ମଧ୍ୟପ୍ରଦେଶରେ ମହାଡ୍ରାମା ! ବିଜେପି ଉପରେ ଘୋଡାବେପାର ଅଭିଯୋଗ ଆଣିଲା କଂଗ୍ରେସ, ଶିବରାଜ ସିଂହ ଚୌହାନ କହିଲେ, ଏହା କଂଗ୍ରେସର ଅର୍ନ୍ତକନ୍ଦଳ । ନିଜ ଘର ନିଜେ ସମ୍ଭାଳୁ ‘ହାତ’ ।

236

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ରାତିଅଧିଆ ରାଜନୈତିକ ଡ୍ରାମା । ବିଜେପି ଘୋଡାବେପାର କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । କମଳନାଥ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି, ୮ଜଣ ବିଧାୟକଙ୍କୁ ଗୁରୁଗ୍ରାମର ଏକ ବିଳାସପୂର୍ଣ୍ଣ ହୋଟେଲରେ ବନ୍ଧକ ରଖିଥିବା ଖବର ପ୍ରଚାର ହେବା ପରେ ଆରମ୍ଭ ହୋଇଯାଇଥିଲା ଡ୍ରାମା । ଏହାକୁ ନେଇ ହଠାତ କଂଗ୍ରେସ ଶିବିର ଚଳଚଂଚଳ ହୋଇପଡିଥିଲା । ଆଉ ବିଧାୟକମାନଙ୍କୁ ସମ୍ପର୍କ କରାଯାଇଥିଲା । ଏହାର କିଛି ସମୟ ପରେ ହୋଟେଲରେ ଯାଇ ପହଁଚିଥିଲେ ମଧ୍ୟପ୍ରଦେଶ ମନ୍ତ୍ରୀ । ଆଉ ଶେଷରେ ୪ଜଣ ବିଧାୟକଙ୍କୁ ବାହାରକୁ ଆଣିବାରେ ସଫଳ ମଧ୍ୟ ହୋଇଥିଲେ । ତେବେ ଅନ୍ୟ ୪ବିଧାୟକ ବାଙ୍ଗାଲୁର କିମ୍ବା ଚିକମଙ୍ଗଲୁରରେ ଥିବା କଂଗ୍ରେସ କହିଛି । କମଳାନାଥ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଏଭଳି ଷଡଯନ୍ତ୍ର କରିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ।

ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି କଂଗ୍ରେସ ୪ ବିଧାୟକ, ବିଏସପିର ୨ ବିଧାୟକ ସମେତ ସମାଜବାଦୀ ପାର୍ଟିର ଜଣେ ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ହୋଟେଲରେ ବନ୍ଧକ ରଖିଥିଲା ବିଜେପି । ତେବେ ଅଧରାତିରେ କେତେକ ବିଧାୟକ ହୋଟେଲ ବାହାରକୁ ଅଣାଯିବା ପରେ ପୁଣି ଥରେ ତାଙ୍କ ସରକାର ଉପରେ କୌଣସି ସଙ୍କଟ ନଥିବା କଂଗ୍ରେସ କହିଛି । ଅପରପକ୍ଷରେ କଂଗ୍ରେସ ସରକାରରେ କୌଣସି ଅସ୍ଥିରତା ସୃଷ୍ଟି କରିଥିବା ପ୍ରସଙ୍ଗକୁ ଅଗ୍ରାହ୍ୟ କରିଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଗୋଟିଏ ପଟେ ବିଧାୟକଙ୍କୁ କିଣିବା ପାଇଁ ବିଜେପି କୋଟି କୋଟି ଟଙ୍କା ଯାଚୁଥିବା କଂଗ୍ରେସ ଅଭିଯୋଗ ଆଣିଛି । ଅପରପକ୍ଷରେ ଏବେବି ୧୫ରୁ ୨୦ବିଧାୟକ ବିଜେପି ସହ ଯୋଗାଯୋଗରେ ଥିବା ବିଜେପି ନେତା କହିଛନ୍ତ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାର ୨ଟି ଆସନ ଖାଲି ରହିଛି । ସରକାର ଗଠନ ପଇଁ ୧୧୫ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିବା ବେଳେ କଂଗ୍ରେସର ୧୧୪ବିଧାୟକ ସହ ୪ଜଣ ସ୍ୱାଧୀନ, ୨ବିଏସପି ଓ ଜଣେ ସପା ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି କଂଗ୍ରେସ ।