ଉତ୍ତର ପ୍ରଦେଶରେ ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର ! ଯୋଗୀ ସରକାର ଜାରି କଲେ ନିର୍ଦ୍ଦେଶ

271

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ସରକାର ପୋଲିସ ବିଭାଗକୁ ଶକ୍ତିଶାଳୀ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟର ଯେଉଁ ପୋଲିସ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ଏନେଇ କାମ ଆରମ୍ଭ ହୋଇଯାଇଛି ।

୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଦେଖି ସେମାନଙ୍କୁ ଅବସର ଦିଆଯିବ । ଏଡିଜି ସଂଜୟ ସିଙ୍ଘଲଙ୍କ ତରଫରୁ ସମସ୍ତ ଆଇଜି ରେଞ୍ଜ, ଏଡିଜି ଜୋନ, ସମସ୍ତ ୭ ପୋଲିସ କମିଶନର ସହ ପୋଲିସର ସମସ୍ତ ବିଭାଗକୁ ଏହି ଆଦେଶ ପଠାଯାଇଛି ।

୨୦୨୩ ନଭେମ୍ବର ୩୦ ତାରିଖ ମଧ୍ୟରେ ୫୦ ବର୍ଷରୁ ଅଧିକ ସମସ୍ତ ପୋଲିସ କର୍ମଚାରୀଙ୍କ ଟ୍ରାକ୍ ରେକର୍ଡ ଦେଖିବା ପରେ ବାଧ୍ୟତାମୂଳକ ଅବସର ନେଇ ନିଷ୍ପତ୍ତି ନିଆଯିବ । ଏଭଳି ପୋଲିସ କର୍ମୀଙ୍କ ତାଲିକା ପୋଲିସ ବିଭାଗ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ଏନେଇ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

କେବଳ ବୟସ ନୁହେଁ ଯେଉଁ ପୋଲିସ କର୍ମୀଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯିବ । ଏହାସହ ପୋଲିସ ବିଭାଗର ଅଯୋଗ୍ୟ ଅଧିକାରୀଙ୍କୁ ମଧ୍ୟ ଅବସର ଦିଆଯିବ । ଏନେଇ ଏଡିଜିଙ୍କ ତରଫରୁ ସେହିଭଳି ପୋଲିସ କର୍ମୀଙ୍କ ତାଲିକା ମଗାଯାଇଛି ଯେଉଁମାନେ ଏହି ସବୁ ନିୟମ ପରିସରକୁ ଆସୁଛନ୍ତି ।

ସୂଚନା ଥାଉକି ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟଶୈଳୀକୁ ବଦଳାଇବା ପାଇଁ ଗତ କିଛିବର୍ଷ ହେବ ୧ଶହରୁ ଅଧିକ ପୋଲିସ କର୍ମୀଙ୍କୁ ଯୋଗୀ ସରକାର ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କି ଯେଉଁ ଅଫିସର ବା କର୍ମଚାରୀଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ ସେମାନଙ୍କୁ ବିଦା କରି ତାଙ୍କ ସ୍ଥାନରେ ଯୋଗ୍ୟ ଅଫିସରଙ୍କୁ ନିଯୁକ୍ତି ମିଳିବ ।