ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତା ଗିରଫ । ଶାସନ ଡୋର ନିଜ ହାତକୁ ନେଲା ସେନା

208

କନକ ବ୍ୟୁରୋ : ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତାଙ୍କୁ ଗିରଫ କରିବା ପରେ ଶାସନ ଡୋର ନିଜ ହାତକୁ ନେଇଛି ସେନା । ଏପରିକି ଦେଶରେ ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଦିଆଯିବା ସହ ସେନାମୁଖ୍ୟ ମିନ ଆଙ୍ଗ ଲାଇଙ୍ଗକୁ ଶାସନ ଦାୟିତ୍ୱ ହସ୍ତାନ୍ତର କରିଦିଆଯାଇଛି ।

ମିଆଁମାରରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ସେନା ଏପରି ପଦକ୍ଷେପ ନେଇଛି । ଏପରିକି ଏକ ବର୍ଷ ପରେ ସ୍ୱଚ୍ଛ ନିର୍ବାଚନ ଆୟୋଜନ କରିବା ପରେ ବିଜୟୀ ଦଳକୁ ଶାସନ ଭାର ହସ୍ତାନ୍ତର କରିଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ମିଆଁମାର ସେନା ନିୟନ୍ତ୍ରଣରେ ଥିବା ଚ୍ୟାନେଲରେ ସେନା ପକ୍ଷରୁ କୁହାଯାଇଛି ଯେ, ଦେଶରେ ପରିସ୍ଥିତି ଶାନ୍ତ ଓ ନିୟନ୍ତ୍ରିତ କରିବା ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିବା ଆବଶ୍ୟକ ଥିଲା । ନଭେମ୍ବର ମାସରେ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି । ଏପରିକି ଏଥିପାଇଁ ନିର୍ବାଚନ କମିଶନଙ୍କ ମଧ୍ୟ ସମାଲୋଚନା କରାଯାଇଛି । ଏହାସହ ଦେଶରେ ଅନ୍ୟ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଯିବା ସହ ୟଙ୍ଗୁନ ସମେତ କେତେକ ପ୍ରମୁଖ ଅଂଚଳରେମୋବାଇଲ ଓ ଇଂଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।

ସେପଟେ ମିଆଁମାରର ଏହି ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏହାସହ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ । ତେବେ ମିଆଁମାରରେ ଗଣତନ୍ତ୍ର ପ୍ରକ୍ରୀୟା ବଜାୟ ରହିବା ନିହାତୀ ଜରୁରୀ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ମିଆଁମାର ସଂସଦରେ ଏକ ଚତୁର୍ଥାଂଶ ଆସନ ସେନା ପାଇଁ ସଂରକ୍ଷିତ ରହିଥାଏ । ତେବେ ନଭେମ୍ବରରେ ଆୟୋଜିତ ହୋଇଥିବା ନିର୍ବାଚନରେ ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ଦଳ ଏନଏଲଡିର ବଡ ବିଜୟ ହୋଇଥିବା ବେଳେ ସେନାକୁ ନିରାଶ ହେବାକୁ ପଡିଥିଲା । ଫଳରେ ଗତ କିଛି ଦିନ ହେଲା ସେନା ଓ ସରକାରଙ୍କ ମଧ୍ୟରେ ବିବାଦ ଲାଗରହିଥିଲା । ଏବଂ ସେନା ଶାସନ ଡୋର ନିଜ ହାତକୁ ନେବା ନେଇ ଆକଳନ କରାଯାଉଥିଲା । ଶେଷରେ ଏହା ସହ ହୋଇଛି ଏବଂ ସୋମବାର ସକାଳୁ ସେନା ମିଆଁମିରର ଶାସନ ନିଜ ହାତକୁ ନେଇଛି ।