କନକ ବ୍ୟୁରୋ : ବିଜେପିର ଗଡ଼ ଥିବା ଦେବଗଡ଼ରେ ବିଜେଡି ପଞ୍ଚାୟତ ନିର୍ବାଚନରେ ଭଲ ପଦର୍ଶନ କରିଛି । ପୌର ନିର୍ବାଚନରେ ବିଜେଡି ସହ ବିରୋଧୀ ମୁକାବିଲା କରିବେ ନା ପଞ୍ଚାୟତ ନିର୍ବାଚନ ଭଳି ପଛରେ ପଡିବେ ତାକୁ ନେଇ ଚର୍ଚ୍ଚା ଜୋର । ରାଜ୍ୟର ଅନ୍ୟତମ ପୁରାତନ ବରଗଡ଼ ପୌର ପରିଷଦ କିଏ ଜିତିବ ତାକୁ ନେଇ ଚାଲିଛି ଚର୍ଚ୍ଚା ।
ରାଜ୍ୟର ଅନ୍ୟତମ ପୁରାତନ ପୌର ପରିଷଦ ଦେବଗଡ । ୨୦୧୩ରେ ବିଜେଡି ଦଖଲରେ ଥିବା ଏହି ପୌର ପରିଷଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ସାହି ସାହିରେ ପ୍ରାର୍ଥୀଙ୍କ ସପକ୍ଷରେ ଆଲୋଚନା ହେଉଥିବା ବେଳେ ଚା ଦୋକାନ ହେଉ କି ସେଲୁନ ସବୁଠି ନିର୍ବାଚନକୁ ନେଇ ଚର୍ଚ୍ଚା ହେଉଛି । ୧୯୦୪ ମସିହାରେ ସ୍ଥାପିତ ହୋଇଥିବା ୧୧ ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦରେ ମୋଟ ୧୬ ହଜାର ୮ ଶହ ୧୬ ଭୋଟର ଅଛନ୍ତି । ଗତ ନିର୍ବାଚନରେ ୧୧ ୱାର୍ଡ ମଧ୍ୟରୁ ୯ଟିରେ ବିଜେଡି ଏବଂ କଂଗ୍ରେସ ଓ ସ୍ୱାଧୀନ ହାତରେ ଗୋଟିଏ ଲେଖାଏଁ ୱାର୍ଡ ରହିଥିଲା ।
ଚଳିତ ପୌର ନିର୍ବାଚନରେ ଭୋଟର ପୌରାଧ୍ୟକ୍ଷ ଓ କାଉଁସିଲର ପଦବୀ ପାଇଁ ଅଲଗା ମତଦାନ କରିବେ । ଗତଥର ଦେବଗଡ଼ ପୌରାଧ୍ୟକ୍ଷ ପଦବୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ଅଛି । ବିଜେଡିରୁ ଶାନ୍ତି ମଞ୍ଜରୀ ଦେବୀ, ବିଜେପିରୁ ମାଧବୀ କୁମାରୀ ଦେବୀ, କଂଗ୍ରେସରୁ ପବନୀ ସାହୁ ପୋରାଧ୍ୟକ୍ଷ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଏକଦା ବିଜେପିର ଗଡ଼ ଥିବା ଦେବଗଡ଼ରେ ବିଜେଡି ପଞ୍ଚାୟତ ନିର୍ବାଚନରେ ଭଲ ପଦର୍ଶନ କରିଥିଲା । ୭ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୬ଟି ଆସନରେ ବିଜୟୀ ହୋଇଥିଲା । ତେବେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପରି ଏକପାଖିଆ ଫଳାଫଳ ଆସିବ ନା କଂଗ୍ରେସ ଓ ବିଜେପିର ସିଟ୍ ସଂଖ୍ୟା ବଢିବ ତାହା ଫଳାଫଳ ଆସିବା ପରେ ଜଣାପଡିବ ।