହା ଅନେକାଂଶରେ ସଫଳ ହୋଇଛି, କାରଣ ଦେଶବ୍ୟାପୀ କଂଗ୍ରେସର ଏହି ପ୍ରତିବାଦକୁ ସମର୍ଥନ ଜଣାଇଥିଲେ ୨୧ଟି ବିରୋଧୀ ଦଳ । ସେପଟେ ବିଜେପି ଅଭିଯୋଗ କରିଛି, ବନ୍ଦ ନାଁରେ ହିଂସା ସୃଷ୍ଟି କରି ଭୟର ବାତାବରଣ ସୃଷ୍ଟି କରୁଛି କଂଗ୍ରେସ ।

ପେଟ୍ରୋଲ ଦବବୃଦ୍ଧି ପ୍ରତିବାଦ ନାଁରେ ଏକାଠି ହେଲେ ମୋଦି ବିରୋଧୀ ଶକ୍ତି । ଦେଶର ସାଧାରଣ ନାଗରିକଙ୍କୁ ପ୍ରତିଦିନ ପ୍ରଭାବିତ କରୁଥିବା ଭଳି ଏକ ପ୍ରସଙ୍ଗରେ ଯେତେବେଳେ କଂଗ୍ରେସ ପ୍ରତିବାଦ କଲା, ସେତେବେଳେ ଆପେଆପେ ଲମ୍ବିଆସିଲା ସମର୍ଥନର ହାତ । କଂଗ୍ରେସର ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ଅନ୍ୟ ୨୧ଟି ବିରୋଧୀ ଦଳ । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ରାହୁଲ ଗାନ୍ଧିଙ୍କର ଏହା ଏକ ବଡ ବିଜୟ ବୋଲି କୁହାଯାଉଛି । ଶରଦ ପାୱାରଙ୍କ ଏନସିପି, ଷ୍ଟାଲିନଙ୍କ ଡିଏମକେ, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି, ଦେବଗୈାଡାଙ୍କ ଜେଡିଏସ, ରାଜ ଠାକରେଙ୍କ ଏମଏନଏସ, ଲାଲୁ ଯାଦବଙ୍କ ଆରଜେଡି, ମାୟାବତୀଙ୍କ ବିଏସପି, ସିପିଆଇ, ସିପିଏମ ଭଳି ଦଳ କଂଗ୍ରେସ ସମର୍ଥନରେ ବାହାରି ଆସିଛନ୍ତି ।

ଲଗାତର ବଢି ଚାଲିଥିବା ପେଟ୍ରୋଲ ଦରକୁ ଯେତେବେଳେ ନିୟନ୍ତ୍ରଣ କରିବାରେ ମୋଦି ସରକାର ବିଫଳ ହୋଇଛନ୍ତି, ପୂରା ବିପକ୍ଷ ହାତ ମିଳାଇ ମୋଦି ସରକାର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ତେବେ ମହାମେଂଟର ଅଂଶୀଦାର ଥିବା ତୃଣମୁଳ କଂଗ୍ରେସ ଭଳି ଦଳ ଭାରତ ବନ୍ଦରୁ ଦୂରେଇ ରହିବା ରାହୁଲଙ୍କ ପାଇଁ ଟେନସନର କାରଣ ପାଲଟିଛି । ହେଲେ ରାମଲୀଲା ମୈଦାନକୁ ଆମ ଆଦମୀ ପାର୍ଟି ତାର ପ୍ରତିନିଧି ପଠାଇ କିଛିଟା ଆଶ୍ୱସ୍ତି ଦେଇଛି । ଆଉ ବିରୋଧୀ ସାଥୀଙ୍କ ଦମ୍ଭ ପାଇ ମୋଦି ଓ ବିଜେପି ଉପରେ ଆହୁରି ଆକ୍ରାମକ ହୋଇଛି କଂଗ୍ରେସ ।

୨୦୧୪ରେ କଂଗ୍ରେସ ବ୍ୟାକଫୁଟରେ ଥିଲା ଆଉ ବିଜେପି ଫ୍ରଣ୍ଟ ଫୁଟରେ ଆସି ଆଟାକ କରୁଥିଲା । ଏବେ ସ୍ଥିତି ଠିକ୍ ବିପରୀତ । ହେଲେ ପୂରା ଭାରତକୁ ଠପ୍ କରି ୨୦୧୯ ପାଇଁ ସବୁଠାରୁ ବଡ ପାଦ ପକାଇଥିବା କଂଗ୍ରେସକୁ ସାମାଲୋଚନା କରିଛି ବିଜେପି । ଦରବୃଦ୍ଧି ଭଳି ପ୍ରସଙ୍ଗ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ଅନୁଭବ କରି କଂଗ୍ରେସକୁ ପାଲଟା ଟାର୍ଗେଟ କରି ବିଜେପି । ବିଜେପି କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଥିଲେ ୨୦୧୯ରେ ପୁଣି କ୍ଷମତାକୁ ଆସିଲେ ୫୦ ବର୍ଷ ଯାଏଁ ବିଜେପିକୁ ଆଉକେହି ହଟାଇ ପାରିବେନି । ହେଲେ ପେଟ୍ରୋଲ ପ୍ରତିବାଦ ନାଁରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ରାହୁଲ ଗାନ୍ଧି ସଫଳ ହୋଇଥିବା ମଧ୍ୟ କୁହାଯାଉଛି ।