କନକ ବ୍ୟୁରୋ: ନବୀନଙ୍କ ଶାଣିତ ପ୍ରଶ୍ନ, ମୋହନଙ୍କ ଦମଦାର କାଉଣ୍ଟର । ବିଧାନସଭାରେ ନୁହେଁ ଗଣମାଧ୍ୟମରେ ମୁହାଁମୁହିଁ । ୨ ବଡ ନେତାଙ୍କ ଏହି ବୟାନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ବିଧାନସଭା ଆରମ୍ଭରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଦେଖିବାକୁ ମିଳିଛି। ଖୁବ କମ କହୁଥିବା ନବୀନ ଏବେ ପ୍ରତି ପ୍ରସଙ୍ଗରେ ସରକାରକୁ ଘେରିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ଅନ୍ୟପଟେ ନିଜ ସରକାରର ସୁରକ୍ଷା ପାଇଁ ନିଜ ଅନ୍ଦାଜରେ ନବୀନଙ୍କୁ କାଉଁଣ୍ଟର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଧାନସଭା ଚାଲିଥିବା ବେଳେ ଗୃହରେ ଉଭୟ ନେତା ମୁହାଁମୁହିଁ ହୋଇନଥିଲେ ମଧ୍ୟ ଗଣମାଧ୍ୟମ ସାମ୍ନାରେ ଦେଉଥିବା ବୟାନବାଜି ରାଜ୍ୟ ରାଜନୀତିକୁ ରୋଚକ କରିଛି।
ବିଗତ କିଛି ଦିନ ତଳେ ରଥଯାତ୍ରାରେ ବଡଠାକୁରଙ୍କ ଆଡପ ପହଣ୍ଡି ଅଘଟଣ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କଥା ଉଠାଇ ଆରମ୍ଭ ହୋଇଥିଲା ଚିଠି ରାଜନୀତି। ନବୀନଙ୍କ ଚିଠିର ତୁରନ୍ତ ଜବାବ ରଖିଥିଲେ ମୁଖ୍ୟମନ୍ତ୍ରୀ। ସେହିଭଳି ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାରେ ସରକାରଙ୍କୁ ଘେରିଥିଲେ ନବୀନ। ଦୋଷୀଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଥିଲେ ସରକାର। ଗତ କିଛି ଦିନ ହେବ ଆଳୁ ଦର ବୃଦ୍ଧି ସରକାରଙ୍କୁ ଅଡୁଆରେ ପକାଇଥିବା ବେଳେ ବିରୋଧୀ ଦଳ ନେତା ଭାବେ ନବୀନ ଆଳୁ ଯୋଗାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ ଭାବେ କହିଛନ୍ତି, ମୁଁ ଚିଠି ଲେଖାରେ ବିଶ୍ବାସ କରେ ନାହିଁ।
ଏପଟେ ବିଧାନସଭା ଆରମ୍ଭ ପୂର୍ବରୁ ବିରୋଧୀ ଦଳ ନେତା ନବୀନଙ୍କୁ ଭେଟି ନୂଆ ପରମ୍ପରା ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହା ସଂକେତ ଦେଉଥିଲା ଏଥର ବିରୋଧୀ ଓ ଶାସକଙ୍କ ମିଳିତ ପ୍ରୟାସରେ ବିଧାନସଭା ସୁରୁଖୁରରେ ଚାଲିବ। କିନ୍ତୁ ବିଧାନସଭା ଆରମ୍ଭରୁ ମୋହନ ଓ ନବୀନଙ୍କ ଆଭିମୁଖ୍ୟ ଦର୍ଶାଉଛି ପ୍ରଥମ ଥର ପାଇଁ ନୂଆ ଦାୟିତ୍ବ ପାଇଥିବା ଏହି ୨ ନେତା ପରସ୍ପରକୁ ମାଇଲେଜ ଦେବାକୁ ପ୍ରସ୍ତୁତ ନୁହଁନ୍ତି।