ପରୀ ମୃତ୍ୟୁ ମାମଲାକୁ ନେଇ ରାଜନୈତିକ ପ୍ରତିଯୋଗିତା । ଯଦୁପୁର ଗାଁକୁ ଯାଇ ନ୍ୟାୟ ମାଗିଲା କଂଗ୍ରେସ, ବିଜେପି କହିଲା ଦରକାର ସିବିଆଇ ତଦନ୍ତ । ବିଜେଡିର ଜବାବ-କରାନଯାଉ ରାଜନୀତି

167

କନକ ବ୍ୟୁରୋ : କୁନି ଝିଅ ପରୀର ମୃତ୍ୟୁ ଯେତେ ସମ୍ବେଦନଶୀଳ, ମୃତ୍ୟୁ ପଛର କାହାଣୀ ସେତେ ଅସ୍ୱାଭାବିକ୍ । ୫ବର୍ଷର କୁନି ଝିଅର ପରିବାରକୁ ନ୍ୟାୟ ଦେବା ପାଇଁ ସମସ୍ତେ ଆଗେଇ ଆସିଛନ୍ତି । ବିରୋଧୀ ସରକାରଙ୍କୁ ଘେରୁଛନ୍ତି, ସରକାର ଏସ୍ଆଇଟି ଗଠନ କରିଛନ୍ତି । କିନ୍ତୁ ସନ୍ଦେହ ସେତେବେଳେ ଆସୁଛି, ଯେତେବେଳେ ରାଜନୈତିକ ଦଳ ଗୁଡ଼ିକ ଭିତରେ ଏହାକୁ ନେଇ ପ୍ରତିଯୋଗତା ।

କଂଗ୍ରେସର ଏକ ଉଚ୍ଚସ୍ତରୀୟ ଟିମ୍ ନୟାଗଡ ଯଦୁପୁର ଯାଇ ପରୀ ପରିବାରକୁ ଭେଟିଛନ୍ତି । ପରୀ ମାମଲା ନେଇ ପରିବାର ସହ ଆଲୋଚନା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା । ଟିମ୍ରେ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ତାରା ପ୍ରସାଦବାହିନୀପତି ପ୍ରମୁଖ ସାମିଲ ହୋଇଥିଲେ ।

ଏପଟେ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ଯଦୁପୁର ଗାଁକୁ ଯାଇ ପରିବାରକୁ ଭେଟିଛନ୍ତି । ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ବିଜେପି । କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ମଧ୍ୟ ବିଜେପି ବିଧାୟକ ଦଳ ପରୀଙ୍କ ଗାଁ ଯଦୁପୁରକୁ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ।

ସେପଟେ ପରୀ ଗାଁକୁ ବିଜେପି ଓ କଂଗ୍ରେସ ଟିମ ଯିବା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପରୀକୁ ନେଇ ରାଜନୀତି କରାନଯାଉ । ବିରୋଧୀ ଦୋହାରା ନୀତି ଆପଣାଇଥିବା କହିଛନ୍ତି ଲେନିନ ମହାନ୍ତି । ପରୀ ପ୍ରସଙ୍ଗକୁ ନେଇ ରାଜନୈତିକ ପ୍ରତିଯୋଗିତା ତୀବ୍ର ହୋଇଥିବା ବେଳେ, ସେପଟେ ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ କହିଛନ୍ତି- ଦୁଇ ସପ୍ତାହ ଭିତରେ ତଦନ୍ତ ଦିଗ ସ୍ପଷ୍ଟ ହେବ ।