ରାଜ୍ୟ କଂଗ୍ରେସର ନୂଆ କ୍ୟାପଟେନ ନିରଞ୍ଜନ ! କେଉଁଠୁ ଓ କେମିତି ଆରମ୍ଭ ହୋଇଥିଲା ନିରଞ୍ଜନଙ୍କ ରାଜନୈତିକ କ୍ୟାରିୟର

24

କନକ ବ୍ୟୁରୋ : ଦୀର୍ଘ ୫ ବର୍ଷ ପରେ କଂଗ୍ରେସର ମଙ୍ଗ ଧରିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ । ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସ ନିଷ୍କ୍ରିୟ ରହିବା ପରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ଦାବି କରୁଛି । କଂଗ୍ରେସରୁ ମଧ୍ୟ ଜଣେ ପରେ ଜଣେ ନେତା ଦଳ ଛାଡିଛନ୍ତି । ବିଜେପୁରରେ ଅମାନତ୍ ଉଡିଯାଇଛି । ଏଭଳି ସ୍ଥିତିରେ ଦାୟିତ୍ୱ ନେଇଛନ୍ତି ନିରଂଜନ । ଦେଖିବାର କଥା ହେଉଛି, ଦଳକୁ କେତେ ପରିମାଣରେ ସଂଗଠିତ କରିପାରୁଛନ୍ତି ଏହି ବରିଷ୍ଠ ନେତା । କାରଣ ପୂର୍ବରୁ ମଧ୍ୟ ତାଙ୍କ ସାଙ୍ଗଠନିକ ଦକ୍ଷତାର ଝଲକ ଦେଖିଛନ୍ତି ଓଡ଼ିଶାବାସୀ ।

କଂଗ୍ରେସର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ । ରାମଚନ୍ଦ୍ରପୁର ଆସନରୁ ଏକାଧିକ ଥର ବିଧାନସଭା ନିର୍ବାଚନ ଜିତିଥିବା ନିରଂଜନ ସମବାୟ ଆନ୍ଦୋଳନ ସହ ମଧ୍ୟ ସଂପୃକ୍ତ ଥିଲେ । ପୌରାଂଚଳ ଉପକଣ୍ଠରେ ଥିବା ବସ୍ତିଗୁଡ଼ିକରେ ସେବାକାର୍ଯ୍ୟ ପାଇଁ ସେ ୧୯୯୪ ମସିହାରେ ଇନ୍ଦିରା ଗାନ୍ଧୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ୧୯୯୫ ମସିହାରେ ତାଙ୍କୁ ମାନବସେବା ପୁରସ୍କାର ମିଳିଥିଲା ।

ଜିଏମ୍ କଲେଜ୍ ସମ୍ବଲପୁରରୁ ଗ୍ରାଜୁଏସନ୍ କରିଥିବା ନିରଂଜନ ମଧୁସୂଦନ ଲ କଲେଜରୁ ଆଇନ୍ ଶିକ୍ଷାଲାଭ କରିଛନ୍ତି । ଛାତ୍ର ରାଜନୀତିରୁ ରାଜନୀତିର ମୁଖ୍ୟ ସ୍ରୋତକୁ ଆସିଥିବା ନିରଂଜନ ୧୯୭୩ ମସିହାରେ କେନ୍ଦୁଝରଗଡ଼ ମ୍ୟୁନିସିପାଲିଟିର ଚେୟାରମ୍ୟାନ ଭାବେ ନିର୍ବାଚିତ ହୁଅନ୍ତି । ଏହାପରେ କେନ୍ଦୁଝର ସମବାୟ ବ୍ୟାଙ୍କର ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାନ୍ତି ।

୧୯୮୦ ମସିହାରେ ଆନୁଷ୍ଠାନିକ ଭାବେ ସେ ସକ୍ରିୟ ରାଜନୀତିକୁ ପ୍ରବେଶ କରନ୍ତି । ଏହାର ଦୁଇ ବର୍ଷ ମଧ୍ୟରେ ତାଙ୍କୁ ଏଆଇସିସିର ପୂର୍ଣ୍ଣକାଳୀନ ସଭ୍ୟ ପଦ ମିଳେ । ତାଙ୍କୁ କଂଗ୍ରେସ ସରକାର ଅମଳରେ ଶିଳ୍ପ, ଶକ୍ତି, ପରିବାର କଲ୍ୟାଣ, ଜଳସମ୍ପଦ ବିଭାଗ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ମିଳିଥିଲା । ପୂର୍ବରୁ ମଧ୍ୟ ସେ ପିସିସି ସଭାପତି ରହିସାରିଛନ୍ତି ।