ଟିକେଟ୍ ପାଇଁ ଛକାପଞ୍ଝା । ୮ ଆସନରେ ଛିଡୁନି ଅଙ୍କ!

4,279

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ଭିତରେ ଚାଲିଛି ଟିକେଟ କସରତ । ବିଜେପି ୧୧୨ଟି ଆସନ ପାଇଁ ଟିକେଟ ଘୋଷଣା କରିସାରିଥିବା ବେଳେ ବିଜେଡି ୯୯ ଆସନରେ ନାଁ ଚୂଡାନ୍ତ କରିଛି । କିନ୍ତୁ କିଛି ଆସନ ଏଭଳି ଅଛି ଯେଉଁ ଆସରେ ଟିକେଟକୁ ନେଇ ଦ୍ୱନ୍ଦ୍ୱ ଲାଗିଛି । ରାଜ୍ୟର ଏଭଳି ୮ଟି ପ୍ରମୁଖ ବିଧାନସଭା ଆସନ ରହିଛି ଯେଉଁ ଆସନରେ ବିଜେଡି ଓ ବିଜେପି ଛକାପଞ୍ଝା ଅବସ୍ଥାରେ ଅଛନ୍ତି ।

୧ ସାଲେପୁର: ବିଜେପି ଛାଡି ପ୍ରକାଶ ବେହେରା ବିଜେଡିରେ ଯୋଗଦେବାପରେ ଏହି ଆସନରୁ ବିଜେପିର ସେଭଳି କେହି ଟିକେଟ ଦାବିଦାର ନାହାନ୍ତି । ତେଣୁ ଚର୍ଚ୍ଚା ହେଉଛି ଅନୁଭବ ମହାନ୍ତି ଏହି ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି । ନିକଟରେ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ବିଜେଡି ପ୍ରକାଶ ବେହେରାଙ୍କୁ ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି ।

୨. କଟକ-ବାରବାଟୀ: କଟକ ବାରବାଟୀ ପାଇଁ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିନାହାନ୍ତି । କଂଗ୍ରେସରୁ ବର୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଟିକେଟ ପକ୍କା ବୋଲି କୁହାଯାଉଥିବାବେଳେ ବିଜେଡି-ବିଜେପିରେ ଅଙ୍କ ଛିଡୁନି । ବିଜେପିରୁ ଅରିନ୍ଦମ ରୟଙ୍କ ନାଁ ଶୁଣାଯାଉଥିବାବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ସସପେନ୍ସ ଲାଗି ରହିଛି । ଓଡିଶା କ୍ରିକେଟ ସଂଘର ସମ୍ପାଦକ ସଂଜୟ ବେହେରାଙ୍କ ନାଁ ଚର୍ଚ୍ଚା ହେଉଛି ।

୩.ନୀଳଗିରି- ଏଠାରେ ବିଜେପି ବିଧାୟକ ସୁକାନ୍ତ ନାୟକ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏହାପରେ ଏହି ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରାର୍ଥୀ ସଙ୍କଟ ଦେଖାଦେଇଛି । ବିଜେଡି ସୁକାନ୍ତଙ୍କୁ ଟିକେଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି । ଏଭଳି କ୍ଷେତ୍ରରେ ବିଜେପି କାହାକୁ ଟିକେଟ ଦେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

୪. ଖୋର୍ଦ୍ଧା- ଖୋର୍ଦ୍ଧା ପ୍ରାର୍ଥୀଙ୍କୁ ନେଇ ମଧ୍ୟ ବିଜେଡି-ବିଜେପିରେ ଦ୍ୱନ୍ଦ୍ୱ । ଏଠାରେ କାଳୁ ଖଣ୍ଡାୟତ ରାୟ ବିଜେପି ପ୍ରାର୍ଥୀ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଟିକେଟକୁ ନେଇ ସେ କିଛିଦିନ ତଳେ ବିଜେପି ପାର୍ଟି ଅଫିସରେ ତୁମୁଳକାଣ୍ଜ କରିଥିଲେ । ସେ ଏଠାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି । ଏଠାରେ ଜିତୁ ମିତ୍ର ବିଜେଡିର ବିଧାୟକ ଥିଲେ । ତେଣୁ ବିଜେଡି କାହା ଉପରେ ଭରସା କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏବେ ନଜର ପକାଇବା ଆଉ କିଛି ନିର୍ବାଚନମଣ୍ଡଳୀ ଉପରେ ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

