ପଞ୍ଚାୟତ ପ୍ରଚାରରେ ରୋଚକ ଦୃଶ୍ୟ । ଗାଁରୁ ମାଙ୍କଡ ହଟାଇବା ସାଜିଲା ପ୍ରମୁଖ ପ୍ରସଙ୍ଗ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପିଲା କରୁଛନ୍ତି ପ୍ରଚାର ।

127

କନକ ବ୍ୟୁରୋ : ବିବାଦୀୟ କୋଟିଆ ପଞ୍ଚାୟତରେ ମିଳିତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତ ରାଜନୈତିକ ଦଳ । ମିଳିତ ଭାବରେ ଦିଆଯାଇଥିବା ପ୍ରାର୍ଥୀ ମମତା ଜାନୀ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ସହ ମୁହାଁମୁହିଁ ହେବେ । ତେଣୁ ମମତାଙ୍କ ପାଇଁ ମିଳିତ ଭାବରେ ପ୍ରଚାର କରିବେ ସମସ୍ତ ରାଜନୈତିକ ଦଳ । ଏପଟେ ପଞ୍ଚାୟତ ନିର୍ବାଚନ ଯେତେ ପାଖଉଛି ପ୍ରଚାର ମଧ୍ୟ ଜୋର ଧରୁଛି । ଆଉ ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ପ୍ରଚାରର ବିଭିନ୍ନ ଦୃଶ୍ୟ । କେଉଁଠି ସ୍ୱାମୀ, ସ୍ତ୍ରୀଙ୍କ ଫଟୋ ଗୋଟିଏ ବ୍ୟାନରରେ ଦେଖିବାକୁ ମିଳୁଛି ତ ଆଉ କେଉଁଠି ପ୍ରାର୍ଥୀ ସାଇକେଲ, ଟ୍ରଲିରେ ପ୍ରଚାର କରୁଥିବା ଦେଖାଯାଉଛି । ଏପଟେ ଭୋଟ ଦେବା ପାଇଁ ଜନତା ମଧ୍ୟ ନେତାଙ୍କ ସମ୍ମୁଖରେ ରଖୁଛନ୍ତି ନିଜର ସମସ୍ୟା ।

ବିବାଦୀୟ କୋଟିଆ ପଞ୍ଚାୟତରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ତିଆରି ହୋଇଛି ରଣନୀତି । ମିଳିତ ଭାବରେ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଚୟନ କରିବା ପ୍ରୟାସ ବିଫଳ ହେବା ପରେ ଏବେ ମିଳିତ ପ୍ରାର୍ଥୀ ମମତା ଜାନୀଙ୍କ ପାଇଁ କେମିତି ପ୍ରଚାର କରାଯିବ ତାକୁ ନେଇ ବୈଠକ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ନେତା ।

ନିର୍ବାଚନ ପ୍ରଚାର କରୁଛନ୍ତି ଛୋଟ ପିଲା । ସାଇକେଲରେ ପ୍ଳାକାର୍ଡ ଧରି ବୁଲୁଛନ୍ତି ନିର୍ବାଚନ ମଣ୍ଡଳୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟକ ବଡ଼ମ୍ବା ଇଚ୍ଛାପୁର ପଞ୍ଚାୟତରେ । ମାଛ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ମାଗୁଛନ୍ତି ଭୋଟ । କରୋନା କଟକଣା ବେଳେ ଛୋଟ ଛୋଟ ପିଲାମାନେ ନିର୍ବାଚନ ପ୍ରଚାର କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଗୋଟିଏ ବ୍ୟାନରରେ ସ୍ୱାମୀ ସ୍ତ୍ରୀଙ୍କ ଫଟୋ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତରୁ ଆସିଛି ଏମିତି ଚିତ୍ର । ଏଠାରେ ସ୍ୱାମୀ ସମିତି ସଭ୍ୟ ପାଇଁ ଓ ସ୍ତ୍ରୀ ସରପଂଚ ପଦ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ପୁରୀ ଜିଲ୍ଲା କଣାସ ବ୍ଲକ ୫ ନମ୍ବର ଜୋନରୁ ସିପିଆଇଏମ ପକ୍ଷରୁ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଧନେଶ୍ୱରର ସ୍ୱାଇଁଙ୍କ ପ୍ରଚାର ଶୈଳୀ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ହାତରେ ଫଟା ମାଇକ ଧରି ଭଙ୍ଗା ସାଇକେଲରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ଧନେଶ୍ୱର । ଅତ୍ୟନ୍ତ ଗରୀବ ହୋଇଥିବାରୁ ଭୋଟରଙ୍କ ନିକଟରୁ ଚାଉଳ ଭିକ୍ଷା କରିବା ସହ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି । ଏପରିକି ଖଡି ଧରି ନିଜେ ନିଜର ପ୍ରଚାରପତ୍ର ମଧ୍ୟ ଆଙ୍କୁଥିବା ଦେଖିବାକୁ ମିଳିଛି । ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨୯ ନମ୍ବର ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀ ମାନେ ଟ୍ରଲି ଉପରେ ବସି ଭୋଟ ମାଗୁଥବା ଦୃଶ୍ୟ ସାମ୍ନାକୁ ଆସିଛି ।

ଏହାରି ଭିତରେ ଏକ କୌତୁହଳପୂର୍ଣ୍ଣ ଖବର ଆସିଛି ଭଦ୍ରକ ତାଳପଦା ପଞ୍ଚାୟତ ଗୋପ ଗଦାଧରପୁରରୁ । ଗତ ଅଢେଇ ମାସ ଭିତରେ ମାଙ୍କଡ ଆକ୍ରମଣରେ ୧୦ରୁ ଅଧିକ ଗ୍ରାମବାସୀ ଆହତ ହେବା ଓ ସମ୍ପତି ନଷ୍ଟ ହେବାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ଯିଏ ମାଙ୍କଡ ଉପଦ୍ରବରୁ ଗ୍ରାମବାସୀଙ୍କୁ ରକ୍ଷା କରିବ ତାଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।