ପଞ୍ଜାବ ଝିଅ, ଉତ୍ତର ପ୍ରଦେଶ ବୋହୂ । ଦିଲ୍ଲୀରେ କଂଗ୍ରେସକୁ ଦେଇଥିଲେ ନୂଆ ପରିଚୟ, ଗୋଟିଏ କ୍ଲିକରେ ଜାଣନ୍ତୁ ଶୀଲାଙ୍କ ପୂରା ରାଜନୀତି କ୍ୟାରିୟର ।

369

କନକ ବ୍ୟୁରୋ : ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ । ୧୯୯୮ରୁ ୨୦୧୩ । ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଛନ୍ତି ଶୀଲା । ଆଉ ଏହାସହ ଦିଲ୍ଲୀର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ଗାନ୍ଧୀ ପରିବାରର ଖାସ୍ ତଥା ଦିଲ୍ଲୀରେ କଂଗ୍ରେସକୁ ନୂଆ ପରିଚୟ ଦେଇଥିବା ଶୀଲାଙ୍କ ରାଜନୈତିକ କ୍ୟାରିୟର ବେଶ ଲମ୍ବା । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଶୀଲା । ଆଉ ଏହାସହ ରାଜୀବ ଗାନ୍ଧୀ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
ରାଜନୀତିରେ ଶୀଲା :
୧୯୩୮ ମାର୍ଚ୍ଚ ୩୧ରେ ପଞ୍ଜାବର କପୁରଥଲାରେ ଜନ୍ମଗ୍ରହଣ କରିଥିଲେ ଶୀଲା । ପରେ ଦିଲ୍ଲୀରୁ କଲେଜ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ । ରାଜନୀତିରେ ରୁଚି ରଖିଥିବା ଶୀଲା କଂଗ୍ରେସ ନେତା ଉମାଶଙ୍କର ଦୀକ୍ଷିତଙ୍କ ପୁଅ ବିନୋଦଙ୍କୁ ବିବାହ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ଶୀଲାଙ୍କର ଭେଟଘାଟ ବିନୋଦଙ୍କ ସହ ହୋଇଥିଲା । ପରେ ବିନୋଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଶୀଲା ।

ଶ୍ୱଶୁର ତଥା ଗାନ୍ଧୀ ପରିବାରର ଖାସ୍ ଥିବା ଉମାଶଙ୍କରଙ୍କ ଠାରୁ ପ୍ରେରଣା ପାଇ ରାଜନୀତିରେ ଏଣ୍ଟ୍ରିି କରିଥିଲେ ଶୀଲା । ଆଉ ଏହି ସମୟରେ କନୌଜରୁ ସାଂସଦ ଭାବେ ନିର୍ବାଚିତ ହୋଇ ରାଜୀବ ଗାନ୍ଧୀ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଶୀଲା । ତେବେ ୧୯୯୧ରେ ଶ୍ୱଶୁରଙ୍କ ମୃତ୍ୟୁ ପରେ ରାଜନୀତିରେ ପୂରା ସକ୍ରିୟ ରହିଲେ ଶୀଲା । ଆଉ ଏହି ସମୟ ମଧ୍ୟରେ ଗାନ୍ଧୀ ପରିବାରର ବିଶ୍ୱାସଭାଜନ ହେବା ସହ କଂଗ୍ରେସରେ ନିଜର ଦବଦବା ବଢାଇ ଚାଲିଥିଲେ ଶୀଲା । ଯାହାର ଫାଇଦା ତାଙ୍କୁ ପରବର୍ତ୍ତୀ ସମୟରେ ମିଳିଥିଲା ।

ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସୋନିଆ ଗାନ୍ଧୀ ଦଳର ମଙ୍ଗ ଧରିଥିଲେ । ଆଉ ଏହି ସମୟରେ ସୋନିଆଙ୍କର ବିଶ୍ୱାସ ଜିତି ପାରିଥିଲେ ଶୀଲା । ଯେଉଁଥିପାଇଁ ୧୯୯୮ରେ ତାଙ୍କୁ ଦିଲ୍ଲୀ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ସୋନିଆ । ଆଉ ଏହାସହ ପୂର୍ବ ଦିଲ୍ଲୀରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଳାଇଥିଲେ । କିନ୍ତୁ ଏଥିରେ ସଫଳ ହୋଇପାରିନଥିଲେ ଶୀଲା । କିନ୍ତୁ ଏହାପରେ ମଧ୍ୟ ଶୀଲାଙ୍କ ଉପରୁ ସୋନିଆଙ୍କର ଭରସା ତୁଟିନଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଶୀଲା ।

ଆଉ ଏହିଠାରୁ ଆରମ୍ଭ ହୋଇଥିଲା ଶୀଲାଙ୍କ ରାଜନୀତି କ୍ୟାରିୟରର ସଫଳ ଅଧ୍ୟାୟ । ଦିଲ୍ଲୀରେ କଂଗ୍ରେସକୁ ଲଗାତାର ୩ ଥର ବିଜୟ ଭେଟି ଦେବା ସହ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଶୀଲା । ତେବେ ୨୦୧୩ରେ ଶୀଲାଙ୍କ ରାଜନୈତିକ କ୍ୟାରିୟରର ପତନ ଆରମ୍ଭ ହୋଇଥିଲା । ୨୦୧୩ରେ ଆପ୍ ଠାରୁ ପରାଜିତ ହେବା ସହ ଶୀଲାଙ୍କ ହାତରୁ ଖସିଥିଲା ଦିଲ୍ଲୀର କ୍ଷମତା ଡୋରି । ପରେ ତାଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ପୁଣିଥରେ ସକ୍ରିୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ଶୀଲା ।

ଦିଲ୍ଲୀରେ କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ଅଣ୍ଟା ଭିଡିଥିଲେ ଶୀଲା । ଏଥିପାଇଁ ସେତେବେଳେ କଂଗ୍ରେସର ମୁଖ୍ୟ ଥିବା ରାହୁଲ ଗାନ୍ଧୀ ଶୀଲାଙ୍କୁ ପୁଣିଥରେ ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ପଦରେ ବସାଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ମନୋଜ ତିୱାରୀଙ୍କ ଠାରୁ ପରାଜିତ ହୋଇଥିଲେ ଶୀଲା । ତେବେ ନିର୍ବାଚନ ପରେ ଅସୁସ୍ଥ ହୋଇ ପଡିଥିଲେ ଶୀଲା । ଆଉ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ଦିନ ପ୍ରାୟ ୩ଟା ୩୦ ମିନିଟରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଶୀଲା । ତେବେ ଦିଲ୍ଲୀ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଶୀଲାଙ୍କୁ ସବୁଦିନ ପାଇଁ ମନେ ରଖିବେ ଦେଶବାସୀ ।