କନକ ବ୍ୟୁରୋ: ଆଉ ନାହାଁନ୍ତି ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ରାତି ୧୨ଟା ୪୪ମିନଟରେ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଚେନ୍ନାଇ ଗସ୍ତରେ ଯାଇ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କୁ ହସ୍ପିଟାଲରେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସୁସ୍ଥତା କାମନା କରିଥିଲେ । ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ । ୧୦ ଥର ବିଧାୟିକା ଭାବେ ସେ ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତି । ୧୯୬୧ ମସିହାରେ ଖଲିକୋଟ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାରେ ପାଦ ଥାପିଥିଲେ ସୁଜ୍ଞାନ କୁମାରୀ ଦେଓ । ଏହା ପରେ ଷଷ୍ଠ ବିଧାନସଭାକୁ ସେହି ଖଲିକୋଟ ଆସନରୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ ବିଧାନସଭାକୁ ଛାଡିଦେଲେ କ୍ରମାଗତ ଭାବେ ଗତ ବିଧାନସଭା ପର୍ଯ୍ୟନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ସେ ବିଧାୟିକା ହୋଇଛନ୍ତି । ଖଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ନିର୍ବାଚିତ ହୋଇଛନ୍ତି ।

Advertisment

ଭି. ସୁଜ୍ଞାନ କୁମାରୀଙ୍କ ରାଜନୈତିକ ଯାତ୍ରା:
- ବିଧାନସଭାକୁ ୧୦ ଥର ନିର୍ବାଚିତ ହୋଇଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ
- ଖଲ୍ଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ହୋଇଛନ୍ତି
- ୧୯୬୧ରୁ ୧୯୬୭ ଯାଏଁ ପ୍ରଥମ ଥର ଖଲ୍ଲିକୋଟର କଂଗ୍ରେସ ବିଧାୟିକା
- ୧୯୭୪ରୁ ୧୯୭୭ ଯାଏଁ ଉକ୍ରଳ କଂଗ୍ରେସରୁ ବିଧାୟିକା ନିର୍ବାଚିତ
- ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଜନତା ଟିକେଟ୍ରେ ବିଧାୟିକା
- ୧୯୮୫ରୁ ୧୯୯୦ ଯାଏଁ ଜନତା ପାର୍ଟିରୁ ବିଧାୟିକା ହୋଇଥିଲେ
- ୧୯୯୦-୧୯୯୫ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ଜନତା ଦଳରୁ ବିଧାୟିକା
- ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ୪ ଥର ବିଜୁ ଜନତା ଦଳରୁ ବିଧାୟିକା
- ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଟିକେଟ୍ରୁ ଖଲ୍ଲିକୋଟ ବିଧାୟିକା
- ୨୦୦୯ରୁ ୨୦୧୯ ଯାଏଁ ବିଜେଡି ଟିକେଟ୍ରୁ କବିସୂର୍ଯ୍ୟନଗର ବିଧାୟିକା
- ୨୦୧୯ ନିର୍ବାଚନରେ ଲଢିନଥିଲେ ଭି. ସୁଜ୍ଞାନ କୁମାରୀ ଦେଓ
- ବିଧାନସଭାର ବିଭିନ୍ନ କମିଟିରେ ବି ସେ ସଦସ୍ୟ ରହିଥିଲେ
- ଖଲ୍ଲିକୋଟ ରାଜନୀତି ରାଣୀଙ୍କ ନାଁରେ ଚାଲୁଥିଲା
- ଖଲ୍ଲିକୋଟର ସମସ୍ତ ନେତାଙ୍କ କ୍ୟାରିୟର ରାଣୀଙ୍କ ସମର୍ଥନ ଉପରେ ନିର୍ଭର କରୁଥିଲା