କନକ ବ୍ୟୁରୋ : ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂଘର୍ଷ ଉପରେ ବିରାମ ଲଗାଇବା ପାଇଁ ବହୁମତ ପରୀକ୍ଷଣ କରାଇବା ଏକ ବିକଳ୍ପ ହୋଇପାରେ । କାରଣ ଏହା ଦ୍ବାରା ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଯିବାର ଆଶା ରହିଛି । କଂଗ୍ରେସ, ଏନସିପି ଏବଂ ଶିବସେନା ବାରମ୍ବାର କହିଆସୁଛନ୍ତି ଯେ, ସେମାନଙ୍କ ନିକଟରେ ସରକାର ଗଠନ ଲାଗି ବହୁମତ ରହିଛି ଏବଂ ନବଗଠିତ ସରକାର ପାଖରେ ସଂଖ୍ୟା ନାହିଁ । ତେଣୁ ବହୁମତ ପରୀକ୍ଷା ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି ।

Advertisment

ଗତ ଶନିବାର ସକାଳେ ଏନସିପି ନେତା ଅଜିତ ପୱାରଙ୍କ ସମର୍ଥନରେ ବିଜେପି ହଠାତ ସରକାର ଗଠନ କରିବା ସହିତ ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ଯାହା ସାରା ଦେଶବାସୀ ଏବଂ ରାଜନୈତିକ ବିଶେଷଜ୍ଞମାନଙ୍କୁ ଚକ୍କିତ କରିଥିଲା । ତେବେ ଏପରି ସ୍ଥିତି କେବଳ ଏବେ ନୁହେଁ, ପୂର୍ବରୁ ୧୯୯୮ରେ ଉତ୍ତରପ୍ରଦେଶରେ ବି ଦେଖିବାକୁ ମିଳିଥିଲା । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ବହୁମତ ପରୀକ୍ଷଣ କରିବା ଲାଗି ଆଦେଶ ଦେଇଥିଲେ ।

ସେତେବେଳେ ଉତ୍ତରପ୍ରଦେଶ ରାଜ୍ୟପାଳ ରୋମେଶ ଭଣ୍ଡାରୀ କଲ୍ୟାଣ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିସ୍କାର କରି କଂଗ୍ରେସ ନେତା ଜଗଦମ୍ବିକା ପାଲଙ୍କୁ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । କଲ୍ୟାଣ ସିଂହ ବିଧାନସଭାରେ ବହୁମତ ପରୀକ୍ଷା କରିବା ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ । କିନ୍ତୁ ରାଜ୍ୟପାଳ ତାହାକୁ ଖାରଜ କରି କଂଗ୍ରେସକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଥିଲେ । ଏହା ବିରୋଧରେ କଲ୍ୟାଣ ସିଂହ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ସୁପ୍ରିମକୋର୍ଟ ବହୁମତ ପରୀକ୍ଷା କରିବା ଲାଗି ନିର୍ଦେଶ ଦେଇଥିଲେ । ଶେଷରେ ବହୁମତ ପରୀକ୍ଷଣ ପରେ କଲ୍ୟାଣ ସିଂହଙ୍କ ସପକ୍ଷରେ ୨୨୫ ଏବଂ ଜଗଦମ୍ବିକା ପାଲଙ୍କୁ ୧୯୬ ଭୋଟ ମିଳିଥିଲା । ଏହି ସମୟରେ ବାଚସ୍ପତିଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ବହୁ ଆଲୋଚନା ହୋଇଥିଲା । କାରଣ ସେ ୧୨ ସଦସ୍ୟଙ୍କୁ ଦଳବଦଳ ଆଇନ ଅଧୀନରେ ଅଯୋଗ୍ୟ ଘୋଷଣା କରିଥିଲେ ହେଁ ପରବର୍ତ୍ତୀ ସମୟରେ ନିଜର ରାୟକୁ ନିଜେ ରଦ୍ଦ କରିଦେଇଥିଲେ । ଫଳରେ ସେହି ୧୨ ସଦସ୍ୟ କଲ୍ୟାଣ ସିଂହଙ୍କୁ ଭୋଟ ଦେଇଥିଲେ । ପରେ ସେମାନଙ୍କ ଭୋଟକୁ ବାଦ୍ ଦିଆଯାଇଥିଲା । ଏହା ସତ୍ବେ କଲ୍ୟାଣ ସିଂହଙ୍କ ପାଖରେ ପୂର୍ଣ୍ଣ ବହୁମତ ରହିଥିଲା । କିନ୍ତୁ ଶେଷରେ ସେ ୨ୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।