୫ ସାନଖେମୁଣ୍ଡି- ସାନଖେମୁଣ୍ଡିରେ କଂଗ୍ରେସ ବର୍ତମାନର ବିଧାୟକ ରମେଶ ଜେନାଙ୍କ ନାଁ ଘୋଷଣା କରିସାରିଛି । ଏହି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ ଥିବାବେଳେ ବିଜେଡି-ବିଜେପି ନାଁ ସ୍ଥିର କରିପାରିନାହାନ୍ତି । ବିଜେଡି ନନ୍ଦିନୀ ଦେବୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିବ ନାଁ ନୂଆ ମୁହଁ ଦେବ ତା ଉପରେ ସମସ୍ତଙ୍କ ନଜର ଅଛି । ବିଜେପିର ଏଠାରେ ପ୍ରାର୍ଥୀସଙ୍କଟ ଦେଖାଦେଇଛି ।

୬.ବରୀ- ୨୦୧୯ରେ ଏଠାରୁ ବିଜେପିର ପ୍ରାର୍ଥୀ ହୋଇଥିଲେ ବିଶ୍ୱରଂଜନମଲ୍ଲିକ । କିନ୍ତୁ ଏବେ ସେ ବିଜେଡିରେ । ବର୍ତମାନର ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ରିପିଟ କରିନପାରେ । ତେଣୁ ବିଶ୍ୱ ମଲ୍ଲିକଙ୍କ ସ୍ତ୍ରୀଙ୍କୁ ବିଜେଡି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧ୍ରିଛି । ସେହିଭଳି ବିଜେଡି ଛାଡି ବିଜେପିରେ ମିଶିଥିବା ଦେବାଶିଷ ନାୟକ ଏଠାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି । ଏହାଛଡା ସ୍ଥାନୀୟ ବିଜେପି ନେତା ଉମେଶ ଜେନା ବି ଦୌଡରେ ଅଛନ୍ତି ।

୭. ବେଗୁନିଆ- ବେଗୁନିଆରୁ ବିଜେପି ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କରିପାରେ । ବିଜେଡିରୁ ବହିଷ୍କୃତ ହେବା ପରେ ସେ ବିଜେପିରେ ଯୋଗଦେଇଥିଲେ । ତେବେ ପ୍ରଶାନ୍ତଙ୍କୁ ବିଜେପି କର୍ମୀ କେମିତି ଗ୍ରହଣ କରୁଛନ୍ତି ତା ଉପରେ ନଜର ରହିବ । ବିଜେଡି ରାଜୁ ସାହୁଙ୍କ ପୁଣି ଟିକେଟ ଦେବ ନା ନୂଆମୁହଁ ଉପରେ ଭରସା କରିବ, ତା ଉପରେ ନଜର ରହିବ ।
୮. ରାଉରକେଲା- ହାଇପ୍ରୋଫାଇଲ ରାଉରକେଲା ଆସନରେ ଟିକେଟ ଦ୍ୱନ୍ଦ୍ୱ । ଏଠାରେ ବିଜେପି ବଡ ମୁଣ୍ଡ ଲକ୍ଷ୍ୟରେ ରହିଛି । ଶୁଣାଯାଉଛି, ଶିଳ୍ପପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦଳରେ ସାମିଲ କରି ବିଧାନସଭା ପ୍ରାର୍ଥୀ କରିପାରେ ବିଜେପି । ସେପଟେ ବିଜେଡି ମନ୍ତ୍ରୀ ଶାରଦା ନାୟକଙ୍କୁ ରିପିଟ କରିବ ନା ନାହିଁ ତା ଉପରେ ରାଜନୈତକ ମହଲ ତୀଷ୍ମ ନଜର ରଖିଛନ୍ତି ।