କନକ ବ୍ୟୁରୋ: ସାଧାରଣତଃ ଗୋଟେ ଥାନାରେ ନିହାତି ଭାବେ ଗୋଟେ ସୁରକ୍ଷିତ ଭ୍ୟାନର ଆବଶ୍ୟକ ରହିଛି । କିନ୍ତୁ ଗୋଟେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର । ଏହି ବ୍ଲକରେ ୨ଟି ଥାନା । ସାମୁଦ୍ରିକ ଥାନା ସହିତ ଅସ୍ତରଙ୍ଗ ଥାନା । କିନ୍ତୁ ଦୁର୍ଭାଗ୍ୟର କଥା ଏଠି ଭ୍ୟାନର ଭୂମିକା ନେଇଛି ବାଇକ । ବାଇକରେ ପୋଲିସ ଘଟଣାସ୍ଥଳକୁ ଯାତାୟାତ କରୁଛନ୍ତି ।

Advertisment

ତେବେ ଅସ୍ତରଙ୍ଗ ବ୍ଲକ ପୁରୀ ଜିଲ୍ଲାର ଏକ ସମ୍ବେଦନପୂର୍ଣ୍ଣ ଅଂଚଳ ହୋଇଥିବାରୁ ଏଠି ଚୋରି, ଡକାୟତି, ରାହାଜାନି, ନିଶା କାରବାର ବଢ଼ୁଛି । କିନ୍ତୁ କୌଣସି ସମୟରେ ଯଦି ପୋଲିସ ନିକଟର ହଠାତ ଖବର ପହଂଚୁଛି ତାହେଲେ ସେହି ସମୟରେ ପୋଲିସ ଭ୍ୟାନଟି କାମ କରୁନି । ଯେଉଁଥି ପାଇଁ ଅପରାଧୀମାନେ ଅପରାଧ ଘଟେଇବାରେ ସଫଳ ହେଉଛନ୍ତି ।

ଅସ୍ତରଙ୍ଗ ପୋଲିସ ଗାଡ଼ିର ଅନେକ ଅଂଶ ଭାଙ୍ଗି ରୁଜି ଯାଇଛି । ସିଟ୍ ଚିରିଯାଇଛି । ଳାଗୁଛି ଯେମିତି କବାଡ଼ି ଖାନାର ଗାଡ଼ି । ଆଉ ଏହି ଗାଡ଼ିକୁ ନେଇ ବିଭିନ୍ନ ମାମଲାର ତଦନ୍ତ କରୁଛି ପୋଲିସ । କେବେକେବେ ରାସ୍ତାରେ ଗାଡ଼ି ବନ୍ଦ ହୋଇଯାଉଛି । ଗାଡ଼ିର ଷ୍ଟିୟରିଂ ଫେଲ ହେଉଛି । ଯାହା ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ପୋଲିସ ।

ତେବେ ଏ ଅଞ୍ଚଳର ବିଧାୟକ ନିଜେ ରାଜ୍ୟ ମନ୍ତ୍ରୀମଣ୍ଡଳର ଏହି ଗୃହ ବିଭାଗରେ ଦାୟିତ୍ୱରେ ଅଛନ୍ତି । ଆଉ ଯେତେବେଳେ ରାଜ୍ୟରେ ସଂପୂର୍ଣ୍ଣ ପୋଲିସ ବିଭାଗକୁ ଉନ୍ନତିକରଣ କରାଯାଉଛି । ଏଭଳି ସ୍ଥିତିରେ ଅସ୍ତରଙ୍ଗ ବ୍ଲକର ୨ଟି ଥାନା ଗାଡ଼ିର ଅବସ୍ଥା ବ୍ୟବସ୍ଥାକୁ ପଦାରେ ପକାଇଛି ।