ରାସ୍ତାକଡରେ ଲୋକଙ୍କୁ ଖାଇବା ମାଗୁଥିଲେ ଦୁଇ କୁନି ଛୁଆ । କଷ୍ଟ ଦେଖିନପାରି ନିଜେ ଭୋକିଲା ରହି କୁନି ପିଲାଙ୍କ କଷ୍ଟ ଦୂର କଲେ ଟ୍ରାଫିକ୍ ପୋଲିସ କନେଷ୍ଟବଳ ।

244

କନକ ବ୍ୟୁରୋ : ନିଜେ ଭୋକିଲା ରହିଲେ, କୁନି ପିଲାଙ୍କ ଭୋକ ଦୂର କଲେ । ମନ କିଣିନେଲେ ମହେଶ । ହୃଦୟ ଜିଣିନେଲେ ହାଇଦ୍ରାବାଦ ପୋଲିସ କନେଷ୍ଟବଳ । ରାସ୍ତାକଡରେ କୁନି ପିଲାଙ୍କ ଭୋକ ଦେଖି ସହିପାରିଲେନି, ଆଉ ନିଜ ଟିଫିନ୍ ଖୋଲି କୁନି ପିଲାଙ୍କୁ ଖାଇବାକୁ ଦେଲେ । କରୋନା ମହାମାରୀ ବେଳେ ଯେତେବେଳେ ଆପଣାର ଲୋକ ବି ପର କରିଦେଉଛନ୍ତି, ସେତେବେଳେ ମଣିଷପଣିଆର ବଡ ମିଶାଲ୍ ସାଜିଛନ୍ତି ହାଇଦ୍ରାବାଦର ଜଣେ ଟ୍ରାଫିକ୍ ପୋଲିସ କନେଷ୍ଟବଳ । ନିଜ ପେଟରେ ଓଦା କନା ଦେଇ ଅସହାୟ ଆଉ ଭୋକରେ ଥିବା କୁନି ପିଲାଙ୍କର ଭୋକ ଦୂର କରିଛନ୍ତି ।

ଏହି ଭିଡିଓଟିକୁ ନିଜ ଟ୍ୱିଟର ପେଜରେ ସେୟାର କରିଛି ତେଲେଙ୍ଗାନା ପୋଲିସ । ଯେଉଁଥିରେ ଦେଖିବାକୁ ମିଳିଛି, ଟ୍ରାଫିକ ପୋଲିସ କନେଷ୍ଟବଳ ମହେଶ, ଦୁଇ ଜଣ କୁନି କୁନି ପିଲାଙ୍କୁ ଖାଇବାକୁ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଥିଲା ପୂରା କାହାଣୀ ।

ହାଇଦ୍ରାବାଦର ପଞ୍ଜାଗୁଟ୍ଟା ଅଂଚଳରେ ପାଟ୍ରୋଲିଂ କରୁଥିଲେ ଟ୍ରାଫିକ୍ ପୋଲିସ କନେଷ୍ଟବଳ ମହେଶ । ଏହି ସମୟରେ ସେ ଦେଖିବାକୁ ପାଇଥିଲେ, ଯେ ଦୁଇ ଜଣ କୁନି କୁନି ଛୁଆ ରାସ୍ତାକଡରେ ବୁଲି ବୁଲି ଲୋକମାନଙ୍କୁ ଖାଇବାକୁ ମାଗୁଛନ୍ତି । କିନ୍ତୁ ଏହି ସ୍ୱାର୍ଥପର ସମାଜ କେହି ବି ଏହି କୁନି ପିଲାଙ୍କ ପାଟିରେ ଦିପାଟି ଖାଇବାକୁ ଦେଉନାହାନ୍ତି । କୁନି ପିଲାଙ୍କ ଭୋକ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ମହେଶ । ଆଉ ତୁରନ୍ତ, ନିଜ ଟିଫିନ୍ ବକ୍ସ ବାହାର କରି କୁନି ପିଲାଙ୍କୁ ଖାଇବାକୁ ଦେଇଥିଲେ ।

ମନ କିଣିନେଲେ ମହେଶ । ସ୍ୱାର୍ଥପର ସମାଜରେ ମଣିଷପଣିଆ ବଂଚିଥିବାର ଉଦାହରଣ ସାଜିଛନ୍ତି ଏହି ଟ୍ରାଫିକ୍ ପୋଲିସ କନେଷ୍ଟବଳ । ଭିଡିଓରେ ଆପଣ ଦେଖିପାରୁଥିବେ, ମହେଶ ଦୁଇ କୁନି ପିଲାଙ୍କୁ ପ୍ରଥମେ ଦୁଇଟି ପେପର ପ୍ଲେଟ୍ ଦେଉଛନ୍ତି । ଆଉ ଏହାପରେ ନିଜ ଟିଫିନ୍ ବକ୍ସରୁ ଭାତ, ତରକାରୀ ଏବଂ ଚିକେନ୍ ଫ୍ରାଏ ବାହାର କରି ମା’ ଭଳି ଖାଇବାକୁ ବାଢି ଦେଉଛନ୍ତି । ଆଉ ଭୋକରେ ଥିବା ଦୁଇ କୁନି ପିଲା ମଧ୍ୟ ବହୁତ ଖୁସି ହୋଇ ଆରାମରେ ବସି ଖାଉଛନ୍ତି ।

ସୋସିଆଲ ମିଡିଆରେ ମହେଶଙ୍କର ଭୂରି ଭୂରି ପ୍ରଂଶସା କରୁଛନ୍ତି ୟୁଜର୍ସ । ଆଉ ତେଲେଙ୍ଗାନା ପୋଲିସ ମଧ୍ୟ ଆକ୍ଟ ଅଫ୍ କାଇଣ୍ଡନେସ ହାସଟ୍ୟାଗ୍ ସହ ଭିଡିଓଟିକୁ ଟ୍ୱିଟ୍ କରିଛି । ଆଉ ଭିଡିଓ ଦେଖି ସମସ୍ତେ କହୁଛନ୍ତି, ମାନବିକତାର ମନ୍ଦିର ସାଜିଥିବା ମହେଶଙ୍କୁ ଶହେ ସଲାମ୍ ।