କୋଭିଡ ନିୟମ ମାନିବାକୁ କହି ହଟହଟା ହେଲା ପୁଲିସ: ଗାଡି କାଚ ଭାଙ୍ଗିଲେ, ଗାଳି ଗୁଲଜ ଗାଁ ଲୋକ

129

କନକ ବ୍ୟୁରୋ: କୋଭିଡ କଟକଣା ପାଳନ କରିବାକୁ କହି ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୁଲିସ କର୍ମଚାରୀ । ଦୁର୍ଗାପୂଜା ମାହୌଲରେ ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଡଭା ଗାଁରେ । ଗୁରୁବାର ରାତିରେ ଡଭା ଗାଁରେ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ନାଚଗୀତ ଜମିଥିବା ବେଳେ ପୁଲିସ ପହଂଚି କାର୍ଯ୍ୟକ୍ରମକୁ ବନ୍ଦ କରିଦେବାରୁ ରାଗିଯାଇଥିଲେ ଉପସ୍ଥିତ ଜନତା । ପୋଲିସ କର୍ମଚାରୀଙ୍କୁ ଧସ୍ତାଧସ୍ତି କରିବା ସହ ପୁଲିସ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ ।

ଦୁର୍ଗାପୂଜାରେ କୋଭି୍ଡ ନିୟମ ମାନିବାକୁ ପୁଲିସ ଲୋକଙ୍କୁ ତାଗିଦ୍ କରିବା ପରର ଏ ହେଉଛି ଦୃଶ୍ୟ । ପୋଲିସ ଭ୍ୟାନକୁ ଚାରିପଟୁ ଘେରି ଯାଇ ପୁଲିସ କର୍ମଚାରୀଙ୍କୁ ଧସ୍ତାଧସ୍ତି କରିଛନ୍ତି ଜନତା । ଏପରିକି ପୁଲିସ ଗାଡିର କାଚ ଭାଙ୍ଗିଦେଇଛନ୍ତି । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗାଁରେ କୋଭିଡ କଟକଣା ପାଳନ କରିବାକୁ ଯାଇ ପୁଲିସକୁ ହଟହଟା ହେବାକୁ ପଡିଛି ।
ଗୁରୁବାର ରାତିରେ ଡଭା ଗାଁରେ ଦୁର୍ଗାପୂଜା ପେଣ୍ଡାଲ ପାଖରେ କୋଭିଡ ନିୟମକୁ ଉଲ୍ଲଂଘନ କରି ରାବଣ ଦରବାର ବସିଥିଲା । ନାଚ ଗୀତର ଆସର ଜମିଥିଲା, ଏହି ସମୟରେ ପୁଲିସ ଗାଁରେ ପହଂଚି କାର୍ଯ୍ୟକ୍ରମକୁ ବନ୍ଦ କରିଦେବାରୁ ରାଗିଯାଇଥିଲେ ଲୋକେ ।

ଡଭା ଗାଁରେ ପୁଲିସ–ଜନତା ମୁହାଁମୁହିଁ ହେବା ପରେ ପୂଜାକମିଟି ଓ ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣାରେ ଝାରବନ୍ଧ ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଛି ।

– ଦୁର୍ଗାପୂଜାରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଓ
-ପୁଲିସ ଭ୍ୟାନ ଭଙ୍ଗାରୁଜା ଘଟଣାରେ ଦୁଇଟି ମାମଲା ରୁଜୁ ହୋଇଛି ।

କରୋନା ସଂକ୍ରମଣକୁ ରୋକିବାକୁ କଟକଣା ଜରୁରୀ । ହେଲେ ବେଳେ ବେଳେ କଟକଣାକୁ ଲୋକଙ୍କ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଥିବାରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଉଛି । ତେଣୁ ନିୟମ ଓ ଲୋକଙ୍କ ଭାବାବେଗ ଭିତରେ ସନ୍ତୁଳନ ରକ୍ଷା କରିବା ପ୍ରଶାସନର ଦାୟିତ୍ୱ ।