ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ପୁଲିସର ଚଢାଉ : ଚୋରା ବନ୍ଧୁକ କାରବାରକୁ ନେଇ ଖୋଳତାଡ । ଦୁଇ ଭାଇଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

127

କନକ ବ୍ୟୁରୋ : ୪ ବର୍ଷର ବ୍ୟବଧାନ ପରେ ପୁଣି ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଗ୍ୟାଙ୍ଗଷ୍ଟାର ଧଳ ବ୍ରଦର୍ସଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିବା ପରେ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଏନେଇ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଆଜିଠୁ ଜେରା କରିବ ପୁଲିସ୍  । ଏନେଇ ଗତକାଲି ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା  । ସେପଟେ ଧଳସାମନ୍ତଙ୍କ ଘରେ ପୁଣି ପୁଲିସ୍ ତଲାସି ଆରମ୍ଭ କରିଛି  । କମିଶନରେଟ୍ ପୁଲିସର ଏକ ଟିମ୍ କଟକ ସ୍ଥିତ ଧଳସାମନ୍ତ ଭାଇଙ୍କ ଘରେ ଚଢ଼ାଉ ପାଇଁ ପହଂଚିଛି । କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା  । ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା  । ଡି-ବ୍ରଦର୍ସଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । ଯାହା ମଧ୍ୟରେ ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍  । ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ ହୋଇଥିଲା  । ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ  । ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା । ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି  ।

କହିରଖୁ କି କଟକରେ ଏହି ଦୁଇ ଭାଇ ଦୀର୍ଘ ଦିନ ହେବ ଦାଦା ବଟି, ରାହାଜାନୀ, ଟେଣ୍ଡର ଫିକ୍ସିଂ ଭଳି ଅପରାଧ କରିଚାଲିଥିଲେ । ଏହା ସହ ସେମାନେ ବିଭିନ୍ନ ସମୟରେ ଲୋକଙ୍କ ହତ୍ୟା କରିଥିବା ପ୍ରମାଣ ମିଳିଛି । ଏଭଳି ଏକ ଅପରାଧିକ ଦୁର୍ଗ ପ୍ରସ୍ତୁତ କରି କଟକ ସହରବାସୀଙ୍କ ନିଦ ହଜାଇ ଦେଇଥିଲେ ଏହି ଦୁଇ ଭାଇ । ଏନେଇ ବାରମ୍ବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଡି ବ୍ରଦର୍ସଙ୍କ ଆଡ୍ଡା ଉପରେ ଚଢାଉ କରି ସେମାନଙ୍କୁ ଗିରଫ୍ କରିଥିଲା ।