କନକ ବ୍ୟୁରୋ: ଗୋଟିଏ ପଟେ କିଛି ଅସନ୍ତୁଷ୍ଟ ବିଜେଡି ନେତା ବିଧାୟିକା ବର୍ଷା ସିଂ ବରିହାଙ୍କୁ ବିରୋଧ କରୁଛନ୍ତି । ଅନ୍ୟପଟେ ବିଧାୟିକାଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି ମହିଳା କର୍ମୀ । ଯାହାକୁ ନେଇ ଦ୍ୱନ୍ଦରେ ପଦ୍ମପୁର ବିଜେଡି ରାଜନୀତି ଗଣିତ ।

ଗୋଟିଏ ପଟେ ପଦ୍ମପୁର ବିଧାୟକ ବର୍ଷା ସିଂ ବରିହାଙ୍କ ନେତୃତ୍ୱକୁ ବିରୋଧ କରି ବିଜୁ ଜନତା ଦଳର କିଛି ଅସନ୍ତୁଷ୍ଟ ପୁରୁଖା ନେତା କର୍ମୀ ସମ୍ମିଳନୀ ନାଁରେ ଏକାଠି ହୋଇଛନ୍ତି । ଅନ୍ୟପଟେ ପଦ୍ମପୁର ବ୍ଲକ ଝାରବନ୍ଧ ବ୍ଲକରେ ଆୟୋଜିତ ମିଶ୍ରଣ ପର୍ବରେ ବହୁ ସଂଖ୍ୟାରେ ମହିଳା ବିଜେଡିରେ ସାମିଲ ହୋଇଛନ୍ତି । ନବୀନଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଥିବା କହିଛନ୍ତି । ପଦ୍ମପୁର ବିଜେଡିର ଦୁଇଟି ଭିନ୍ନ ଭିନ୍ନ ଚିତ୍ର ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ବିଜେଡିର ଦୁଇଟି ଚିତ୍ର ସାମନାକୁ ଆସିବା, ଦଳୀୟ କନ୍ଦଳକୁ ପଦାରେ ପକାଇଛି । ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡି ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଲୋକେ । ତେବେ ଦଳୀୟ କନ୍ଦଳ କଥାକୁ ଖଣ୍ଡନ କରିଛନ୍ତି ନେତା ।

ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ୨୦୨୨ରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ବିଜୁ ଜନତା ଦଳ ପକ୍ଷରୁ ଦିବଙ୍ଗତ ବିଧାୟକଙ୍କ ଝିଅ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇ ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବିଜୁ ଜନତା ଦଳର ବିଜୟ ପରେ କର୍ମୀଙ୍କ ମହଲରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଲିଥିଲା । ହେଲେ ଦଳ ବର୍ଷାଙ୍କୁ ପୁଣି ଥରେ ପ୍ରାର୍ଥୀ କରୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।